ରାଉରକେଲା: ରାଉରକେଲାରେ ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ପ୍ଲାଣ୍ଟ୍ସାଇଟ୍ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଆଜି ପୂର୍ବାହ୍ନରେ ସେମାନଙ୍କୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କରିଥିଲା ପୁଲିସ। ଏହି ସମ୍ବେଦନଶୀଳ ଘଟଣାକୁ ପୁଲିସ ଗୁରୁତ୍ବର ସହ ନେଇ ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ବାଡ୍ ସହାୟତାରେ ପ୍ରମାଣ ସଂଗ୍ରହରେ ଲାଗିପଡ଼ିଛି। ସମସ୍ତ ପ୍ରମାଣ ସଂଗୃହୀତ ହେଲା ପରେ ଫରେନ୍ସିକ ଯାଞ୍ଚ ପାଇଁ ପଠାଯିବ। ମଙ୍ଗଳବାର ଅଭିଯୁକ୍ତମାନଙ୍କର ଡାକ୍ତରୀମାଇନା କରାଯିବା ସହ ସୁନ୍ଦରଗଡ଼ ସ୍ବତନ୍ତ୍ର ପୋକ୍ସୋ କୋର୍ଟରେ ହାଜର କରାଯିବ ବୋଲି ପୁଲିସ କହିଛି।
ଅନ୍ୟପକ୍ଷରେ ଏହି ଘଟଣାରେ ଆଜି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ହସ୍ତକ୍ଷେପ କରିଛନ୍ତି। ଆୟୋଗ ନିଜ ଆଡ଼ୁ ମାମଲା ରୁଜୁ କରିବା ସହ ପ୍ଲାଣ୍ଟସାଇଟ୍ ଥାନା ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନୋଟିସ୍ ଜାରି କରିଛନ୍ତି। ପୁଙ୍ଖାନୁପୁଙ୍ଖ ତଦନ୍ତ କରି ୭ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଓ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଫେରାର ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ଲାଗି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି। ଏ ସଂପର୍କରେ ରାଉରକେଲା ଏସ୍ପି ବ୍ରିଜେଶ ରାୟ କହିଛନ୍ତି, ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ସ୍ବତନ୍ତ୍ର ଟିମ୍ ଦ୍ବାରା ତଦନ୍ତ ଜାରି ରହିଛି। ଘଟଣାର ବିଭିନ୍ନ ଦିଗକୁ ତର୍ଜମା, ଯାଞ୍ଚ କରାଯାଉଛି।
ଖୁବଶୀଘ୍ର ତଦନ୍ତ ସରିବ ଓ ପୀଡ଼ିତା ନ୍ୟାୟ ପାଇବେ। ଉଲ୍ଲେଖଯୋଗ୍ୟ, ନିଜ ଭଉଣୀଙ୍କ ଘରେ ରହୁଥିବା ଜଣେ ନାବାଳିକା (୧୪) ଓ ତାଙ୍କର ନାବାଳିକା ବାନ୍ଧବୀ (୧୫) ଶନିବାର ଅପରାହ୍ନରେ ବିର୍ସା ଛକ ଅଞ୍ଚଳକୁ ଚପଲ କିଣିବାକୁ ଆସିଥିଲେ। ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ଉଭୟ ଛକ ଉପରେ ଛିଡ଼ା ହୋଇଥିବା ବେଳେ ଦୁଇଜଣ ଯୁବକ ସେମାନଙ୍କୁ ଜୋରଜବରଦସ୍ତ ଟେକିନେଇଥିଲେ। ପରେ ଅନ୍ୟ ୫ ଜଣଙ୍କୁ ମିଶାଇ ମୋଟ ୭ ଜଣ ଅଭିଯୁକ୍ତ ଗଣଦୁଷ୍କର୍ମ କରିଥିବା ପ୍ଲାଣ୍ଟ୍ସାଇଟ୍ ପୁଲିସ ଥାନାରେ ପୀଡ଼ିତାଦ୍ବୟ ଅଭିଯୋଗ କରିଥିଲେ।
Follow Us