ପଦାରେ ପଡ଼ିଲା ବିଜେଡି ଅନ୍ତଃକନ୍ଦଳ, ଜୀବନବିନ୍ଦୁକୁ ନେଇ ୨ ଗୋଷ୍ଠୀର ଲଢ଼େଇ

Advertisment
ପଦାରେ ପଡ଼ିଲା ବିଜେଡି ଅନ୍ତଃକନ୍ଦଳ, ଜୀବନବିନ୍ଦୁକୁ ନେଇ ୨ ଗୋଷ୍ଠୀର ଲଢ଼େଇ

Facebook

ରାଜଗାଙ୍ଗପୁର: ରାଜଗାଙ୍ଗପୁର ବିଜେଡି ମଧ୍ୟରେ ଥିବା ଗୋଷ୍ଠୀବିବାଦ କାହାରିକୁ ଅଛପା ନାହିଁ। ରାଜଗାଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସାରଦା ନାୟକଙ୍କ ଗୋଷ୍ଠୀ କ୍ଷମତା ମଙ୍ଗଧରି ମଙ୍ଗଳା କିଷାନଙ୍କ ଗୋଷ୍ଠୀକୁ ଅଣଦେଖା କରୁଛନ୍ତି ବୋଲି ମଙ୍ଗଳାଙ୍କ ସମର୍ଥକ ଅଭିଯୋଗ କରି ଆସୁଛନ୍ତି। ଏହାର ପ୍ରମାଣ ବି ମଧ୍ୟେ ମଧ୍ୟେ ମିଳି ଯାଉଛି। ଗତମାସ ରାଜଗାଙ୍ଗପୁର ସହରରେ ବିଜେଡି ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଉକ୍ତ ଶିବିରକୁ ଜିଲ୍ଲା ସଭାପତି ବିନୟ ଟପ୍ପୋ ଓ ସାରଦା ନାୟକ ପରିଚାଳନାକରି ରେକର୍ଡ ପରିମାଣ ରକ୍ତସଂଗ୍ରହ କରିଥିଲେ। ଉକ୍ତ ଶିବିରରେ କିନ୍ତୁ ମଙ୍ଗଳାଙ୍କ ସମେତ ତାଙ୍କ ସମର୍ଥକମାନଙ୍କୁ ଦେଖିବାକୁ ମିଳି ନଥିଲା।

ତାଙ୍କୁ ଡ଼କା ଯାଇ ନଥିଲା ବୋଲି କୁହା ଯାଉଛି। ଏହାକୁ ନେଇ ମଙ୍ଗଳାଙ୍କ ଗୋଷ୍ଠୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ସାରଦାଙ୍କ ଗୋଷ୍ଠୀକୁ ମାତ୍‌ ଦେବାଲାଗି ମଙ୍ଗଳା କିଛିଦିନ ତଳେ ତାଙ୍କ ବିଧାନସଭା ନିର୍ବାଚନ ମଣ୍ଡଳୀର ବେଦବ୍ୟାସଠାରେ ଏକ ରକ୍ତଦାନ ଶିବିର କରି ରାଜଗାଙ୍ଗପୁର ଅପେକ୍ଷା ଅଧିକ ପରିମାଣର ରକ୍ତ ସଂଗ‌୍ରହ କରିଛନ୍ତି। ଏଥିରେ ମଙ୍ଗଳାଙ୍କ ସ୍ଥିତି ଜାହିର ହୋଇଛି ବୋଲି ସମର୍ଥକମାନେ ଦାବି କରୁଛନ୍ତି। ସେହିପରି ମଙ୍ଗଳାଙ୍କ ଆହ୍ବାନକ୍ରମେ ବେଦବ୍ୟାସରେ ଅନୁଷ୍ଠିତ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ପ୍ରବଳ ବର୍ଷା ସତ୍ତ୍ବେ ଆଶାଠାରୁ ଅଧିକ ରକ୍ତ ସଂଗ୍ରହକୁ ନେଇ ତାଙ୍କର ସ୍ଥାନୀୟ ବିରୋଧୀମାନେ ହତାଶ ହୋଇଛନ୍ତି ବୋଲି ଆଲୋଚନା ହେଉଛି। ଆଉ ଯେଉଁଠି ହେଉ ନହେଉ, ଅନ୍ତତଃ ରାଜଗାଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଙ୍ଗଳାଙ୍କର ଗଭୀର ଲୋକସଂପର୍କର ପ୍ରମାଣ ଏହି ରକ୍ତଦାନ ଶିବିର ବୋଲି ସମର୍ଥକମାନେ ପ୍ରଚାର କରୁଛନ୍ତି।

ଉଲ୍ଲେଖନୀୟ ଯେ ରାଜଗାଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସାରଦା ଓ ମଙ୍ଗଳାଙ୍କ ସମର୍ଥକମାନେ ଦୁଇଗୋଷ୍ଠୀରେ ବିଭକ୍ତ ହୋଇ ପରସ୍ପରକୁ କୌଣସି ପ୍ରକାରେ ପାନେ ଦେବାଲାଗି ଚେଷ୍ଟା ଚଳାଇଛନ୍ତି। ଏହା ଆଉ ଗୋପନ ହୋଇ ରହିନାହିଁ। ତେବେ ବର୍ତ୍ତମାନ ହାତରେ କ୍ଷମତା ଥିବାରୁ ସାରଦାଙ୍କ ସମର୍ଥକମାନେ ମଙ୍ଗଳାଙ୍କ ଲୋକଙ୍କୁ କ୍ଷମତାଚ୍ୟୁତ କରିବାରେ ଲାଗିଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ମଙ୍ଗଳାଙ୍କ ଗୋଷ୍ଠୀ ନିର୍ବାଚନ ମଣ୍ଡଳୀର ୩ଟି ବ୍ଲକ୍‌ରେ କ୍ଷମତାକୁ ଆସିବା ସହିତ କୁତ୍ରା, ରାଜଗାଙ୍ଗପୁର ଓ ଲାଠିକଟାରେ ବେଶ୍‌ ପତିଆରା ଦେଖାଇଥିଲେ। କିନ୍ତୁ ପୌରପାଳିକା ନିର୍ବାଚନରେ ମଙ୍ଗଳାଙ୍କ ସମର୍ଥକଙ୍କୁ ଦଳୀୟ ଟିକଟ ମିଳି ନଥିଲା। ଟିକଟ ପାଇଥିବା ସାରଦାଙ୍କ ଗୋଷ୍ଠୀର ଲୋକମାନେ ବିଜୟଲାଭ ମଧ୍ୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe