ସାଂକେତିକ ଫଟୋ
ଦେବଗଡ଼: ଦେବଗଡ଼ ଜିଲ୍ଲା ବାରକୋଟ ଥାନା ନିକଟରେ ଥିବା ବ୍ରାହ୍ମଣୀ ବ୍ରିଜ ଉପରେ ପିସ୍ତଲ ଓ ଭୁଜାଲି ଦେଖାଇ ଭୟଭୀତ କରି ଜଣେ ପେଟ୍ରୋଲ ପମ୍ପ କାର୍ମଚାରୀଙ୍କ ଠାରୁ ୨ ଲକ୍ଷ ୭୦ ହଜାର ଟଙ୍କା ଲୁଟ୍ ହୋଇଥିବା ବାରକୋଟ ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ବାରକୋଟ ଥାନା କଲା ସ୍ଥିତ ଶ୍ରୀୟା ପେଟ୍ରୋଲ ପମ୍ପର କର୍ମଚାରୀ ସୁଜିତ ପ୍ରଧାନ ପେଟ୍ରୋଲ ପମ୍ପରୁ ନଗଦ ୨ଲକ୍ଷ ୭୦ ହଜାର ଟଙ୍କା ଏକ ବାଇକ ଡିକିରେ ଧରି ବାରକୋଟ ଏସ୍ବିଆଇ ଶାଖାକୁ ଯାଉଥିଲେ।
ସେ ବାରକୋଟରେ ପହଞ୍ଚିବା ପୂର୍ବରୁ ୩ ଜଣ ଦୁର୍ବୃତ୍ତ ଏକ ପଲସର ବାଇକ ଯୋଗେ ପିଛା କରି ଥାନାର ଅନତି ଦୂରେ ଥିବା ବ୍ରାହ୍ମଣୀ ବ୍ରିଜ ଉପରେ ତାଙ୍କୁ ଅଟକାଇଥିଲେ। ଫଳରେ ଭାରସାମ୍ୟ ହରାଇ ସୁଜିତ ପଡିଯିବାରୁ ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡରେ ପିସ୍ତଲ ଲଗାଇ ଭୟଭୀତ କରିବା ସହ ତାଙ୍କ ବାମ ହାତକୁ ଭୁଜାଲିରେ ଆକ୍ରମଣ କରିଥିଲେ। ଏଥିସହ ବାଇକ ଡିକିରେ ଥିବା ଉକ୍ତ ୨ଲକ୍ଷ ୭୦ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ। ଏନେଇ ପେଟ୍ରୋଲ ପମ୍ପ କର୍ମଚାରୀ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ବର୍ତ୍ତମାନ ସୁଦ୍ଧା ପୁଲିସ ଉକ୍ତ ଘଟଣାରେ କାହାରିକୁ ଗିରଫ କରି ନଥିବା ଜଣାପଡ଼ିଛି।
Follow Us