ବାଇକକୁ ଧକ୍କା ଦେଲା ବୋଲେରୋ: ଘଟଣାସ୍ଥଳରେ ବାପା-ପୁଅଙ୍କର ମୃତ୍ୟୁ

ବାଇକକୁ ଧକ୍କା ଦେଲା ବୋଲେରୋ: ଘଟଣାସ୍ଥଳରେ ବାପା-ପୁଅଙ୍କର ମୃତ୍ୟୁ

ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକ୍‌ ଜମ୍ଭେଲ ଛକ ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ବାଇକ୍‌ଟି ସଂପୂର୍ଣ୍ଣ ଜଳିଯାଇଛି। ଏହି ଦୁର୍ଘଟଣାରେ ବାଇକ ଆରୋହୀ ତରଣୀସେନ ବିଶି(୩୭ବର୍ଷ) ଓ ବଡ଼ପୁଅ ଶମ୍ଭୁ ବିଶି (୪ବର୍ଷ)ଙ୍କ ମୃତ୍ୟୁ ଘଟିଛି। ସେହିପରି ତାଙ୍କ ପତ୍ନୀ ନିକିତା ବିଶି (୩୫ବର୍ଷ) ଓ ସାନପୁଅ ସୋମ ବିଶି (୪ ମାସ)ଙ୍କ ଅବସ୍ଥା ସଂକଟାପନ୍ନ ‌ରହିଛି। ଏମାନେ ସମସ୍ତେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍‌ ରିଷିଡ଼ାର ବୋଲି ଜଣାପଡ଼ିଛି।

publive-image

ସୂଚନା ଅନୁସାରେ, ରିଷିଡ଼ାର ତରଣୀସେନ, ତାଙ୍କ ପତ୍ନୀ ନିକିତା, ଦୁଇପୁଅ ଶମ୍ଭୁ ଓ ସୋମଙ୍କୁ ବାଇକ୍‌ରେ ନେଇ ବଲାଙ୍ଗୀର ଡାକ୍ତର ଦେଖାଇବାକୁ ଯାଇଥିଲେ। ଫେରିବା ବେଳେ ଡାହିମାଳ- କଳାହାଣ୍ଡି ରାସ୍ତାର ଜମ୍ଭେଲ ଛକ ନିକଟ ମିଶ୍ର ଢାବା ସମ୍ମୁଖରେ ସାମ୍ନାପଟରୁ ଆସୁଥିବା ବଲେରୋ (ଓଡି ୧୭ ସି ୬୭୬୭) ସହ ତାଙ୍କ ବାଇକ୍‌ର ଧକ୍କା ହୋଇଥିଲା। ଦୁର୍ଘଟଣାରେ ଘୋଷାଡ଼ି ହୋଇ ବାଇକ୍‌ରେ ନିଆଁ ଲାଗି ଯାଇଥିଲା। ବଲେରୋ ଚାଳକ ଘଟଣାସ୍ଥଳରୁ ଫୋରାର ହୋଇଯାଇଥିଲା।

publive-image

ଖବର ପାଇ ତୁଷୁରା ପୁଲିସ ଓ ଗୁଡ଼ଭେଲା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଭୟ ବିଭାଗର ଗାଡ଼ିରେ ସେମାନଙ୍କୁ ତୁଷୁରା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତରଣୀସେନ ଓ ଶମ୍ଭୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସଂକଟାପନ୍ନ ଥିବା ନିକିତା ଓ ସୋମଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଘଟାଇଥିବା ବଲେରୋ କୋଭିଡ ଡ୍ୟୁଟିରେ ଗୁଡ଼ଭେଲା ସିଏଚ୍‌ସିରେ ଲାଗିଥିବା ଜଣାଯାଇଛି। ଘଟଣାକୁ ନେଇ ତୁଷୁରା ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ଡାକ୍ତରଖାନା ସମ୍ମୁଖ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe