Education Bytes
କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଚଳିତ ମାସ ୨୩ତାରିଖରୁ ଆରମ୍ଭ ହୋଇଥିବା ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା(ମାଟ୍ରିକ୍), ମଧ୍ୟମା(ସଂସ୍କୃତ ଟୋଲ୍) ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ (ଓପନ୍ ସ୍କୁଲ)ର ପ୍ରଥମ ସମ୍ମେଟିଭ୍ ଆସେସ୍ମେଣ୍ଟ(ଏସ୍ଏ-୧) ବୁଧବାର ଶେଷ ହୋଇଛି। ଡିସେମ୍ବର ୯ତାରିଖରୁ ମୂଲ୍ୟାୟନ ଆରମ୍ଭ ହେବ। ପ୍ରତିଦିନ ସକାଳ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମୂଲ୍ୟାୟନ ଚାଲିବ। ମୂଲ୍ୟାୟନ କାର୍ଯ୍ୟ ୧୦ ଦିନ ମଧ୍ୟରେ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ବୋଲି ବୋର୍ଡ ଉପସଭାପତି ଡ. ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ମୂଲ୍ୟାୟନ ପରେ ଏସ୍ଏ-୧ ଫଳାଫଳ ବୋର୍ଡ ୱେବ୍ସାଇଟ୍ରେ ପ୍ରକାଶ କରାଯିବ ଓ ପିଲାଙ୍କୁ ଏକ ମାର୍କସିଟ୍ ମିଳିବ ବୋଲି ଡ. ମହାନ୍ତି କହିଛନ୍ତି।
ଡ. ମହାନ୍ତିଙ୍କ ସୂଚନା ଅନୁସାରେ, ଏସ୍ଏ-୧ ପରୀକ୍ଷାରେ ଅସଦ୍ ଉପାୟ ଅବଲମ୍ବନ କରି ମୋଟ ୧୯୪ଜଣ ଛାତ୍ରଛାତ୍ରୀ ମାଲ୍ପ୍ରାକ୍ଟିସ୍(ଏମ୍ପି) ହୋଇଛନ୍ତି। ଏଥିରୁ ୧୭୧ଜଣ ସ୍ପେସାଲ୍ ସ୍କ୍ବାଡ୍ ଦ୍ବାରା ଧରାହୋଇଥିବା ବେଳେ ୨୩ଜଣ ବୋର୍ଡ ଫ୍ଲାଇଂ ସ୍କ୍ବାଡ୍ ଦ୍ବାରା ବୁକ୍ ହୋଇଥିବା ସୂଚନା ମିଳିଛି। ମାଟ୍ରିକ୍, ମଧ୍ୟମା ଓ ଓପନ୍ ସ୍କୁଲ ଏସ୍ଏ-୧ ଖାତା ମୂଲ୍ୟାୟନ ଡିସେମ୍ବର ୯ତାରିଖରୁ ଆରମ୍ଭ ହେବ। ମୂଲ୍ୟାୟନ ପାଇଁ ମୋଟ ୫୬ଟି କେନ୍ଦ୍ର ଚୟନ ହୋଇଥିବା ବେଳେ ମାଟ୍ରିକ୍ ପାଇଁ ୫୨ଟି, ମଧ୍ୟମା ଓ ଓପନ୍ ସ୍କୁଲ ପାଇଁ ୨ଟି ଲେଖାଏ ମୂଲ୍ୟାୟନ କେନ୍ଦ୍ର ରହିଛି। ମୂଲ୍ୟାୟନ ପାଇଁ ମୋଟ ୧୨ହଜାର ୪୫୦ଜଣ ପରୀକ୍ଷକ ନିଯୁକ୍ତି ହୋଇଛନ୍ତି। ପରୀକ୍ଷକମାନେ ଡିସେମ୍ବର ୮ତାରିଖ ଦିନ ମୂଲ୍ୟାୟନ କେନ୍ଦ୍ରରେ ଯୋଗଦେବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ରହିଛି। ୮ତାରିଖରେ ପରୀକ୍ଷକଙ୍କ ଯୋଗଦାନକୁ ଦେଖିବା ପରେ ଆବଶ୍ୟକ ପଡ଼ିଲେ, ଜିଲ୍ଲାଶିକ୍ଷାଧିକାରୀ ଆବଶ୍ୟକ ସଂଖ୍ୟକ ପରୀକ୍ଷକଙ୍କୁ ନିଯୁକ୍ତି ଦେଇପାରିବେ ବୋଲି ସେ କହିଛନ୍ତି।
Follow Us