କରୋନା ଆଣିଦେଲା ଦୁଃଖର ପାହାଡ଼: ୩ ଭାଇଙ୍କ ମଧ୍ୟରୁ ଦୁଇ ଜଣଙ୍କ ପ୍ରାଣନେଲା ଘାତକ ମହାମାରୀ

Advertisment

ବାପା ଓ ସାନ ଭାଇ ହସ୍‌ପିଟାଲରୁ ଡିସ୍‌ଚାର୍ଯ ହୋଇ ଘରେ ପହଞ୍ଚିଲାବେଳକୁ ମିଳିଲା ମଝିଁଆ ଭାଇଙ୍କ ମୃତ୍ୟୁ ଖବର  

ବାପା ଓ ସାନ ଭାଇ ହସ୍‌ପିଟାଲରୁ ଡିସ୍‌ଚାର୍ଯ ହୋଇ ଘରେ ପହଞ୍ଚିଲାବେଳକୁ ମିଳିଲା ମଝିଁଆ ଭାଇଙ୍କ ମୃତ୍ୟୁ ଖବର  

କରୋନା ଆଣିଦେଲା ଦୁଃଖର ପାହାଡ଼: ୩ ଭାଇଙ୍କ ମଧ୍ୟରୁ ଦୁଇ ଜଣଙ୍କ ପ୍ରାଣନେଲା ଘାତକ ମହାମାରୀ

ବାରିପଦା: ହସିଲା ପୁରିଲା ସଂସାର ଉପରେ ଭାଙ୍ଗିପଡ଼ିଛି ଦୁଃଖର ପାହାଡ଼। ମାତ୍ର କିଛି ଦିନ ବ୍ୟବଧାନରେ ଡକାଡକି ହୋଇ ଆରପାରିକୁ ଚାଲଗଲେ ଦୁଇ ଭାଇ। କରୋନା ହିଁ ଆଣିଦେଇଛି ଏମିତି କରୁଣ କାହାଣୀ। ବାରିପଦା ପୌରପରିଷଦ ଅନ୍ତର୍ଗତ ବାଘରାରୋଡ଼ ନିବାସୀ ଗୌରଚନ୍ଦ୍ର ପାଣି(୮୫) ନିଜର ତିନି ପୁଅ ବୋହୁ ଏବଂ ନାତି ନାତୁଣୀଙ୍କୁ ନେଇ ଏକ ସୁଖର ସଂସାର ଅତିବାହିତ କରୁଥିଲେ। ମାତ୍ର ସତେ ଯେପରି କରୋନା ରୂପକ ମହାମାରୀ ତାଙ୍କ ପରିବାର ଉପରେ କାଳ ଭଳି ମାଡ଼ି ଆସିଲା। ପ୍ରଥମେ ତାଙ୍କ ବଡ଼ ପୁଅ ତପନ ପାଣିଙ୍କୁ ଗତମାସ ଶେଷ ଭାଗରେ କରୋନାଜନିତ ଲକ୍ଷଣ ପ୍ରକାଶ ପାଇଥିଲା। ଅସୁସ୍ଥ ଅନୁଭବ କରି ଚିକିତ୍ସା ନିମନ୍ତେ ଭୁବନେଶ୍ବର ଯାଇଥିଲେ ମଧ୍ୟ ଅତ୍ୟନ୍ତ ବିକଳ ଅବସ୍ଥାରେ ଗତମାସ ୨୮ ତାରିଖରେ ମୃତ୍ୟୁ ଘଟିଥିଲା। ପରବର୍ତ୍ତୀ ସମୟରେ ତପନ କରୋନାରେ ପ୍ରାଣ ହରାଇଥିବା ଜଣାପଡ଼ିଥିଲା। ପରେ ପରେ ମଝିଆଁ ପୁଅ ଦେବାଶିଷଙ୍କ ନିକଟରେ ମଧ୍ୟ କରୋନା ଲକ୍ଷଣ ପ୍ରକାଶ ପାଇଥିଲା।

ବାରିପଦାରେ ଆର୍‌ଟି-ପିସିଆର ପରୀକ୍ଷା କରାଇଥିଲେ ସୁଦ୍ଧା ନେଗେଟିଭ୍‌ ରିପୋର୍ଟ ଆସିଥିଲା। ତଥାପି ନିଶ୍ବାସ ନେବାରେ ଅସୁବିଧା ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ବରସ୍ଥିତ ଏମ୍‌ସ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଚିକିତ୍ସାଧୀନ ଥିବାବେଳେ ହଠାତ୍‌ ତାଙ୍କ ଅବସ୍ଥାରେ ଦ୍ରୁତ ଅବନତି ଦେଖାଯାଇଥିଲା। ଭେଣ୍ଟିଲେଟରରେ ଥିବାବେଳେ ଗତକାଲି ତାଙ୍କର ମୃତ୍ୟୁ ଘଟିଛି। ତେବେ ଦୁଃଖର କଥା ଏହାଯେ ଏମଧ୍ୟରେ ନିଜେ ଗୌରଚନ୍ଦ୍ର ଏବଂ ତାଙ୍କ ସବା ସାନ ପୁଅ ଦେବବ୍ରତ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଏମ୍‌ସରେ ଚିକିତ୍ସାଧୀନ ଥିଲେ। ଏପରିକି ଗୌରଚନ୍ଦ୍ରଙ୍କ ଅବସ୍ଥା ମଧ୍ୟ ଗୁରୁତର ହୋଇପଡ଼ିଥିଲା। ମାତ୍ର ସେ ଏବଂ ତାଙ୍କ ସାନପୁଅ ଦେବବ୍ରତ କରୋନାରୁ ସୁସ୍ଥ ହୋଇ ଗତକାଲି ଘରକୁ ଫେରିଥିଲେ। ମାତ୍ର ରାତିରେ ଘରେ ପହଞ୍ଚିଲାବେ‌ଳକୁ ମିଳିଥିଲା ମଝିଆଁ ପୁଅ ଦେବାଶିଷଙ୍କ ମୃତ୍ୟୁ ଖବର। ଯାହାକି ସମସ୍ତଙ୍କୁ ବିଚଳିତ କରିଦେଇଛି। ମାତ୍ର କିଛି ଦିନ ମଧ୍ୟରେ ଦୁଇ ଦୁଇଟି ପୁଅଙ୍କୁ ହରାଇ ସ୍ତବ୍ଧ ହୋଇପଡ଼ିଛି ସମ୍ପୂର୍ଣ୍ଣ ପାଣି ପରିବାର। ଜଣଙ୍କ ପରେ ଜଣେ ତିନି ପୁଅଙ୍କ ସମେତ ପିତା କରୋନାରେ ଆକ୍ରାନ୍ତ ହେବା ଏବଂ ଦୁଇ ପୁଅ ପ୍ରାଣ ହରାଇବା ପୁରା ବାରିପଦାରେ ଦୁଃଖର ବାତାବରଣ ଖେଳାଇଦେଇଛି। ହସଖୁସିର ଏହିପରି ଅନେକ ସଂସାରକୁ କରୋନା କାଳବୈଶାଖୀ ସାଜି ଉଜାଡ଼ି ଦେଉଛି। ମୟୂରଭଞ୍ଜରେ ଆଜିସୁଦ୍ଧା ସରକାରୀ ଭାବେ କରୋନାରେ ୪୭ଜଣଙ୍କର ମୃତ୍ୟୁ ହୋଇସାରିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe