କଟକ/ମାହାଙ୍ଗା : ପୋଖରୀରେ ଦଳ ଭର୍ତ୍ତି। ପୋଖରୀ ଖୋଳା ହେବା ତ ଦୂରର କଥା, ଦଳ ସଫା ବି ହୋଇନି। କିନ୍ତୁ ଏ ବାବଦରେ ବିଲ୍ କରି ଉଠାଇ ନିଆଯାଇଛି ୨ ଲକ୍ଷ ୭୫ ହଜାର ଟଙ୍କା। ଏଥିପାଇଁ ସୃଷ୍ଟି ହୋଇଛି ୧୩୨୯ଟି ଶ୍ରମ ଦିବସ। ଏବଂ ଏଥିରେ ୨୨୨ଜଣ ଜବ୍ କାର୍ଡ ଧାରୀ କାମ କରିଥିବା ଦର୍ଶାଯାଇଛି।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେ ଯେଉଁ ଗାଁର ପୋଖରୀ ସେହି ଗାଁର ଲୋକ କାମ କରି ନାହାନ୍ତି। ପାଖ ଗାଁର ଲୋକ କାମ କରିଥିବା ନେଇ ଜାଲ ମଷ୍ଟର ରୋଲ ପ୍ରସ୍ତୁତ କରାଯାଇଛି। ମହତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ମାହାଙ୍ଗା ବ୍ଳକ୍ ପୋଡ଼ାମରାଇ ପଞ୍ଚାୟତର ସିନ୍ଧୁପୁର ଗ୍ରାମରେ ଥିବା ଧୋବା ପୋଖରୀ କାର୍ଯ୍ୟରେ ଏଭଳି ଚଂଚକତା ଧରାପଡିବା ପରେ ତରବରିଆ ଭାବେ ଦୋଷ ଛଡ଼ାଇବା ପାଇଁ ବ୍ଲକ୍ ପ୍ରଶାସନ ପକ୍ଷରୁ ସଂପୃକ୍ତ ପଞ୍ଚାୟତର ଗ୍ରାମ ରୋଜଗାର ସେବକ (ଜିଆରଏସ୍) ଉଲ୍ଲାସ ପ୍ରଧାନଙ୍କ ନାମରେ ମାହାଙ୍ଗା ଥାନାରେ ବିଡିଓ ନିହାର ରଞ୍ଜନ ମଲ୍ଲିକ ଏତଲା ଦେଇଛନ୍ତି। ପୁଲିସ ସଂପୃକ୍ତ ଜିଆରଏସ୍ ଉଲ୍ଲାସ ପ୍ରଧାନଙ୍କୁ ଅଟକ ରଖି ତଦନ୍ତ କରୁଛି। ବିଡିଓଙ୍କ ସମେତ କନିଷ୍ଠ ଯନ୍ତ୍ରୀ ସୁବାସ ଜେନା, ତତ୍କାଳୀନ ପିଇଓ ମହମ୍ମଦ ହୁସେନ୍ଙ୍କୁ ମଧ୍ୟ ପୁଲିସ ଜେରା କରିଛି।
ଅନ୍ୟପଟେ କିନ୍ତୁ ଏହି ଘଟଣାକୁ ଜିଆରଏସ୍ଙ୍କ ବଡଭାଇ ବିକାଶ ପ୍ରଧାନ ଏକ ଚକ୍ରାନ୍ତ ବୋଲି କହିଛନ୍ତି।
Follow Us