ସାଂକେତିକ ଫଟୋ
ଜଳେଶ୍ବର: ଜଳେଶ୍ବର ଥାନା ନନ୍ଦିକା ଗାଁର ଜଣେ ବ୍ୟକ୍ତିଙ୍କଠାରୁ ନୂଆବଜାର ଅଞ୍ଚଳରୁ ଦୃର୍ବୃତ୍ତ ଦୁଇ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି। ବ୍ୟକ୍ତି ଜଣକ ହେଉଛନ୍ତି ସରୋଜ ପାତ୍ର। ସରୋଜ ଆଜି ମଧ୍ୟାହ୍ନରେ ଜଳେଶ୍ବର ବଡ଼ବଜାରସ୍ଥିତ ଏସବିଆଇରୁ ଦୁଇଲକ୍ଷ ଟଙ୍କା ଉଠାଣ କରି ସାଇକେଲରେ ଘରକୁ ଫେରୁଥିଲେ। ତେବେ ନୂଆବଜାର ହାଇସ୍କୁଲ ନିକଟରେ ସରୋଜଙ୍କୁ ଶୋଷ ଲାଗିବାରୁ ସେ ସାଇକେଲକୁ ସ୍କୁଲ ପାଚେରିକୁ ଡେରିଦେଇ ପାଖ ଏକ ଚା ଦୋକାନରୁ ପାଣି ପିଉଥିଲେ।
ତେବେ ଏହି ସମୟରେ ଦୁଇଜଣ ଯୁବକ ଏକ କଳାରଙ୍ଗର କେଟିଏମ ବାଇକରେ ଆସି ସାଇକେଲରେ ଟଙ୍ଗା ଯାଇଥବା ବ୍ୟାଗରୁ ଟଙ୍କା ଲୁଟି ନେଇଥିଲେ। କେଟିଏମ ଚାଳକଙ୍କ ମଧ୍ୟରୁ ଜଣେ ନିର୍ଦ୍ଦିଷ୍ଟ ଏକ କଲେଜର ୟୁନିଫର୍ମ ପିନ୍ଧିଥିବା ଜଣାପଡ଼ିଛି। ଲୁଟ୍ ପରେ କେଟିଏମ ବାଇକଟି ହସ୍ପିଟାଲ ଅଭିମୁଖେ ଯାଇଥିଲା। ଏ ନେଇ ଜଳେଶ୍ବର ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଜଳେଶ୍ବରରେ ନିୟମିତ ବ୍ୟବଧାନରେ ଟଙ୍କା ଲୁଟ ହେଉଥିବା ବେଳେ ଏହି ରାକେଟର ପର୍ଦ୍ଦାଫାସ କରିବାରେ ପୁଲିସ ବିଫଳ ହୋଇଛି। ପ୍ରକାଶଥାଉକି, ଗତ କିଛି ସପ୍ତାହ ତଳେ ଅନୁରୂପ ଭାବେ ଜଳେଶ୍ବର ହାଟ ଛକରେ ମଧ୍ୟ ଲୁଟ ହୋଇଥିଲା।
  
 Follow Us