ଆଉ ୨ଜଣ ଆକ୍ରାନ୍ତଙ୍କ ମୃତ୍ୟୁ, ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୯ରେ ପହଞ୍ଚିଲା

ଆଉ ୨ଜଣ ଆକ୍ରାନ୍ତଙ୍କ ମୃତ୍ୟୁ, ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୯ରେ ପହଞ୍ଚିଲା

ଭୁବନେଶ୍ବର : ରାଜ୍ୟରେ ଆଉ ୨ଜଣ ବ୍ୟକ୍ତିଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ୬୬ବର୍ଷର ଜଣେ ପୁରୁଷ ହୋଇଥିବା ବେଳେ ଅନ୍ୟ ଜଣେ ୪୦ ବର୍ଷର ପୁରୁଷ ଉଭୟେ ଗଞ୍ଜାମ ଜିଲ୍ଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ପ୍ରଥମ ସଂକ୍ରମିତଜଣକ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଓ ଆରଜଣକ ମଧୁମେହ ରୋଗରେ ପୀଡ଼ିତ ଥିବା ସୂଚନା ମିଳିଛି।

ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୯ରେ ପହଞ୍ଚିଛି। ସେଥିରୁ କେବଳ ଗଞ୍ଜାମ ଜିଲ୍ଲରେ ଏବେସୁଦ୍ଧା ୧୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ରୋଗୀଙ୍କ ବୟସ ୫୦ରୁ କମ୍ ରହିଛି। କାହିଁକି ଗଞ୍ଜାମ ଜିଲ୍ଲାରେ ୬୦ବର୍ଷରୁ କମ୍ ରୋଗୀ ଅଧିକ ସଂଖ୍ୟାରେ ପ୍ରାଣ ହରାଉଛନ୍ତି ତାହା ଏବେ ଲୋକଙ୍କୁ ଆନ୍ଦୋଳିତ କରିବାକୁ ଆରମ୍ଭ କରିଛି।
ସ୍ବାସ୍ଥ୍ୟ ବିଭାଗର ମୁଖପାତ୍ର(ବୈଷୟିକ) ପ୍ରଫେସର ଡା.ଜୟନ୍ତ ପଣ୍ଡାଙ୍କ ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲାରେ ଅଧିକାଂଶ ରୋଗୀଙ୍କ ଦେହରେ କରୋନା ଲକ୍ଷଣ ପ୍ରକାଶ ପାଉଛି। ଯାହାକି ରାଜ୍ୟରେ ସର୍ବାଧିକ। ଗଞ୍ଜାମରେ ବହୁ ସଂଖ୍ୟାରେ ଯୁବକ ସଂକ୍ରମିତ ହେଉଥିବା ବେଳେ କମ୍ ବୟସରେ ମୃତ୍ୟୁ ହେଉଛି। ଜିଲ୍ଲାର ବହୁ ଲୋକ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ଓ କିଛି ସଙ୍ଗରୋଧ କେନ୍ଦ୍ରରେ ପ୍ରାଣ ହରାଉଛନ୍ତି। ଗଞ୍ଜାମକୁ ଅଧିକାଂଶ ଲୋକ ଗୁଜୁରାଟରୁ ଆସିଥିବାରୁ ସେମାନଙ୍କ ଶରୀରରେ ଚୀନ୍‌ର ଉହାନ୍‌ରେ କରୋନା ଭୂତାଣରୁ ଯେଉଁ ଷ୍ଟ୍ରେନ୍(ଏଲ୍‌ ଷ୍ଟ୍ରେନ୍‌) ରହିଛି ତାହା ଦେଖିବାକୁ ମିଳୁଛି। ଜୀବ ବିଜ୍ଞାନ ପ୍ରତିଷ୍ଠାନ ପକ୍ଷରୁ ରାଜ୍ୟରେ କରୋନାର କେଉଁ ଭୂତାଣୁର ଷ୍ଟ୍ରେନ୍ ରହିଛି ତାହାର ଗବେଷଣା କରାଯାଇଛି। ପ୍ରଥମରେ ୪୯ଜଣଙ୍କ ରୋଗୀଙ୍କ ଗବେଷଣା ହୋଇଥିଲା ଓ ଏବେ ୧୦୦ରୁ ଅଧିକ ରୋଗୀଙ୍କ ଷ୍ଟ୍ରେନ୍‌ର ଗବେଷଣା ଚାଲିଛି। ବିଭିନ୍ନ ରାଜ୍ୟରୁ ଓଡ଼ିଶାକୁ ଆସିଥିବା ରୋଗୀଙ୍କ ଭିନ୍ନ ଭିନ୍ନ ଷ୍ଟ୍ରେନ୍ ଦେଖିବାକୁ ମିଳୁଛି ବୋଲି ଡା.ପଣ୍ଡା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe