ଦୁଇ ଦୁର୍ଦାନ୍ତ ଅପରାଧୀ ଗୁରୁତର

ରାଜଧାନୀ ଉପକଣ୍ଠରେ ଏନ୍‌କାଉଣ୍ଟର୍‌

ଦୁଇ ଦୁର୍ଦାନ୍ତ ଅପରାଧୀ ଗୁରୁତର

ଭୁବନେଶ୍ୱର: ମଙ୍ଗଳବାର, ଅପରାହ୍‌ଣ ପ୍ରାୟ ସାଢ଼େ ୪ଟା। ବାଲିଅନ୍ତା ଥାନା ଅଧୀନ ଭଇଁଚୁଆ ଧବଳାହାର ନଦୀପଠା ଆମ୍ବଗଛ ମୂଳରେ କଟକ ଓ ଜଗତସିଂହପୁର ଅଞ୍ଚଳର ୬ ଦୁର୍ଦାନ୍ତ ଅପରାଧୀ ଡକାୟତି ପାଇଁ ଯୋଜନା କରୁଥିଲେ। ଏହି ଖବର ପାଇଲା ମାତ୍ରେ ତତ୍ପର ହୋଇଉଠିଲା ଭୁବନେଶ୍ୱର ସ୍ପେସାଲ୍‌ ସ୍କ୍ଵାଡ୍‌। ସ୍ପେସାଲ୍‌ ସ୍କ୍ଵାଡ୍‌ ଇନ୍ସପେକ୍ଟର ସଂଜୀବ ଶତପଥୀଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍‌ ତୁରନ୍ତ ସେହି ନଦୀପଠାରେ ପହଞ୍ଚିଗଲେ। ପୁଲିସକୁ ଦେଖି ଅପରାଧୀମାନେ ହଡ଼ବଡ଼େଇ ଗଲେ ଏବଂ ପୁଲିସ ଉପରକୁ ଆଖିବୁଜା ଗୁଳି ଚଳାଇବା ଆରମ୍ଭ କରିଦେଲେ। ଡକାୟତମାନେ ୭ରୁ ୮ ରାଉଣ୍ଡ ଗୁଳି ଚଳାଇବାରୁ ପୁଲିସ ମଧ୍ୟ ପାଲଟା ୧୦/୧୨ ରାଉଣ୍ଡ୍‌ ଗୁଳି ଚଳାଇଥିଲା। ଆଉ ପୁଲିସ ଗୁଳିରେ ଦୁଇ ଦୁର୍ଦାନ୍ତ ଅପରାଧୀ ଗୁରୁତର ଭାବେ ଆହତ ହୋଇଥିଲେ। ତେବେ ଗୁଳିଗୋଳା ବିନିମୟ ବେଳେ ୪ ଡକାୟତ ଘଟଣାସ୍ଥଳରୁ ଖସି ଯିବାକୁ ସକ୍ଷମ ହୋଇଥିଲେ। ପୁଲିସ ନଦୀପଠା ଆମ୍ବବଣ ଭିତରେ ସେମାନଙ୍କୁ ଖୋଜାଖୋଜି କରୁଥିବା ବେଳେ ରାଜଧାନୀ ଉପକଣ୍ଠରେ ମଧ୍ୟ ପୁଲିସ ବ୍ଲକିଂ କରି ଗାଡ଼ିମଟର ଯାଞ୍ଚ କରୁଛି। ଏହି ଧରପଗଡ଼ ବେଳେ ସ୍ପେସାଲ୍‌ ସ୍କ୍ଵାଡ୍‌ ପୁଲିସର ଦୁଇ ଜଣ କନଷ୍ଟେବଲ ମଧ୍ୟ ଆହତ ହୋଇଛନ୍ତି। କମିସନରେଟ ପୁଲିସ ଇତିହାସରେ ଏକାବେଳକେ ଦୁଇ ଜଣ ଦୁର୍ଦାନ୍ତ ଅପରାଧୀଙ୍କୁ ପ୍ରଥମ ଥର ଲାଗି ଏଭଳି ଏନ୍‌କାଉଣ୍ଟର କରାଯାଇଛି।

ପୁଲିିସ ଉପରକୁ ଚଳାଇଲେ ୮ ରାଉଣ୍ଡ ଗୁଳି
୪ ଫେରାର, ମାଉଜର, ପିସ୍ତଲ, ଗୁଳି, ବାଇକ୍‌ ଜବତ
ମଦ ଦୋକାନ ସେଲ୍‌ସମ୍ୟାନ୍‌ ଗୁଳିକାଣ୍ଡରେ ସଂପୃକ୍ତ

publive-imagepublive-image

ମିଳିଥିବା ସୂଚନା ମୁତାବକ, ନୂଆବର୍ଷର ଏହି ପ୍ରଥମ ଏନ୍‌କାଉଣ୍ଟରରେ ଆହତ ହୋଇଥିବା ଦୁଇ ଦୁର୍ଦାନ୍ତ ଅପରାଧୀ ହେଲେ ଜଗତସିଂହପୁର ତିର୍ତୋଲ ଅଞ୍ଚଳର ସୁକାନ୍ତ ସାହୁ ଓରଫ୍‌ ଲିପୁ ଏବଂ କଟକ ଜଗତପୁର ପଶ୍ଚିମକଛ ଅଞ୍ଚଳର ହରିହର ସାମଲ। ଦୁହିଁଙ୍କ ଆଣ୍ଠୁରେ ପୁଲିସର ଗୁଳି ବାଜିଛି। ପୁଲିସ ଦୁହିଁଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡିକାଲ ପଠାଇଛି।ଘଟଣାସ୍ଥଳରୁ ପୁଲିସ ଗୋଟିଏ ମାଉଜର, ଗୋଟିଏ ଦେଶୀ ପିସ୍ତଲ, ୬ଟି ଅଫୁଟା ଗୁଳି, ବାଇକ୍‌, ୪ଟି ମୋବାଇଲ୍‌ ଫୋନ୍‌ ଆଦି ଜବତ କରିଛି। ଏମାନଙ୍କ ନାଁରେ ଭୁବନେଶ୍ୱର, ନୟାଗଡ଼, ଜଗତସିଂହପୁର, କଟକରେ ଏକାଧିକ ଡକାୟତି, ଲୁଟପାଟ ଓ ଛିନ୍‌ତାଇ ମାମଲା ରହିଛି। ଖଣ୍ଡଗିରି, ବାଲିଅନ୍ତା, ମଞ୍ଚେଶ୍ୱର, ସହିଦନଗର ଥାନା ଅଞ୍ଚଳରେ ଏମାନେ ଗତ କିଛି ଦିନ ହେବ ଡକାୟତି କରି ଆସୁଥିଲେ। କିଛି ଦିନ ତଳେ ମଞ୍ଚେଶ୍ୱର ଥାନା ଅଧୀନ ପଳାସୁଣୀ ମଦ ଦୋକାନର ସେଲ୍‌ସମ୍ୟାନ ଜଗା ସାହୁଙ୍କୁ ଗୁଳି କରି ଏହି ଗ୍ୟାଙ୍ଗ୍‌ ୫ ହଜାର ଟଙ୍କା ଛଡ଼ାଇ ନେଇଥିଲେ ବୋଲି ଡିସିପି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି। ତେବେ ସେମାନଙ୍କୁ ପଚରା ଉଚରା କରାଯାଇ ପାରିନାହିଁ। ସୁସ୍ଥ ହେବା ପରେ ସେମାନଙ୍କୁ ରିମାଣ୍ଡ୍‌ରେ ଅଣା ଯାଇ ପଚରାଉଚରା କରାଯିବ ବୋଲି ସ୍ପେସାଲ୍‌ ସ୍କ୍ଵାଡ୍‌ ଇନ୍ସପେକ୍ଟର ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe