ମାଲକାନଗିରି: ମା’ ସହିତ ବିଲକୁ ଯାଇଥିବା ୨ ଭଉଣୀ ପୋଖରୀରେ ବୁଡ଼ିଯାଇଛନ୍ତି। ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ମାକନପାଲ୍ଲୀ ଗାଁରେ ଆଜି ଅପରାହ୍ନରେ ଏହି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ମୃତକ ୨ ଭଉଣୀ ହେଲେ ମୋହିନୀ ଗଙ୍ଗା (୫) ଓ ଯବନୀ ଗଙ୍ଗା (୨)।
ସୂଚନା ଅନୁସାରେ ମାକନପାଲ୍ଲୀ ଗାଁର ଓଗାଳ ଗଙ୍ଗାଙ୍କ ସ୍ତ୍ରୀ ଆଜି ଧାନ କାଟିବା ପାଇଁ ବିଲକୁ ଯାଇଥିଲେ। ସାଥୀରେ ସେ ୨ ଝିଅଙ୍କୁ ମଧ୍ୟ ନେଇଥିଲେ। ମା’ ଧାନ କାଟୁଥିବା ବେଳେ ୨ ଭଉଣୀ ଧାନ ବିଲପାଖରେ ଖେଳୁଥିଲେ। ଏହାରି ମଧ୍ୟରେ ସେମାନେ ପୋଖରୀ ଆଡ଼କୁ ଚାଲିଯାଇଥିଲେ। ପୋଖରୀରେ ସାନ ଭଉଣୀର ଗୋଡ଼ ଖସିଯାଇଥିଲା। ଏହା ଦେଖି ବଡ଼ ଭଉଣୀ ବ୍ୟସ୍ତ ହୋଇଥିଲା। ସେ ମା’କୁ ଡାକିବା ବଦଳରେ ନିଜେ ସାନ ଭଉଣୀକୁ ଉଦ୍ଧାର କରିବାକୁ ଚାହିଁଥିଲା। ଶେଷରେ ଉଭୟ ପାଣିରେ ବୁଡ଼ି ଯାଇଥିଲେ।
ତେବେ ୨ ଭଉଣୀ ପୋଖରୀରେ ବୁଡ଼ି ଯିବାରୁ ପରିବାର ଲୋକେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରି କାଲିମେଳା ମେଡିକାଲ ପଠାଇଛି।
Follow Us