ଏପ୍ରିଲ ପ୍ରଥମ ସପ୍ତାହରୁ ଯୁକ୍ତ୨ ଖାତା ଦେଖା, ଭୋଟ୍‌ ଗ୍ରହଣବେଳେ ମୂଲ୍ୟାୟନ ହେବନି

ଏପ୍ରିଲ ପ୍ରଥମ ସପ୍ତାହରୁ ଯୁକ୍ତ୨ ଖାତା ଦେଖା, ଭୋଟ୍‌ ଗ୍ରହଣବେଳେ ମୂଲ୍ୟାୟନ ହେବନି

ଭୁବନେଶ୍ବର: ଏପ୍ରିଲ ପ୍ରଥମ ସପ୍ତାହରୁ ଯୁକ୍ତ୨ ଖାତା ଦେଖା। ମାର୍ଚ୍ଚ ୩୦ରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମର ପରୀକ୍ଷା ସରିବା କ୍ଷଣି ସମସ୍ତ ବିଷୟଗୁଡ଼ିକର ଖାତା ମୂଲ୍ୟାୟନ ଆରମ୍ଭ ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଚାଲିଛି। ବିଗତବର୍ଷ ପରି ଏଥରକ ମଧ୍ୟ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ରେ ଉତ୍ତର ଖାତା ମୂଲ୍ୟାୟନ କରାଯିବ। ବିଜ୍ଞାନ ଓ ବାଣିଜ୍ୟ ବିଭାଗର ବିଭିନ୍ନ ବିଷୟ ଖାତା ଅନ୍‌ଲାଇନ୍‌ରେ ଦେଖାଯିବ। କଳା ବିଭାଗର କିଛି ବିଷୟର ଖାତା ବି ଅନ୍‌ଲାଇନ୍‌ରେ ମୂଲ୍ୟାୟନ ହେବ। ବାକି ବିଷୟଗୁଡ଼ିକର ଖାତା ଅଫ୍‌ଲାଇନ୍‌ରେ ଦେଖା ହେବ। ଏପ୍ରିଲ ମାସରେ ବିଭିନ୍ନ ପର୍ଯ୍ୟାୟରେ ସାରା ରାଜ୍ୟରେ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ତାହାର ପ୍ରଭାବ ଯୁକ୍ତ୨ ଖାତା ମୂଲ୍ୟାୟନ ଉପରେ ପଡ଼ିବାର ଆଶଙ୍କା ଦେଖାଦେଇଛି। ଅଧ୍ୟାପକମାନେ ନିର୍ବାଚନରେ ଭାଗ ନେବାକୁ ଥିବାରୁ ଖାତା ମୂଲ୍ୟାୟନରେ ସାମିଲ ହେବା ପାଇଁ ସେମାନଙ୍କର ସମସ୍ୟା ସୃଷ୍ଟି ହୋଇପାରେ। ତାହାକୁ ଦୃଷ୍ଟିରେ ରଖି ପରିଷଦ ପକ୍ଷରୁ ମୂଲ୍ୟାୟନରେ କିଛିଟା ପରିବର୍ତନ ଆଣିବାକୁ ଯୋଜନା ହୋଇଛି। ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାରୁ ଏଥିରେ ଅଧ୍ୟାପକମାନେ ଭାଗନେବେ। ବିଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ତେଣୁ ଯେଉଁ ଅଞ୍ଚଳରେ ଯେତେବେଳେ ଭୋଟ ଗ୍ରହଣ ହେବ, ସେଠାରେ ପ୍ରାୟ ୪ ଦିନ ପାଇଁ ଖାତା ଦେଖା ବନ୍ଦ କରିବାକୁ ପରିଷଦ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ହେଲେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ଚଳିତ ସପ୍ତାହରେ ନିଷ୍ପତ୍ତି ହେବାର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପ୍ରମୁଖ ବିଷୟ ପରୀକ୍ଷା ଶେଷ ହୋଇଥିବାରୁ ଇ-ମୂଲ୍ୟାୟନ ପାଇଁ ପରିଷଦ ପକ୍ଷରୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଚଳିତ ସପ୍ତାହରେ ହିଁ ଉତ୍ତର ଖାତାଗୁଡ଼ିକର ସ୍କାନି˚ କରାଯିବ। ପରିଷଦର ମୁଖ୍ୟ କାର୍ଯ୍ୟାଳୟରେ ୧୦ ଲକ୍ଷରୁ ଅଧିକ ଉତ୍ତର ଖାତା ସ୍କାନି˚ ‌ହେବ। ଏଥିପାଇଁ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇ ସରିଛି। ପ୍ରଥମ ପର୍ଯ୍ୟାୟରେ ଯେଉଁ ପରୀକ୍ଷା ହୋଇଥିଲା ତାହାର ଖାତା ଏବେ ପରିଷଦରେ ପହଞ୍ଚୁଛି। ଉତ୍ତର ଖାତାଗୁଡ଼ିକର ସ୍କାନି˚ ସରିବା କ୍ଷଣି ତାହାକୁ ମୂଲ୍ୟାୟନ କେନ୍ଦ୍ରଗୁଡ଼ିକୁ ପଠାଯିବ। ଗତବର୍ଷ ଯେତିକି ମୂଲ୍ୟାୟନ କେନ୍ଦ୍ର ହୋଇଥିଲା ଏଥର ମଧ୍ୟ ସମାନ ସ˚ଖ୍ୟକ କେନ୍ଦ୍ର କରିବାକୁ ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇଛି। ପରିଷଦର ଉପପରୀକ୍ଷା ନିୟନ୍ତ୍ରକ ପ୍ରବୋଧ କୁମାର ପଣ୍ତା କହିଛନ୍ତି ଯେ ପରୀକ୍ଷା ପରିଚାଳନାର ସମସ୍ତ ପ୍ରକ୍ରିୟା ଠିକ୍‌ ସମୟରେ ଓ ସୁରୁଖୁରରେ ଚାଲିଛି। କୌଣସି ସ୍ଥାନରେ କିଛି ବି ଅଘଟଣ ହୋଇନି। ନିର୍ଧାରିତ ସମୟରେ ଖାତା ମୂଲ୍ୟାୟନ ହେବ। ନିର୍ବାଚନକୁ ଦୃଷ୍ଟିରେ ରଖି ବିକଳ୍ପ ବ୍ୟବସ୍ଥା ହେଉଛି। ଯେମିତି କି ନିର୍ବାଚନର ପ୍ରଭାବ ଖାତା ମୂଲ୍ୟାୟନ ଉପରେ ପଡ଼ିବ ନାହିଁ। ମେ’ ଶେଷ କିମ୍ବା ଜୁନ୍‌ ପ୍ରଥମ ସପ୍ତାହ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe