ଅଂଶୁଘାତ ନେଲା ୨ ଜୀବନ

Advertisment
ଅଂଶୁଘାତ ନେଲା ୨ ଜୀବନ

eSakal

ସମ୍ବଲପୁର : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ହୋଇପଡ଼ୁଛି ଜନଜୀବନ। ଦିନ ସାରା ଖରାର ପ୍ରକୋପ ଯୋଗୁ ଘରୁ ବାହାରି ହେଉନଥିବାବେଳେ ରାତିରେ ମଧ୍ୟ ନିସ୍ତାର ନାହିଁ। ନା ଘରେ ନା ବାହାରେ କୋଉଠି ହେଲେ ଆଶ୍ବସ୍ତି ମିଳୁନି। ଏଭଳି ସ୍ଥିତିରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଶନିବାର ସମ୍ବଲପୁର ଶାସନ ନିକଟରେ ଝାରସୁଗୁଡ଼ା ବେଲପାହାଡ଼ ଅଂଚଳର ଜଣେ ଯୁବକଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବାବେଳେ ନୂଆପଡ଼ା ଜିଲ୍ଲା କୋମନା ଅଂଚଳର ଜଣେ ମହିଳା ମଧ୍ୟ ଅଂଶୁଘାତରେ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି। ବଲାଙ୍ଗୀରରେ ଜଣେ ପ୍ରସୂତି ମହିଳା ଓ ତାଙ୍କ ନବଜାତ ଶିଶୁ ଅଂଶୁଘାତରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।

ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଅଜାଙ୍କୁ ଦେଖିବାକୁ ଆସିଥିବା ଜଣେ ଯୁବକ ଘରକୁ ଫେରୁଥିବାବେଳେ ଅଂଶୁଘାତରେ ପ୍ରାଣ ହରାଇବା ଭଳି ଅଭାବନୀୟ ଘଟଣା ଘଟିଛି। ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଖାଡ଼ିଆପାଲି ଗ୍ରାମର ଲାଲଜୀ ଖାଡ଼ିଆ(୩୬)ଙ୍କ ଶୁକ୍ରବାର ପୂର୍ବାହ୍ନ ସାଢ଼େ ୧୦ ଟା ବେଳେ ବୁର୍ଲା ମେଡିକାଲକୁ ଆସିଥିଲେ। ମଧ୍ୟାହ୍ନ ପ୍ରାୟ ୨ଟା ବେଳେ ସେ ବାଇକ୍‌ରେ ଘରକୁ ଫେରୁଥିଲେ। ତେବେ, ଜାତୀୟ ରାଜପଥରେ ଶାସନ ପାଖରେ ଅଟକି ପାଣି ପିଇଥିଲେ। ହଠାତ୍‌ ତାଙ୍କ ମୁଣ୍ଡ ବୁଲାଇବାରୁ ସେ ତଳେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ବୁର୍ଲା ସମଲେଶ୍ବରୀ ନର୍ସିଂହୋମ୍‌କୁ ନେଇଥିଲେ। ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ମେଡିକାଲ (ଭିମସାର)କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ଲାଲଜୀଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତଗର୍ତ ପଲସିପାଣି ପଂଚାୟତ ଅଧୀନସ୍ଥ କାଶୀପଲା ଗ୍ରାମର ଦୁର୍ଜନ ମାଝୀଙ୍କ ସ୍ତ୍ରୀ ଯ‌ଶୋଦା ମାଝୀ (୪୦)ଶନିବାର  ସକାଳ ୮ଟା ସମୟରେ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିଲେ। କାଠ ସଂଗ୍ରହ କରି ପୂର୍ବାହ୍ନ ୧୦ଟାରେ ଘରକୁ ଫେରୁ ଥିବା ବେଳେ ରାସ୍ତାରେ ପଡ଼ି ଯାଇଥିଲେ ଓ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ଅଂଶୁଘାତ ଜନିତ ମୃତ୍ୟୁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe