ବନ୍ଧୁକ ଦେଖାଇ ଲୁଟିନେଲେ ୨ କୋଟି ଟଙ୍କାର ସିଗାରେଟ୍‌

Advertisment
ବନ୍ଧୁକ ଦେଖାଇ ଲୁଟିନେଲେ ୨ କୋଟି ଟଙ୍କାର ସିଗାରେଟ୍‌

ଟାଙ୍ଗୀ: ସୋମବାର ବିଳମ୍ବିତ ରାତିରେ ବନ୍ଧୁକ ଦେଖାଇ କେତେକ ଦୁର୍ବୃତ୍ତ ୧୬ ନମ୍ବର ଜାତୀୟ ରାଜପଥର ଟାଙ୍ଗୀ ଥାନା ଅଞ୍ଚଳରୁ ଏକ ସିଗାରେଟ ବୋଝେଇ ଏକ ଟ୍ରକ୍‌କୁ ଅପହରଣ କରିନେବା ପରେ ଏଥିରେ ଥିବା ପ୍ରାୟ ୨ କୋଟଇ ଟଙ୍କା ମୂଲ୍ୟର ସିଗାରେଟ୍‌ ଲୁଟି ନେଇଛନ୍ତି। ପୁଲିସ ଅପହୃତ ଟ୍ରକ୍‌ଟିକୁ ଜବତ କରିଥିଲେ ମଧ୍ୟ ଲୁଟ୍ ସିଗାରେଟ୍‌ ଓ ଲୁଟେରାଙ୍କ ସମ୍ପର୍କରେ କୌଣସି ସୂଚନା ପାଇ ପାରିନାହିଁ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚାର୍ମସ୍‌ ସିଗାରେଟ ବୋଝେଇ କରି ଟ୍ରକ୍‌ଟି ହାଇଦ୍ରାବାଦରୁ କୋଲକାତା ଯାଉଥିଲା। ୧୬ ନମ୍ବର ଜାତୀୟ ରାଜପଥର ଟାଙ୍ଗୀ ଥାନା ଅନ୍ତର୍ଗତ ଉଗ୍ରତାରା ଛକ ନିକଟରେ କେତେକ ଦୁର୍ବୃତ୍ତ ଏହି ଟ୍ରକ୍‌ର ଡ଼୍ରାଇଭରଙ୍କୁ ବନ୍ଧୁକ ଦ୍ବାରା ଭୟଭୀତ କରି ବାନ୍ଧି ପକାଇବା ସହିତ ସିଗାରେଟ୍‌ ବୋଝେଇ ଟ୍ରକ୍‌ଟିକୁ ନିଜ ନିୟନ୍ତ୍ରଣକୁ ନେଇଯାଇଥିଲେ। ପରେ ଡ୍ରାଇଭରଙ୍କ ହାତଗୋଡ଼ ବାନ୍ଧି ଉଗ୍ରତାରା ଜଙ୍ଗଲରେ ଫିଙ୍ଗିଦେଇ ଟ୍ରକ୍‌ଟିକୁ ଅପହରଣ କରି ନେଇଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ଆଜି ସକାଳେ ଡ୍ରାଇଭର ରିକୁ ଯାଦବ ଉଦ୍ଧାର ହେବାପରେ ଏ ନେଇ ଟାଙ୍ଗୀ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ଟାଙ୍ଗୀ ପୁଲିସ ଏକ ମୋକଦମା ରୁଜୁକରି ତଦନ୍ତ ଚଳାଇଛି। ଟ୍ରକ୍‌ରେ ଜିପିଏସ୍‌ ଲାଗିଥିବାରୁ ଏହାକୁ ଜୟମଙ୍ଗଳପୁର ନିକଟରୁ ଉଦ୍ଧାର କରାଯାଇଛି। ମାତ୍ର ଦୁର୍ବୃତ୍ତମାନେ ଏଥିରେ ଥିବା ସମସ୍ତ ସିଗାରେଟ୍‌କୁ ଲୁଟି ନେଇଛନ୍ତି। ଟ୍ରକ୍‌ରେ ପ୍ରାୟ ୨ କୋଟଇ ଟଙ୍କା ମୂଲ୍ୟର ସିଗାରେଟ୍‌ ଥିବା ବୋଲି କମ୍ପାନିର ଓଡ଼ିଶା ମୁଖ୍ୟ ସୁଦୀପ୍ କଶେର ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe