the financial express
ପୁରୀ: ମହାପ୍ରଭୁଙ୍କ ଖଣିକୁ ବି ଛାଡ଼ିନାହାନ୍ତି ମାଫିଆ। ପୂରା ଅଞ୍ଚଳକୁ କୋରି ଖାଇଯାଇଛନ୍ତି। ଯେତିକି ନେଇଛନ୍ତି, ତା’ର ଦୁଇଗୁଣା ତାଡ଼ି ବିକ୍ରି କରି ଦେଇଛନ୍ତି। ଏହା ଜାଣିବା ପରେ ଆଜି ୧୯ ଜଣ ଖଣି ଲିଜ୍ଧାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ। ୭ ଦିନ ଭିତରେ ରୟାଲ୍ଟି ସହ ଆନୁଷଙ୍ଗିକ ଦେୟ ଓ ଜରିମାନା ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୭ ଦିନ ଭିତରେ ହାଜର ହୋଇ ଜବାବ ରଖିବାକୁ କୁହାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ କଡ଼ା ଭାଷାରେ ଏହି ଚିଠି ଲେଖିଛନ୍ତି।
ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ, ଧାର୍ଯ୍ୟ ଅନୁମୋଦିତ ପରିମାଣଠାରୁ ଅଧିକ ଖଣିଜ ସଂପଦ ଉତ୍ତୋଳନ କାରଣରୁ ଖୋର୍ଦ୍ଧା ଜିଲ୍ଲାରେ ଥିବା ୧୯ଟି ଖଣି ଲିଜ୍ଧାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଏଥିରେ ୧୭ଟି ନିର୍ମାଣ ପଥର ଖଣି ଓ ୨ଟି ମାଙ୍କଡ଼ା ପଥର ଖଣି ରହିଛି। ଓଡ଼ିଶା ଲଘୁ ଖଣିଜ ଆଇନ୍-୨୦୧୬ ଆଧାରରେ ଏହି କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। କେଉଁ ପରିସ୍ଥିତିରେ ଏଭଳି ବ୍ୟତିକ୍ରମ ହେଲା, ସେ ନେଇ ଲିଖିତ ଜବାବ ମଗାଯାଇଛି। ନୋଟିସ୍ର ଜବାବ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଜାରି କରାଯାଇଥିବା ନୋଟିସର ଖିଲାପ କଲେ, ଖଣିର ଚୁକ୍ତିପତ୍ର ରଦ୍ଦ କରାଯିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ସମସ୍ତ ଭୂ-ସମ୍ପତ୍ତି ଦଖଲକୁ ନିଆଯିବ ଓ ଏହାର ସୁରକ୍ଷା କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।
ସୂଚନାଯୋଗ୍ୟ, ଖୋର୍ଦ୍ଧା ଓ ବେଗୁନିଆ ଅଞ୍ଚଳରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିରେ ରେକର୍ଡଭୁକ୍ତ ସମୁଦାୟ ୨୩୨ଟି କ୍ରସର ୟୁନିଟ୍ ରହିଛି। ଗତବର୍ଷ ମେ’ ମାସରେ ଏଥିରୁ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୮୫ଟି ୟୁନିଟ୍ ଶ୍ରୀମନ୍ଦିର ପ୍ରଶାସନ ସହ ବିଧିବଦ୍ଧ ବୁଝାମଣା ସ୍ବାକ୍ଷର କରିଥିଲେ। ୮୫ଟି କ୍ରସର ୟୁନିଟ୍ ମଧ୍ୟରୁ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୫୨ଟି କ୍ରସର ୟୁନିଟ୍ ପକ୍ଷରୁ ନବୀକରଣ ଆବେଦନ ଦାଖଲ ହୋଇଥିଲା। ଏହି ୫୨ଜଣଙ୍କ ୟୁନିଟ୍ଗୁଡ଼ିକର ଆବେଦନ ତଥା ପ୍ରଣାମୀ ଦାଖଲ ବିଚାରକୁ ନେଇ ବୁଝାମଣା ନବୀକରଣ କରାଯାଇଥିଲା। ବାକି ଖିଲାପକାରୀ ୧୪୭ଟି କ୍ରସର ୟୁନିଟ୍ ଉପରେ କାର୍ଯ୍ୟାନୁଷ୍ଠାନ ଗତବର୍ଷ ମେ’ ମାସରେ ନିଷ୍ପତ୍ତି ହୋଇଥିଲା। ପ୍ରାଥମିକ ପଦକ୍ଷେପ ସ୍ବରୂପ ୧୪୭ କ୍ରସର୍ ୟୁନିଟ୍ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ବିଦ୍ୟୁତ ବିଭାଗକୁ ଶ୍ରୀମନ୍ଦିର ପ୍ରଶାସନ ଚିଠି ଲେଖିଥିଲା। ୧୪୭ କ୍ରସର୍ ୟୁନିଟ୍ରୁ ବିଦ୍ୟୁତ୍ କାଟ୍ ପାଇଁ ଟିପିସିଓଡିଏଲ୍କୁ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଅନୁମତି ପ୍ରତ୍ୟାହାର ପାଇଁ କୁହାଯାଇଥିଲା। ଏହା ସତ୍ତ୍ବେ ବି ଲିଜ୍ଧାରୀମାନେ ଚୋରା କାରବାରରୁ ବିରତ ରହିନାହାନ୍ତି।
Follow Us