ମଧ୍ୟାହ୍ନଭୋଜନରେ ବାହାରିଲା ମଲା ମୂଷା : ବିଷାକ୍ତ ଖାଦ୍ୟ ଖାଇ ୧୯ ଛାତ୍ରଛାତ୍ରୀ ଅସୁସ୍ଥ

Advertisment

ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ: ଉପଜିଲ୍ଲାପାଳ

ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ: ଉପଜିଲ୍ଲାପାଳ

ମଧ୍ୟାହ୍ନଭୋଜନରେ ବାହାରିଲା ମଲା ମୂଷା : ବିଷାକ୍ତ ଖାଦ୍ୟ ଖାଇ ୧୯ ଛାତ୍ରଛାତ୍ରୀ ଅସୁସ୍ଥ

ଭଦ୍ରକ/ତିହିଡ଼ି : ଭଦ୍ରକ ଜିଲ୍ଲାରେ ମଧ୍ୟାହ୍ନଭୋଜନ ବ୍ୟବସ୍ଥା ନାନା ଅବ୍ୟବସ୍ଥାରେ ଚାଲିଥିବା ବେଳେ ବିଷାକ୍ତ ମଧ୍ୟାହ୍ନଭୋଜନ ଖାଇ ଅନେକ ସମୟରେ ଛାତ୍ରଛାତ୍ରୀ ଅସୁସ୍ଥ ହେଉଛନ୍ତି। ଗତକାଲି ତିହିଡ଼ି ବ୍ଲକ ଚାରିତରଫ ସ୍କୁଲରେ ମଧ୍ୟାହ୍ନଭୋଜନରେ ମଲା ମୂଷା ବାହାରିଥିବାରୁ ଅନେକ ଛାତ୍ରଛାତ୍ରୀ ଏହି ଖାଦ୍ୟ ଖାଇ ଅସୁସ୍ଥ ହୋଇ ପଡ଼ିଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାରୁ ପ୍ରକାଶ ଯେ, ରାଜନଗର ପଞ୍ଚାୟତ ଅଧୀନ ଚାରିତରଫ ସ୍କୁଲରେ ଗତକାଲି ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ଖାଇବାକୁ ଦିଆଯାଇଥିଲା। ଛାତ୍ରଛାତ୍ରୀ ଖା‌ଉଥିବା ବେଳେ ଭାତରୁ ମଲା ମୂଷାର ଖଣ୍ଡ ଖଣ୍ଡ ମାଂସ ବାହାରିଥିଲା। କିଛି ଛାତ୍ରଛାତ୍ରୀ ଖାଇ ସାରିଥିବା ବେଳେ ଆଉ କିଛି ମଲା ମୂଷା ବାହାରିବା ଜାଣି ଖାଇ ନ ଥିଲେ। ଯେଉଁମାନେ ଭାତ ଖାଇଥିଲେ ଘରକୁ ଯିବା ପ‌ରେ ସେମାନଙ୍କ ମୁଣ୍ଡ ବୁଲାଇଥିଲା। କିଛି ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ। ଜଣେ ପରେ ଜଣେ ଅସୁସ୍ଥ ହେବାରୁ ଆଜି ସକାଳେ ୧୯ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଥମେ ତିହିଡ଼ି ମେଡିକାଲକୁ ପ୍ରାଥମିକ ଚିକିତ୍ସା ପାଇଁ ଅଣାଯାଇଥିଲା। ତେବେ ସେମାନଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।

ଏହି ଖବର ପ୍ରଚାରିତ ହେବା ପରେ ଉପଜିଲ୍ଲାପାଳ ପୀତାମ୍ବର ସାମଲ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସି ଅସୁସ୍ଥ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ବୁଝିଥିଲେ। ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ‘ସମ୍ବାଦ’କୁ କହିଥିଲେ। ଖବର ଲେଖା ହେବା ବେଳକୁ ସନ୍ଧ୍ୟାରେ ସମସ୍ତ ପିଲା ଔଷଧ ନେଇ ଘରକୁ ଚାଲି ଯାଇଥିବା ଜଣାଯାଇଛି। ସମସ୍ତେ ବିପଦମୁକ୍ତ ଥିବା ତିହିଡ଼ି ବ୍ଲକ ଶିକ୍ଷାଧିକାରୀ ଉଦୟ ନାରାୟଣ ଦାଶ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe