ନିଯୁକ୍ତି ଲୋଭ ଦେଖାଇ ୨ କୋଟି ଠକେଇ ଘଟଣା: ବିଡ଼ାନାସୀ ଥାନାରେ ରୁଜୁ ହେଲା ଆଉ ଦୁଇ ମାମଲା

Advertisment

ନିଯୁକ୍ତି ଲୋଭ ଦେଖାଇ ୨ କୋଟି ଟଙ୍କା ଠକେଇ ଘଟଣାରେ ବିଡ଼ାନାସୀ ଥାନା ପୁଲିସ ଆଉ ଦୁଇଟି ମାମଲା ରୁଜୁ କରିଛି। ବିଡ଼ାନାସୀ ସୁଭଦ୍ରାନଗରର ସମର୍ପିତା ଚୌଧୁରୀ ଓ ପୁଅ ଡାନିଏଲ୍ ରାଜ, ସହଯୋଗୀ ପ୍ରଭାତ...

ନିଯୁକ୍ତି ଲୋଭ ଦେଖାଇ ୨ କୋଟି ଟଙ୍କା ଠକେଇ ଘଟଣାରେ ବିଡ଼ାନାସୀ ଥାନା ପୁଲିସ ଆଉ ଦୁଇଟି ମାମଲା ରୁଜୁ କରିଛି। ବିଡ଼ାନାସୀ ସୁଭଦ୍ରାନଗରର ସମର୍ପିତା ଚୌଧୁରୀ ଓ ପୁଅ ଡାନିଏଲ୍ ରାଜ, ସହଯୋଗୀ ପ୍ରଭାତ...

୨୦୩୦ ସୁଦ୍ଧା ଦରକାର ୧୧.୫ କୋଟି ଚାକିରି

କଟକ: ନିଯୁକ୍ତି ଲୋଭ ଦେଖାଇ ୨ କୋଟି ଟଙ୍କା ଠକେଇ ଘଟଣାରେ ବିଡ଼ାନାସୀ ଥାନା ପୁଲିସ ଆଉ ଦୁଇଟି ମାମଲା ରୁଜୁ କରିଛି। ବିଡ଼ାନାସୀ ସୁଭଦ୍ରାନଗରର ସମର୍ପିତା ଚୌଧୁରୀ ଓ ପୁଅ ଡାନିଏଲ୍ ରାଜ, ସହଯୋଗୀ ପ୍ରଭାତ ସ୍ବାଇଁ ଓ ପ୍ରଦ୍ୟୁମ୍ନ ଦାସ ବିରୋଧରେ ଏହି ମାମଲା ରୁଜୁ ହୋଇଛି। ଏହି ଘଟଣାରେ ବିଡ଼ାନାସୀ ଥାନାରେ ବର୍ତ୍ତମାନ ସୁଦ୍ଧା ତିନୋଟି ମାମଲା ରୁଜୁ ହୋଇସାରିଲାଣି। ଡାନିଏଲ୍ ବୁଧବାର ଗିରଫ ହୋଇଥିବା ବେଳେ ଏହି ଗ୍ୟାଙ୍ଗ୍‌ର ଅନ୍ୟ ସମସ୍ତ ସହଯୋଗୀ ଫେରାର ହୋଇଯାଇଛନ୍ତି। 

ସୂଚନା ଅନୁଯାୟୀ, ଆଇଏଏସ ଅଫିସର ପରିଚୟ ଦେଉଥିବା ଭୁବନେଶ୍ବର ସାମନ୍ତରାପୁରର ଠକ ପ୍ରିୟଙ୍କା ପ୍ରିୟଦର୍ଶିନୀର କେଳେଙ୍କାରୀ ସାମନାକୁ ଆସିବା ପରେ ଏହି ଘଟଣାରେ ମାମଲା ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳର ଚିରଂଜୀବୀ ରାଉତଙ୍କ ଠାରୁ ଅଢ଼େଇ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଧାରରେ ପୁଲିସ ଏକ ଠକେଇ ମାମଲା(କେସ୍ ନଂ ୩୦୭) ରୁଜୁ କରିଛି। ତାଙ୍କୁ ଏହି ଠକ ଗ୍ୟାଙ୍ଗ ରେଳବାଇରେ ଚାକିରି ଦେବାକୁ କହିଥିଲା। 

ସେହିଭଳି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ନାଳଗଞ୍ଜର ଅମର ରଞ୍ଜନ ପାତ୍ରଙ୍କ ଠାରୁ ୪ ଲକ୍ଷ ୫୦ ହଜାର ଟଙ୍କା ଠକେଇ ହୋଇଛି। ଏନେଇ ପୁଲିସ ତୃତୀୟ ମାମଲା(କେସ୍ ନଂ ୩୦୮) ରୁଜୁ କରିଛି। ତାଙ୍କୁ ମଧ୍ୟ ରେଳବାଇ କିମ୍ବା ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ବିଭାଗରେ ଚାକିରି ଦେବାକୁ କହି ଠକିଛନ୍ତି। ଏହି ଅଭିଯୋଗ ଆଧାରରେ ପୁଲିସ ବିଡ଼ାନାସୀର ସମର୍ପିତା ଚୌଧୁରୀ, ପୁଅ ଡାନିଏଲ୍ ରାଜ, ବିଡ଼ାନାସୀର ପ୍ରଭାତ ସ୍ବାଇଁ, ସୁଭଦ୍ରାନଗରର ପ୍ରଦ୍ୟୁମ୍ନ ଦାସ ବିରୋଧରେ ମାମଲା ରୁଜୁ ହୋଇଛି। ୨୦୨୨ ମେ ୧୨ରେ ଅମର ବିଡ଼ାନାସୀରେ ସମର୍ପିତା ଚୌଧୁରୀର ଘରକୁ ଆସିଥିଲେ।  ଏହି କେଳେଙ୍କାରୀରେ କ୍ଷତିଗ୍ରସ୍ତ ହୋଇଥିବା ଆଶାୟୀଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲା ସିମୂଳିଆର ବିଭୂତି ଭୂଷଣ ବାରିକ, ନୀଳାମ୍ବର ବାରିକ, ବାଲେଶ୍ବର ଜିଲ୍ଲା ସୋରର ସୂର୍ଯ୍ୟକାନ୍ତ ନନ୍ଦ, ମୟୂରଭଞ୍ଜ ଜିଲ୍ଲା ନୂଆଗାଁର ଅମର ପାତ୍ର ଥାନାରେ ଗୁରୁବାର ନିଜର ବୟାନ ଦେଇଛନ୍ତି। ବାଲେଶ୍ବର ଜିଲ୍ଲା ସୋର ଥାନା ଅଉଣାର ସଂଜୀବ କୁମାର ରାଉତ ପ୍ରଥମେ ୮ ଲକ୍ଷ ୪୫ ହଜାର ଓ ପରେ ୨ ଲକ୍ଷ ୭୪ ହଜାର ଟଙ୍କା ଏହି ଗ୍ୟାଙ୍ଗକୁ ଦେଇ ଠକେଇର ଶିକାର ହୋଇଥିବା ସଂକ୍ରାନ୍ତରେ ବିଡ଼ାନାସୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଗୁରୁବାର ଏକ ମାମଲା ରୁଜୁ କରି ଅଭିଯୁକ୍ତ ଡାନିଏଲକୁ ଗିରଫ କରିଥିଲା। 

ବାଲେଶ୍ବର ଜିଲ୍ଲା ରେମୁଣାର ଚକ୍ରଧର ପଣ୍ଡା ମଧ୍ୟ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)ରେ ଗଲା ୪ ତାରିଖରେ ଏହି ଠକ ଗ୍ୟାଙ୍ଗ ବିରୋଧରେ ଅଭିଯୋଗ କରିଥିଲେ। ପ୍ରିୟଦର୍ଶିନୀ ତାଙ୍କ ନିକଟରୁ ୩୨ ଲକ୍ଷ ୫୦ ହଜାର ଟଙ୍କା ଠକିଥିବା ବେଳେ ତାଙ୍କ ଭାଇ ଓ ସମ୍ପର୍କୀୟଙ୍କ ନିକଟରୁ ୪୬ ଲକ୍ଷ ୫୦ ହଜାର ଟଙ୍କା ଠକିଥିଲେ। ତାଙ୍କୁ ଏହି ଗ୍ୟାଙ୍ଗ ଦୁର୍ଘଟଣା ଘଟାଇ ହତ୍ୟା ଉଦ୍ୟମ କରିଥିବା ନେଇ ମଧ୍ୟ ଏକ ଅଭିଯୋଗର ତଦନ୍ତ ଭୁବନେଶ୍ବର ଲିଙ୍ଗରାଜ ଥାନା ପୁଲିସ କରୁଛି। ଲିଙ୍ଗରାଜ ଥାନାରେ ଗଲା ଫେବ୍ରୁଆରି ୧୩ ତାରିଖରେ ନକଲି ମହିଳା ଆଇଏଏସ ଅଫିସର ପ୍ରିୟଙ୍କା ପ୍ରିୟଦର୍ଶିନୀ ତ୍ରିପାଠୀ, ତାଙ୍କର ବାପା ତଥା ନକଲି ଆଇଏଏସ୍‌ ଅଫିସର ସୂର୍ଯ୍ୟ ନାରାୟଣ ତ୍ରିପାଠୀ, ସୂର୍ଯ୍ୟ ତ୍ରିପାଠୀଙ୍କ ପତ୍ନୀ ପ୍ରଭାତୀଲତା ଶତପଥୀ, ପ୍ରିୟଙ୍କାଙ୍କ ପିଏ ପରିଚୟ ଦେଉଥିବା କଟକ ମଧୁପାଟଣା ଥାନା ଅନ୍ତର୍ଗତ କଲ୍ୟାଣୀ ନଗର ଅଞ୍ଚଳର ବିନୟ ରାଉତରାୟ ବିରୋଧରେ ଲିଙ୍ଗରାଜ ଥାନାରେ ଏହି ମାମଲା ରୁଜୁ ହୋଇଛି। ଭୁବନେଶ୍ବର ଶ୍ରୀରାମନଗର ଅଞ୍ଚଳରେ ଚକ୍ରଧରଙ୍କୁ କାର୍ ଚଢ଼ାଇ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗରେ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe