ଝାରସୁଗୁଡ଼ା : ଦୁବାଇରୁ ଭାୟା ମୁମ୍ବାଇ ଦେଇ ଝାରସୁଗୁଡା ଜିଲ୍ଲାରେ ଚାଲିଥିଲା ଆଇପିଏଲ ବେଟିଂ। ବେଆଇନ ଭାବରେ ଚାଲିଥିବା ଏହି ବେଟିଂ ବିଷୟରେ ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଝାରସୁଗୁଡ଼ା ଟାଉନ୍ ଥାନା ପୁଲିସ ବୁଧବାର ଗୋଶାଳା ରୋଡ୍ ରେଳ ଫାଟକ ନିକଟସ୍ଥ ହରିଶ ସାହୁଙ୍କ ଘର ପରିସରରେ ବେଟିଂ ଚାଲିଥିବା ବେଳେ ଚଢ଼ଉ କରିଥିଲା। ଏଥିରେ ସଂପୃକ୍ତ ଥିବା ଦୁଇ ଜଣଙ୍କୁ ପୁଲିସ ଗିରଫ କରିଛି। ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଟାଟା ଗଳି ଅଂଚଳର ମହମ୍ମଦ ଅକିଲ ଖାନ ଏବଂ ମାଲିପଡାର ହରିଶ ସାହୁ ବୋଲି ଏସ୍ପି ବିକାଶ ଚନ୍ଦ୍ର ଦାଶ ସୂଚନା ଦେଇଛନ୍ତି।
ପୁଲିସ ଅକିଲ ଖାନ ପାଖରୁ ୩ ଲକ୍ଷ ୮୦ ହଜାର ଟଙ୍କା ଓ ବିଭିନ୍ନ ତାରିଖରେ ବିଭିନ୍ନ ନମ୍ବରରୁ ବୁକିଂ ଖାତା ଏବଂ ହରିଶଠାରୁ ୩ ଲକ୍ଷ ଟଙ୍କା ଓ ବେଟିଂ କାଗଜପତ୍ର ଜବତ କରିଛି। ଉଭୟଙ୍କ ପାଖରେ ଥିବା ଏକାଧିକ ମୋବାଇଲକୁ ମଧ୍ୟ ପୁଲିସ ଜବତ କରି ତଦନ୍ତ କରୁଛି। ଏହି ବେଟିଂ କାରବାର ବିଭିନ୍ନ ୱେବ୍ ସାଇଟ୍ ମାଧ୍ୟମରେ କରାଯାଉଥିବାବେଳେ ବିଭିନ୍ନ ସ୍ତର ଦେଇ ଏହାକୁ ପରିଚାଳନା କରାଯାଉଥିଲା। ସେଲର ପ୍ରଲୋଭନ ଦେଖାଇ ଜନସାଧାରଣଙ୍କୁ ଅଧିକ ଟଙ୍କା ମିଳିବା ଆଶା ଦେଇ ଟଙ୍କା ଆଦାୟ କରାଯାଉଥିଲା। ଆଡମିନ୍, ଷ୍ଟକିଷ୍ଟ, ଡିଷ୍ଟ୍ରିବୁଟର୍ ଦେଇ ଟଙ୍କା କାରବାର ହେଉଥିଲା। ଗିରଫ ଉଭୟ ବ୍ୟକ୍ତି ପୂର୍ବରୁ ଝାରସୁଗୁଡ଼ା ଥାନାରେ ଅବକାରୀ ମାମଲାରେ ମଧ୍ୟ ଜଡ଼ିତ ଥିଲେ। ଏହି ବ୍ୟାଟିଂ ସହିତ ଜଡ଼ିତ ଅନ୍ୟମାନଙ୍କୁ ପୁଲିସ ଧରିବା ପାଇଁ ଉଦ୍ୟମ ଜାରି ରଖିଛି। ଆଇଆଇସି ସାବିତ୍ରୀ ବଳ ଏହାର ନେତୃତ୍ବରେ ନେଇଥିବା ଜଣାଯାଇଛି।
Follow Us