ଝାଡ଼ୁଦାର ଚାକିରି ନାମରେ ୨ କୋଟିର କେଳେଙ୍କାରୀ: ଆଉ ୧୮ ଅଟକ, ୧୩ ଲକ୍ଷ ଟଙ୍କା ଜବତ

ମିଛ ଝାଡ଼ୁଦାର ଚାକିରି ନାମରେ ୨ କୋଟି ଟଙ୍କାର ଠକେଇ କେଳେଙ୍କାରୀରେ ୫ ମହିଳାଙ୍କ ସମେତ ୧୮ ଜଣଙ୍କୁ ଅଟକ ରଖିଛି ସମ୍ବଲପୁର ପୁଲିସ। ଏମାନଙ୍କ ମଧ୍ୟରୁ ଚାରପାଲିର ଭାଗ୍ୟଶ୍ରୀ ମହାନନ୍ଦଙ୍କ ପାଖରୁ ୧୩ ଲକ୍ଷ ଟଙ୍କା ଜବତ ହୋଇଥିବା....

fhfshxvbb

ସମ୍ବଲପୁର/ଭେଡେନ: ମିଛ ଝାଡ଼ୁଦାର ଚାକିରି ନାମରେ ୨ କୋଟି ଟଙ୍କାର ଠକେଇ କେଳେଙ୍କାରୀରେ ୫ ମହିଳାଙ୍କ ସମେତ ୧୮ ଜଣଙ୍କୁ ଅଟକ ରଖିଛି ସମ୍ବଲପୁର ପୁଲିସ। ଏମାନଙ୍କ ମଧ୍ୟରୁ ଚାରପାଲିର ଭାଗ୍ୟଶ୍ରୀ ମହାନନ୍ଦଙ୍କ ପାଖରୁ ୧୩ ଲକ୍ଷ ଟଙ୍କା ଜବତ ହୋଇଥିବା ସୂଚନା ଦେଇଛନ୍ତି ସମ୍ବଲପୁର ଏସ୍‌ପି ମୁକେଶ ଭାମୁ। ଏହାପୂର୍ବରୁ ସମ୍ବଲପୁର ପୁଲିସ କେଳେଙ୍କାରୀର ମୁଖ୍ୟ କାର୍ପଟଦାର ବଡ଼ବଜାରର ରାହୁଲ ଓରଫ୍‌ ସମ୍ରାଟ ରାୟ (୩୨) ଏବଂ ସାତୁପାଲିର ପଦ୍ମାବତୀ ତାଣ୍ଡି (୩୪)ଙ୍କୁ ଗିରଫ କରିଥିଲାବେଳେ ବରଗଡ଼ ପୁଲିସ ୧୩ ଜଣଙ୍କୁ ଗିରଫ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି କେଳେଙ୍କାରୀରେ ଗିରଫ ଏବଂ ଅଟକଙ୍କ ସଂଖ୍ୟା ୩୩କୁ ବୃଦ୍ଧି ପାଇଛି। ଜବତ ଅର୍ଥର ପରିମାଣ ୭୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ଏହି ଅର୍ଥ ଅଦାଲତରେ ଜମା କରାଯିବ ଏବଂ ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ଲୋକଙ୍କୁ ଫେରାଯିବ ବୋଲି ଏସ୍‌ପି କହିଛନ୍ତି। 

ଅଟକ ଥିବା ୧୮ ଅଭିଯୁକ୍ତ ହେଲେ କୁଦୋପାଲିର ରାହୁଲ ବାଗ, କର୍ଡୋଲାର ପଞ୍ଚାନନ ଲୁହା, ମାରଙ୍ଗଗୁଲାର ମୁରଲି ତାଣ୍ଡିଆ, କଡ଼ାପାଲିର କୁଞ୍ଜବନ ମହାନନ୍ଦ, କଡ଼ତାବଡ଼ାର ହଳଧର ସାହୁ, କର୍ଡୋଲାର ଡିଲେଶ୍ବର ରଣବିଡ଼ା, ମାରଙ୍ଗଗୁଲାର ସୁଶୀଲ ବାଗ, ଚିପିଲିମାର ବେଣୁଧର ଲୁହା, ଚିପିଲିମାର ସନୋଜ ବାଗ, ଧନୁପାଲିର ରାଜକିଶୋର ବାଦି, ଜୟଘଣ୍ଟର ନନ୍ଦକିଶୋର ବାଦି, ଦେଓଗାଁର ଯଶୋବନ୍ତ ଲୁହା, ଗୋଲାବନ୍ଧର ବାନା ବାଦି, ଚାରପାଲିର ଭାଗ୍ୟଶ୍ରୀ ମହାନନ୍ଦ, ନକ୍ସାପାଲିର ଯମ୍ବୋବନ୍ତୀ ବାଗ, ଧନୁପାଲିର ଦୀପ୍ତିରାଣୀ ବାଦି, ଲିପି ବାଦି ଏବଂ ମାଳିପଡ଼ାର ସଞ୍ଜୁ ସୁନା। ସେମାନଙ୍କଠାରୁ ୮ଟି ମୋବାଇଲ ଫୋନ୍, ଆଧାର କାର୍ଡ, ବ୍ୟାଙ୍କ ପାସବୁକ୍‌ ଆଦି ଜବତ କରାଯାଇଛି। 

ସମ୍ବଲପୁର ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି କହିଛନ୍ତି, ଆଜି ଅଟକ ହୋଇଥିବା ଏହି ଅଭିଯୁକ୍ତମାନେ ନକଲି ସଂସ୍ଥା ଆର୍‌ମେକ୍ସ ଇଣ୍ଟରନ୍ୟାସନାଲ ପ୍ରାଇଭେଟ୍‌ ଲିମିଟେଡ୍‌ର ସୁପରଭାଇଜର ଭାବରେ କାମ କରୁଥିଲେ। ଏମାନେ ଜଣପିଛା ୫୦୦ରୁ ୧ ହଜାର ଟଙ୍କା କମିସନ ଲୋଭରେ ନିଜ ଅଞ୍ଚଳର ସାମାଜିକ ଏବଂ ଆର୍ଥିକ ଭାବରେ ଦୁର୍ବଳ ବର୍ଗର ଲୋକଙ୍କୁ ଠାବ କରି ସେମାନଙ୍କୁ ଚାକିରି ପ୍ରଲୋଭନ ଦେଖାଉଥିଲେ। ୧୨ ହଜାର ଟଙ୍କା ଆଦାୟ କରି ରାହୁଲ ଏବଂ ପଦ୍ମାଙ୍କୁ ଦେଉଥିଲେ। ପ୍ରତ୍ୟେକ ସୁପରଭାଇଜର ପ୍ରାୟ ଲକ୍ଷାଧିକ ଟଙ୍କା ଆଦାୟ କରୁଥିବା ନେଇ ବିଭିନ୍ନ ସମୟରେ ବୟାନରେ କହିଛନ୍ତି। ସୂଚନା ଅନୁଯାୟୀ, ଆଜି ଅଟକ ଥିବା ଅଧିକାଂଶ ସୁପରଭାଇଜର ମଧ୍ୟ ଗରିବ ପରିବାରର ଅଟନ୍ତି। ଚାକିରି ଆଶାରେ ସେମାନେ ରାହୁଲ ଜାଲରେ ଫସିଥିଲେ। ତେବେ ବିନା ଦସ୍ତାବିଜ୍‌ରେ ଏତେ ଟଙ୍କା ଆଦାୟ କରିଥିବାରୁ ସେମାନଙ୍କ ସଂପୃକ୍ତି ସ୍ପଷ୍ଟ ବୋଲି ପୁଲିସ କହିଛି।

ସେପଟେ ବରଗଡ଼ ଜିଲ୍ଲା ଭେଡେନ୍‌ ପୁଲିସ ଆଉ ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତଦ୍ବୟ ହେଲେ ଯୁଗୀପାଲିର ତରଣୀ ସୁରୁଜାଲ ଓ ଗର୍ଭଣା ଅଇଁଲାପାଲିର ତରଣୀ ମହାନନ୍ଦ। ଉଭୟ ଅଭିଯୁକ୍ତ ବିଭିନ୍ନ ଗ୍ରାମକୁ ଯାଇ ଝାଡୁଦାର ଚାକିରି ଆଳରେ ଲକ୍ଷାଧିକ ଟଙ୍କା ଆଣି ଲୋକଙ୍କୁ ଠକି ଆସୁଥିଲେ। ଏହି ଘଟଣାରେ ଭେଡେନ ପୁଲିସ ମୋଟ ୮ ଜଣଙ୍କୁ ଗିରଫ କରିସାରିଲାଣି। ଏହାଛଡ଼ା ବରଗଡ଼ ଜିଲ୍ଲାର ଅତାବିରା, ଭଟଲି ଆଦି ଥାନାରେ ମଧ୍ୟରେ ଏହି ମାମଲାରେ ଅଭିଯୁକ୍ତମାନେ ଗିରଫ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe