ସୁନ୍ଦରଗଡ଼: ସୁନ୍ଦରଗଡ଼ ବଡ଼ ଡାକ୍ତରଖାନାରେ କାର୍ଯ୍ୟରତ ଜଣେ ଡାକ୍ତରଙ୍କୁ ରୋଗୀଙ୍କ ସଂପର୍କୀୟ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ୨୪ ତାରିଖ ରାତିରେ କିଞ୍ଜିରକେଲା ଥାନା ଟାଙ୍ଗରଯୋର ଗାଁର ଶାନ୍ତିଲତା ନାଏକଙ୍କୁ ତାଙ୍କ ସମ୍ପର୍କୀୟ ଭୂପତି ନାଏକ (୫୨) ଓ ରୀତେଶ ନାଏକ (୩୨) ଡାକ୍ତରଖାନାକୁ ଆଣିଥିଲେ। ସେତେବେଳେ ଜରୁରୀସେବା କକ୍ଷରେ ଥିବା ଭେଷଜ ବିଭାଗ ଡାକ୍ତର ଚନ୍ଦ୍ରଶେଖର ସୁବୁଦ୍ଧି ରୋଗୀଙ୍କୁ ଦେଖି ଅସ୍ଥିଶଲ୍ୟ ଚିକିତ୍ସକ ଦେଖିବେ ବୋଲି କହିବା ସହ ଡାକ୍ତରଙ୍କୁ ଡାକିଥିଲେ। କିନ୍ତୁ ଡାକ୍ତର ଡାକିବାରେ ସାମାନ୍ୟ ବିଳମ୍ବ ହେବାରୁ ରୋଗୀଙ୍କ ସମ୍ପର୍କୀୟ ଡାକ୍ତରଙ୍କ ସାର୍ଟ କଲର୍ ଟାଣି ଗାଳିଗୁଲଜ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ଏହାକୁ ନେଇ ଡାକ୍ତରଖାନାରେ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା। ଡାକ୍ତରମାନେ ରାତିରେ ସାମୂହିକ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। ଖବର ପାଇ ଅତିରିକ୍ତ ଏସ୍ପି ଶାନ୍ତା ନୂତନ ସାମଦ, ସୁନ୍ଦରଗଡ଼ ସଦର ଥାନା ଅଧିକାରୀ ସସ୍ମିତା ଦେବତା ଓ ପୁଲିସ ଅଧିକାରୀ ପହଞ୍ଚି ଆନ୍ଦୋଳନରତ ଡାକ୍ତର ଓ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲେ। ଡାକ୍ତରମାନଙ୍କୁ ସୁରକ୍ଷା ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଆଜି ସକାଳେ ଆନ୍ଦୋଳନ ପ୍ରତ୍ୟାହୃତ ହେବା ସହ ଚିକିତ୍ସାସେବା ସ୍ବାଭାବିକ ହୋଇଥିଲା। ଆକ୍ରମଣ କରିଥିବା ଦୁଇ ଅଭିଯୁକ୍ତ ଭୂପତି ଓ ରୀତେଶଙ୍କୁ ଆଜି ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିବା ସୁନ୍ଦରଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ନିର୍ମଳ ମହାପାତ୍ର ସୂଚନା ଦେଇଛନ୍ତି। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜିଲ୍ଲା କାରାଗାରକୁ ପଠାଇ ଦିଆଯାଇଛି।
Follow Us