Advertisment

ବିମାନବନ୍ଦରରେ କେଜିଏ ସୁନା ଜବତ: ବ୍ୟାଙ୍କକ୍ ଫେରନ୍ତା ଯାତ୍ରୀ ଅଟକ, ମଳଦ୍ବାରରେ ଲୁଚାଇଥିଲା ସୁନା ଗୁଣ୍ଡ ଭର୍ତ୍ତି କ୍ୟାପ୍‌ସୁଲ୍‌

Advertisment
ବିମାନବନ୍ଦରରୁ ସ୍ପୋର୍ଟସ ବନ୍ଧୁକ ଜବତ: ପୋଷ୍ଟାଲ ପାର୍ସଲରେ ସମ୍ବଲପୁରରୁ ମୁମ୍ବାଇ ଯାଉଥିଲା

ଭୁବନେଶ୍ବର: ଆଜି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ କଷ୍ଟମସ୍‌ ଅଧିକାରୀମାନେ ଜଣେ କୁଖ୍ୟାତ ସୁନା ସ୍ମଗଲର୍‌କୁ ଧରିବାରେ ସଫଳ ହୋଇଛନ୍ତି। ତାଠାରୁ କେଜିଏ ସୁନା ଜବତ କରାଯାଇଛି। ବ୍ୟାଙ୍କକ୍‌ରୁ ଭୁବନେଶ୍ବର ଦେଇ ମୁମ୍ବାଇ ଯାଉଥିବା ମହାରାଷ୍ଟ୍ରର ଏହି ଚାଲାଣକାରୀର ମଳଦ୍ବାରରୁ ବାହାରିଛି ଏକ କେଜିରୁ ଅଧିକ ଓଜନର ସୁନା। ତାକୁ ଭୁବନେଶ୍ବରରେ ଅଟକ ରଖି ଖୋଳତାଡ଼ ଚାଲିଛି। ତଦନ୍ତ ସରିନଥିବାରୁ ଚାଲାଣକାରୀର ନାଁ ଗୋପନ ରଖାଯାଇଛି। ତାକୁ ବୁଧବାର କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି। ବ୍ୟାଙ୍କକ୍‌ରୁ ଆସିଥିବା ଏହି ସୁନା ମୁମ୍ବାଇ ଚାଲାଣ ହେଉଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କିନ୍ତୁ ଚାଲାଣକାରୀ ନିକଟରେ ମୁମ୍ବାଇ ଯାତ୍ରା ପାଇଁ ଟିକେଟ୍‌ ନଥିବାରୁ ସନ୍ଦେହ ସୃଷ୍ଟି ହୋଇଛି। ଏହି ସୁନା ଭୁବନେଶ୍ବରକୁ ଆସିଥିବା ସନ୍ଦେହ କରି କଷ୍ଟମ୍‌ସ ଅଧିକାରୀମାନେ ଛାନ୍‌ଭିନ ଚଳାଇଛନ୍ତି। ଭୁବନେଶ୍ବର ବିମାନବନ୍ଦରରୁ ଚୋରା ସୁନା ଜବତ ହେବା ଚଳିତବର୍ଷର ପ୍ରଥମ ଘଟଣା।

ଆଜି ଗୁଇନ୍ଦା ସୂଚନା ଆଧାରରେ କଷ୍ଟମ୍‌ସ ଅଧିକାରୀମାନେ ବିମାନବନ୍ଦରରେ କଡ଼ାକଡ଼ି ଯାଞ୍ଚ କରିଥିଲେ। ଯାତ୍ରୀମାନଙ୍କୁ ପ୍ରୋଫାଇଲିଂ କରିବା ବେଳେ କଷ୍ଟମସ୍ ବିଭାଗର ଅଧିକାରୀମାନଙ୍କ ସନ୍ଦେହ ଚକ୍ଷୁରେ ଆସିଥିଲା ଏହି ସ୍ମଗଲର୍‌। ତା’ର ଅସ୍ବାଭାବିକ ଚାଲି ଏବଂ ପାଦ ଦୁଇଟିର ମୁଭ୍‌ମେଣ୍ଟ ହିଁ ଅଧିକାରୀମାନଙ୍କ ସନ୍ଦେହ ବଢ଼ାଇଥିଲା। କିନ୍ତୁ ତା’ର ପୋଷାକପତ୍ର ଯାଞ୍ଚ କଲାବେଳେ କୌଣସି ସୁରାକ ମିଳିନଥିଲା। ମଳଦ୍ବାର ଭିତରେ ଲୁଚାଇଥିବା ସୁନାକୁ ଠାବ କରିବା ଅଧିକାରୀମାନଙ୍କ ପାଇଁ ମୁସ୍କିଲ ହୋଇପଡ଼ିଥିଲା। ମାତ୍ର ଚକ୍‌ମା ଦେବା ଲାଗି ଧୂର୍ତ୍ତର ଏହି ଅଭିନବ ଉପାୟକୁ ଅଧିକାରୀମାନେ ପଣ୍ଡ କରିଦେଇଥିଲେ। ସେମାନେ ତାକୁ ପାଇଖାନାକୁ ନେଇ ଲାକ୍ସା ଟିଭ୍‌ସ ନାମକ ଏକ ବଟିକା ଖାଇବାକୁ ଦେଇଥିଲେ। ବଟିକା ଖାଇବା ମାତ୍ରେ ଚାଲାଣକାରୀ ଆଉ ସମ୍ଭାଳିପାରିନଥିଲା। ତା’ ମଳଦ୍ବାରୁ ବାହାରି ଆସିଥିଲା ବିଶାଳ କ୍ୟାପ୍‌ସୁଲ୍‌। ପରେ ଏହି କ୍ୟାପ୍‌ସୁଲ୍‌ରୁ ମିଳିଥିଲା କେଜିଏ ଗୁଣ୍ଡ ସୁନା। ଏହାପରେ ସେ ସୁନା ସ୍ମଗ୍‌ଲିଂ କରୁଥିବା ମାନିଯାଇଥିଲା। ଏହାପ‌ରେ ଚାଲାଣକାରୀର ଟ୍ରାଭେଲ୍‌ ରେକର୍ଡ ଟ୍ରାକ୍‌ କରାଯାଇଥିଲା। ଏହି ତଥ୍ୟ ଅନୁସାରେ ସେ ବହୁଥର ବ୍ୟାଙ୍କକ୍‌ ଯାଇଛି ବୋଲି ଜଣାପଡ଼ିଛି। ତେଣୁ ପ୍ରତିଥର ସେ ଏଭଳି ଅଭିନବ ଉପାୟରେ ବିପୁଳ ଚୋରା ସୁନା ଚାଲାଣ କରିଥିବା ଅନୁମାନ କରାଯାଉଛି। ତେଣୁ ତାକୁ କଷ୍ଟମସ୍‌ ବିଭାଗର ସ୍ବତନ୍ତ୍ର ଟିମ୍‌ ପଚରାଉଚରା କରୁଛି। ସେ ପ୍ରକୃତରେ ଚୋରା ସୁନା ମୁମ୍ବାଇ ଚାଲାଣ କରୁଥିଲା କି ଭୁବନେଶ୍ବର ଆଣିଥିଲା, ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ସୂଚନାଯୋଗ୍ୟ ଯେ କୋଭିଡ୍‌ ପୂର୍ବରୁ ଭୁବନେଶ୍ବର ବିମାନବନ୍ଦରରୁ ବହୁଥର ଚୋରା ସୁନା ଚାଲାଣ ଧରାପଡ଼ିଥିଲା। କିନ୍ତୁ କୋଭିଡ୍‌ ପରେ ଅର୍ଥାତ୍ ୨୦୨୩ ମେ’ ପରଠାରୁ ପ୍ରାୟ ବର୍ଷେ ପର୍ଯ୍ୟନ୍ତ ଏମିତି କୌଣସି ମାମଲା ନଜରକୁ ଆସିଲା ନାହିଁ। ତେଣୁ କଷ୍ଟମସ୍‌ ବିଭାଗ ଚିନ୍ତାରେ ପଡ଼ିଥିଲା। ଚୋରା ସୁନା ଚାଲାଣ ଅନ୍ୟ ଗଳାବାଟରେ ହେଉଛି ବୋଲି ମନେକରାଯାଉଥିଲା। କିନ୍ତୁ ଆଜିର ଘଟଣା କଷ୍ଟମସ୍ ଅଧିକାରୀମାନଙ୍କୁ ପୁଣି ଏକ ସଫଳତା ଆଣିଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe