କାର୍ଯ୍ୟରେ ଯୋଗ ଦେଲେ ୧୮୫ କନିଷ୍ଠ ଡାଟା ଏଣ୍ଟ୍ରି ଅପରେଟର୍

ନିଷ୍ପତ୍ତିର ତ୍ବରିତ କାର୍ଯ୍ୟକାରିତା, ସେବା ଯୋଗାଣରେ ଡାଟାର ଭୂମିକା ଗୁରୁତ୍ବପୂର୍ଣ୍ଣ : ମୁଖ୍ୟମନ୍ତ୍ରୀ

କାର୍ଯ୍ୟରେ ଯୋଗ ଦେଲେ ୧୮୫ କନିଷ୍ଠ ଡାଟା ଏଣ୍ଟ୍ରି ଅପରେଟର୍

ଭୁବନେଶ୍ବର : ୧୮୫ ଜଣ କନିଷ୍ଠ ଡାଟା ଏଣ୍ଟ୍ରି ଅପରେଟର୍(ଡିଇଓ) ଆଜି ସରକାରୀ ଚାକିରିରେ ଯୋଗ ଦେଇଛନ୍ତି। ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍ କମିସନ୍‌ଙ୍କ ଦ୍ବାରା ମନୋନୀତ ହୋଇଥିବା ଏହି କର୍ମଚାରୀମାନଙ୍କୁ ଗୃହ ବିଭାଗ ପକ୍ଷରୁ ନିଯୁକ୍ତିପତ୍ର ମିଳିଛି। ଏହି କନିଷ୍ଠ ଡିଇଓମାନଙ୍କର ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ଆୟୋଜିତ ଏକ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଶାସନ ବ୍ୟବସ୍ଥାକୁ ଫଳପ୍ରଦ କରିବା ପାଇଁ ଡାଟାର ବଡ଼ ଭୂମିକା ରହିଛି। ସରକାରୀ ନିଷ୍ପତ୍ତିର ତ୍ବରିତ କାର୍ଯ୍ୟକାରିତା ସହ ଲୋକଙ୍କ ଉନ୍ନତ ସେବା ଯୋଗାଣ ପାଇଁ ଡାଟା ସୃଷ୍ଟି କରିବା, ତାହାକୁ ସଂରକ୍ଷିତ କରିବା ଓ ସୁରକ୍ଷିତ ରଖିବା ଅତ୍ୟନ୍ତ ଜରୁରୀ।

ନୂଆ ଡିଇଓମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଲେ, ଡାଟା ଏଣ୍ଟ୍ରି ଅପରେଟର୍‌ ଭାବେ ପ୍ରଶାସନରେ ସେମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ନିଜର ଜ୍ଞାନ ଓ ଅଭିଜ୍ଞତାକୁ ପାଥେୟ କରି ପ୍ରଶାସନ ପାଇଁ ସେମାନେ ନିଜକୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ପ୍ରମାଣିତ କରିବାକୁ ସବୁ ପ୍ରକାର ଉଦ୍ୟମ ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଥି‌ଲେ। ପ୍ରଶାସନିକ ଯୋଗାଯୋଗ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ସମୟରେ ଅତ୍ୟନ୍ତ ଦାୟିତ୍ବସମ୍ପନ୍ନ ହେବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ।

ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଯୋଗ ଦେଇ କହିଲେ, ଆମକୁ ସମୟ ଅନୁଯାୟୀ ବଦଳିବାକୁ ପଡ଼ିବ। ୩୦ ବର୍ଷ ତଳେ ପ୍ରଶାସନିକ ଢାଞ୍ଚା ଯାହା ଥିଲା ତାହା ଏବେ ନାହିଁ। ତ୍ବରିତ ସେବା ଯୋଗାଇବା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ଡିଜିଟାଲ ହେଉଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଲେ, ନୂଆ ଡାଟା ଏଣ୍ଟ୍ରି ଅପରେଟର୍‌ କ୍ୟାଡର୍‌ରେ ଆଜି ପ୍ରଥମ କରି ଏହି ଡିଇଓମାନେ ଯୋଗ ଦେଇଛନ୍ତି। ଯେହେତୁ ପ୍ରଶାସନର ସମସ୍ତ ଅଫିସ୍‌ କାର୍ଯ୍ୟ ଏବେ ଅନ୍‌ଲାଇନ୍‌ରେ ହେଉଛି, ତେଣୁ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ନିଜର ବୈଷୟିକ ଜ୍ଞାନ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି କେ ପାଣ୍ଡିଆନ୍ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା ସ୍ବାଗତ ଭାଷଣ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe