ଦୋକାନ ସମ୍ମୁଖରୁ ବ୍ୟାଗ୍‌ ଝାମ୍ପିନେଲେ ଦୁର୍ବୃତ୍ତ: ଅଢ଼େଇ କିଲୋ ସୁନା ଓ ୨ଲକ୍ଷ ନଗଦ ଲୁଟ୍‌

ଭଗାମୁଣ୍ଡାର ୪ ଦୋକାନରୁ ଚୋରି

ସାଂକେତିକ ଫଟୋ

ଗୁଣପୁର: କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ଗହଣା ଲୁଟିଲେ ପଲସର ଲୁଟେରା। ଏଥର ଲୁଟେରାଙ୍କ ଶିକାର ହୋଇଛନ୍ତି ଜଣେ ସୁନା ଦୋକାନ ମାଲିକ। ଆଖି ପିଛୁଳାକେ ଅଢ଼େଇ କିଲୋ ସୁନା ସହ ନଗଦ ଥିବା ‌ବ୍ୟାଗ୍‌ ଧରି ଅଦୃଶ୍ୟ ହୋଇଗଲେ। ଏହି ଘଟଣା ରାୟଗଡ଼ା ଜିଲ୍ଲା ଗୁଣପୁର ସହରରେ ଆଲୋଡ଼ନ ଖେଳାଇ ଦେଇଛି।

ସୂଚନା ଅନୁଯାୟୀ, ଆଜି ସକାଳେ ସ୍ଥାନୀୟ କନ୍ୟାକା ପରମେଶ୍ବରୀ ମନ୍ଦିର ସମ୍ମୁଖରେ ଥିବା ଏସ୍‌ଏସ୍‌ ଜ୍ବାଲେରି ମାଲିକ ଏସ୍‌. ବାବା ପ୍ରସାଦ ସୁନା ଗହଣା ଏବଂ ନଗଦ ଟଙ୍କା ନେଇ ଘରୁ ବାହାରିଥିଲେ। ସକାଳ ପ୍ରାୟ ସାଢ଼େ ୯ଟାରେ ଦୋକାନରେ ପହଞ୍ଚି ଖୋଲିବାକୁ ପ୍ରସ୍ତୁତ ହେଉଥିବା ବେଳେ ଗୋଟିଏ ପଲସର ବାଇକ୍‌ ଦୋକାନ ପାଖରେ ପହଞ୍ଚିଥିଲା। ଟୋପି ଏବଂ ମାସ୍କ ପିନ୍ଧା ଜଣେ ଦୁର୍ବୃତ୍ତ ବାଇକରୁ ଓହ୍ଲାଇ ଆସି ବାବାପ୍ରସାଦଙ୍କ ସ୍କୁଟିରେ ରହିଥିବା ବ୍ୟାଗ୍‌କୁ ଭିଡ଼ିଆଣି ପୁଣି ବାଇକ୍‌ରେ ବସି ଯାଇଥିଲା।

ଏହାପରେ ଦ୍ରୁତଗତିରେ ବାଇକ୍‌ ସେଠାରୁ ଚାଲିଯାଇଥିଲା। ଦୋକାନ ମାଲିକ କ’ଣ ହେଲା ବୁଝିବାବେଳକୁ ଲୁଟେରାଙ୍କ ଶିକାର ହୋଇସାରିଥିଲେ। ଲୁଟ୍‌ ସମୟର ପୂରା ଦୃଶ୍ୟ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଅଭିଯୋଗ ପାଇବା ପରେ ଗୁଣପୁର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଦୋକାନ ମାଲିକଙ୍କ କହିବା ଅନୁସ‌ାରେ ବ୍ୟାଗ୍‌ରେ ଅଢ଼େଇ କିଲୋ ସୁନା ଅଳଙ୍କାର ସହ ନଗଦ ୨ଲକ୍ଷ ଟଙ୍କା ରହିଥିଲା। ମାମଲା ରୁଜୁ କରି ସହକାରୀ ଥାନା ଅଧିକାରୀ ଆଶ୍ରିତା ଖାଲକୋ ଘଟଣାର ତଦନ୍ତ ଜାରି ରଖିଛନ୍ତି।

ସିସିଟିଭି କ୍ୟାମେରା ଫୁଟେଜ୍‌ରୁ ଲୁଟେରା ଯେଉଁ ଭଳି ଆସୁଛନ୍ତି ଏବଂ ଲୁଟ୍‌ କରି ଚମ୍ପଟ ମାରୁଛନ୍ତି ସେଥିରୁ ସେମାନେ ବହୁ ଦିନ ହେଲା ପୂର୍ବ ପ୍ରସ୍ତୁତି କରିଥିବା ଅନୁମାନ କରାଯାଉଛି। ଏପରିକି ଦୋକାନ ମାଲିକ କେତେ ବେଳେ ଆସୁଛନ୍ତି ଏବଂ କେଉଁ ରାସ୍ତାରେ ଯାତାୟାତ କରୁଛନ୍ତି ତାହାର ବିବରଣୀ ବି ସେମାନଙ୍କ ନିକଟରେ ରହିଥିଲା। ତେଣୁ ଦୋକାନୀଙ୍କୁ ଆଜି ସକାଳେ ବି ପିଛା କରିଥିବା ଆଶଙ୍କା କରାଯାଉଛି। ତେବେ ଏହି ଘଟଣାରେ ଲୁଟେରା ସିଧାସଳଖ ପୁଲିସକୁ ଚ୍ୟାଲେଞ୍ଜ କରିଥିବା ନେଇ ସାଧାରଣରେ ମତ ପ୍ରକାଶ ପାଇଛି। ପୁଲିସ ନିୟମିତ ପାଟ୍ରୋଲିଂ କରୁ ନଥିବାରୁ ଦୁର୍ବୃତ୍ତ ଏହାର ସୁଯୋଗ ନେଇଥିବା କୁହାଯାଉଛି। ଏବେ ଦେଖିବାକୁ ବାକି ରହିଲା ଲୁଟେରାଙ୍କୁ ଧରିବା ପାଇଁ ପୁଲିସ କେଉଁ ଭଳି ପଦକ୍ଷେପ ନେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe