Advertisment

୧୯୬୪ କୋଟି ଠକିନେଲା ଭିସା ପାୱାର: ଭୁବନେଶ୍ବର ପିଏନ୍‌ବିକୁ ୩୯୪ କୋଟି ଟଙ୍କାର ଚୂନ

Advertisment

ମାମଲା ରୁଜୁ କଲା ସିବିଆଇ, ୮ ସ୍ଥାନରେ ଚଢ଼ଉ

ମାମଲା ରୁଜୁ କଲା ସିବିଆଇ, ୮ ସ୍ଥାନରେ ଚଢ଼ଉ

ଏପ୍ରିଲ ପ୍ରଥମାର୍ଦ୍ଧରେ ବିଜୁଳି ବ୍ୟବହାର ୧୦% ବୃଦ୍ଧି

ଭୁବନେଶ୍ବର: ଦେଶର ଆଉ ଏକ ବଡ଼ଧରଣର ବ୍ୟାଙ୍କ ଋଣ ଠକେଇ ସାମ୍ନାକୁ ଆସିଛି। ବ୍ୟାଙ୍କକୁ ୧୯୬୪ କୋଟି ଟଙ୍କାର ଚୂନ ଲଗାଇଛି ଭିସା ପାଵାର କମ୍ପାନି। ସଂସ୍ଥା କେବଳ ଭୁବନେଶ୍ବର ପିଏନ୍‌ବି (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ)ରୁ ୩୯୪ କୋଟି ଟଙ୍କା ଠକେଇ କରିଛି। ଅଶୋକନଗରସ୍ଥିତ ପିଏନ୍‌ବି ସର୍କଲ ଅଫିସ ମୁଖ୍ୟ ପରେଶ କୁମାର ଦାସଙ୍କ ଅଭିଯୋଗ ଆଧାରରେ ଭିସା ପାଵାର ଲିମିଟେଡ୍, ଏହାର ଶାଖା କମ୍ପାନି, ଅଧ୍ୟକ୍ଷ, ନିର୍ଦ୍ଦେଶକଙ୍କ ବିରୋଧରେ ଆଇପିସି ଦଫା-୧୨୦-ବି, ୪୦୯, ୪୨୦, ୪୭୭(ଏ) ଓ ଦୁର୍ନୀତି ନିବାରଣ ଆଇନ୧୩(୨),୧୩(୧)(ଡି)ରେ ମାମଲା ରୁଜୁ କରିଛି ସିବିଆଇ। ଭୁବନେଶ୍ବର, କୋଲକାତା, ଛତିଶଗଡ଼ ସମେତ ୮ଟି ସ୍ଥାନରେ ସିବିଆଇ ଚଢ଼ଉ କରି କମ୍ପାନିର ବ୍ୟାଙ୍କ ଆକାଉଣ୍ଟ, ହାର୍ଡଡିସ୍କ, ପେନ୍ ଡ୍ରାଇଭ୍ ଆଦି ଜବତ କରିଛି। କେତେକ କମ୍ପାନିର ଠିକଣା ମିଳୁନାହିଁ। ଋଣ ପାଇଁ ଦିଆଯାଇଥିବା କାଗଜପତ୍ର ଓ କେତେକ ବନ୍ଧକ ସମ୍ପତ୍ତିର କାଗଜପତ୍ର ଜାଲ୍ ବୋଲି ଜଣାପଡ଼ିଛି। ଠକେଇ ପଛରେ ବ୍ୟାଙ୍କର ଅସାଧୁ କର୍ମଚାରୀଙ୍କ ହାତ ଥିବା ମଧ୍ୟ ସନ୍ଦେହ କରାଯାଉଛି।

୨୦୧୧ରେ ଭିସା ପାଵାର ଲିମିଟେଡର ଅଧ୍ୟକ୍ଷ ବିଶ୍ବମ୍ବରଣ ଶରଣ, ସିଏମ୍‌ଡି ବିକାଶ ଅଗ୍ରଵାଲ, ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ସୁବ୍ରତୋ ତ୍ରିବେଦୀ ଭୁବନେଶ୍ବର ପିଏନ୍‌ବି ଶାଖାକୁ ଆସି ୬୦୦ ମେଗାଵାଟ୍ ବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ଋଣ ଆବେଦନ କରିଥିଲେ। ପିଏନ୍‌ବି ଭୁବନେଶ୍ବର ଶାଖା ୩୯୪କୋଟି ଟଙ୍କା ବାଦ୍ କୋଲକାତାର ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ୧୯୦ କୋଟି, ୟୁକୋ ବ୍ୟାଙ୍କ ଶାଖାରୁ ୧୯୦ କୋଟି, ବ୍ୟାଙ୍କ ଅଫ୍ ବରୋଦାରୁ ୧୪୫ କୋଟି, ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରୁ ୧୪୫ କୋଟି, ଆନ୍ଧ୍ର ବ୍ୟାଙ୍କ (ଏବେ ୟୁନିଅନ୍ ବ୍ୟାଙ୍କ) ଶାଖାରୁ ୯୫ କୋଟି, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଶାଖାରୁ ୯୫ କୋଟି, ଛତିଶଗଡ଼ ରାଇପୁର ତତ୍କାଳୀନ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏବେକାର ପିଏନବି) ଶାଖାରୁ ୧୪୫ କୋଟି ଟଙ୍କା ଏହିପରି ୧୪ଟି ବ୍ୟାଙ୍କ ମୋଟ ୧୯୬୪ କୋଟି ଋଣ ମଞ୍ଜୁର କରିଥିଲେ। କଂପାନି ଋଣ ପରିଶୋଧ ନ କରି ବ୍ୟାଙ୍କମାନଙ୍କୁ ଠକି ଦେଇଥିଲା।

ଉଲ୍ଲେଖଥାଉକି, ଭିସା ପାଵାରର ୮ କମ୍ପାନି ନାଁରେ ଏହି ଋଣ ଉଠାଯାଇଛି। ସେଗୁଡ଼ିକ ହେଲା ଭିସା ଇନଫ୍ରାଷ୍ଟ୍ରକଚର୍ ଲିମିଟେଡ୍, ଭିସା ରିୟଲିଟି ଲିମିଟେଡ୍, ଭିସା ପାଵାର ଟ୍ରେଡିଂ କମ୍ପାନି ଲିମିଟେଡ୍, ଭିସା ରିର୍ସୋସେସ୍ ଲିମିଟେଡ୍, ଭିସା ଷ୍ଟିଲ୍ ଲିମିଟେଡ୍, ଭିସା ଇଣ୍ଟରନ୍ୟାସନାଲ ଲିମିଟେଡ୍, ଭିସା ସୁନକୋକ୍ ଲିମିଟେଡ୍, ଭିସା ଏନର୍ଜ ଭେନଚର୍ସ ପ୍ରାଇଭେଟ୍ ଲିମିଟେଡ୍। କମ୍ପାନି ଋଣ ପରିଶୋଧ ନ କରିବାରୁ ୨୦୧୫-୧୬ରେ ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଆକାଉଣ୍ଟଙ୍କୁ ଏନ୍‌ପିଏ ଘୋଷଣା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe