TV9 Bharatvarsh
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ପତ୍ର ଲେଖିଲେ ଧର୍ମେନ୍ଦ୍ର
ସଙ୍କଟ ସମୟରେ ତୁରନ୍ତ ପଦକ୍ଷେପ ନେବା ପାଇଁ ଅନୁରୋଧ
ଭୁବନେଶ୍ବର : ରାଜ୍ୟରେ ମେଡିକାଲ ଅକ୍ସିଜେନ୍ ପ୍ଲାଣ୍ଟର ବ୍ୟବସ୍ଥା କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ପତ୍ର ଲେଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ୨୧ଟି ପିଏସ୍ଏ ପ୍ଲାଣ୍ଟ୍ ସ୍ଥାପନ ହେଉଥିବା ବେଳେ ଏଭଳି ଆହୁରି ୧୯ଟି ପିଏସ୍ଏ ପ୍ଲାଣ୍ଟ ସ୍ଥାପନା ପାଇଁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।
ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶାରେ କୋଭିଡ୍ ପ୍ରସ୍ତୁତି ଓ ପରିଚାଳନା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି। ଗତ ମାସରେ ଜନସ୍ୱାସ୍ଥ୍ୟ ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ସମଗ୍ର ଭାରତରେ ପିଏମ୍ କେୟାର୍ସ ଫଣ୍ଡରୁ ୫୫୧ ସମର୍ପିତ ପିଏସ୍ଏ ମେଡିକାଲ ଅକ୍ସିଜେନ ପ୍ରତିଷ୍ଠା ପାଇଁ ଜରୁରୀକାଳୀନ ମଞ୍ଜୁରି ଦେଇଥିଲେ। ପୂର୍ବରୁ ମଧ୍ୟ ଅତିରିକ୍ତ ୧୬୨ ପିଏସ୍ଏ ପ୍ଲାଣ୍ଟ ସ୍ଥାପନା ପାଇଁ ଆବଣ୍ଟନ କରିଥିଲେ। ତାହା ମଧ୍ୟରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମଧ୍ୟ ୨୧ଟି ପିଏସ୍ଏ ପ୍ଲାଣ୍ଟ ସ୍ଥାପନା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏଥିରୁ ଡିଆରଡିଓ ଦ୍ୱାରା ୭ଟି, ପେଟ୍ରୋଲିୟମ ମନ୍ତ୍ରଣାଳୟ ଦ୍ୱାରା ୭ଟି ଏବଂ ଭାରତ ସରକାରଙ୍କ ପିଏମ୍ କେୟାର୍ସ ଫଣ୍ଡରୁ ୭ଟି ପିଏସ୍ଏ ପ୍ଲାଣ୍ଟ ପ୍ରତିଷ୍ଠା ହେବାକୁ ସ୍ଥିର ହୋଇଥିଲା। ମାତ୍ର ଓଡ଼ିଶାରେ କୋଭିଡ୍-୧୯ର ଦ୍ୱିତୀୟ ଲହରର ବ୍ୟାପକତା କାରଣରୁ ରାଜ୍ୟର ଆହୁରି ଅଧିକ ଜିଲ୍ଲାକୁ ସହଯୋଗର ଆବଶ୍ୟକତା ରହିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ଅତିରିକ୍ତ ୧୯ ପିଏସ୍ଏ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ ବାଲେଶ୍ୱର, ବଲାଙ୍ଗୀର, ଗଞ୍ଜାମ, ମୟୂରଭଞ୍ଜ ଜିଲ୍ଲାରେ ୨ଟି ଲେଖାଏ ଏବଂ କଟକ, ଦେବଗଡ଼, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କୋରାପୁଟ, ପୁରୀ, ରାୟଗଡ଼ା, ସମ୍ବଲପୁର ଏବଂ ସୋନପୁରରେ ଗୋଟିଏ ଗୋଟିଏ ଲେଖାଏ ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନା ପାଇଁ ସେ ଅନୁରୋଧ କରିଛନ୍ତି। ଏହି ପ୍ଲାଣ୍ଟଗୁଡ଼ିକ ପ୍ରତିଷ୍ଠା ହେଲେ ଓଡ଼ିଶାର କୋଭିଡ୍-୧୯ ରୋଗୀଙ୍କ ଚିକିତ୍ସାରେ ସହାୟକ ହୋଇପାରିବ। ତେଣୁ ଏହି ସଙ୍କଟ ସମୟରେ ତୁରନ୍ତ ଏଭଳି ପଦକ୍ଷେପ ନେବା ପାଇଁ ଶ୍ରୀ ପ୍ରଧାନ ଡାକ୍ତର ହର୍ଷବର୍ଦ୍ଧନଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଏହି ସମୟୋପଯୋଗୀ ପଦକ୍ଷେପ ରାଜ୍ୟର ବିଭିନ୍ନ ସ୍ଥାନରେ ବାସ କରୁଥିବା ଲୋକଙ୍କ ଅମୂଲ୍ୟ ଜୀବନକୁ ରକ୍ଷା କରାଯାଇପାରିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।
Follow Us