containers seized from coast: ଉପକୂଳରୁ ୨ ସନ୍ଦିଗ୍ଧ ଟ୍ରଲର, ୪ କଣ୍ଟେନର ଜବତ: ଜଣେ ଅଟକ, ଅନ୍ୟମାନେ ଖସିଗଲେ

ବାଲେଶ୍ବର ଜିଲ୍ଲା କଷାଫଳ ମେରାଇନ ଥାନା ଅଧୀନ ସମୁଦ୍ର ଉପକୂଳରୁ ଶନିବାର ବିଳମ୍ବିତ ରାତିରେ ୨ଟି ସନ୍ଦିଗ୍ଧ ଟ୍ରଲର ଓ ୪ଟି କଣ୍ଟେନର ଜବତ କରାଯାଇଛି। ସୂଚନା ଅନୁଯାୟୀ ରାତିରେ ବାହାବଳପୁର ମତ୍ସ୍ୟ ଅବତରଣ....

ssfhshfhxv

ବାଲେଶ୍ବର: ବାଲେଶ୍ବର ଜିଲ୍ଲା କଷାଫଳ ମେରାଇନ ଥାନା ଅଧୀନ ସମୁଦ୍ର ଉପକୂଳରୁ ଶନିବାର ବିଳମ୍ବିତ ରାତିରେ ୨ଟି ସନ୍ଦିଗ୍ଧ ଟ୍ରଲର ଓ ୪ଟି କଣ୍ଟେନର ଜବତ କରାଯାଇଛି। ସୂଚନା ଅନୁଯାୟୀ ରାତିରେ ବାହାବଳପୁର ମତ୍ସ୍ୟ ଅବତରଣ କେନ୍ଦ୍ରଠାରୁ ଅନତି ଦୂରରେ ଏହି ଟ୍ରଲର ଦୁଇଟି ଲଙ୍ଗର ପକାଇଥିଲା। ଟ୍ରଲର୍‌ରେ ଆସିଥିବା ସାମଗ୍ରୀ ୪ଟି କଣ୍ଟେନର ଯୋଗେ ଚାଲାଣ ପାଇଁ ଉଦ୍ୟମ ହେଉଥିଲା। ମତ୍ସ୍ୟ ଅବତରଣ କେନ୍ଦ୍ର ନିକଟରେ କେବଳ ମାଛଧରା ଟ୍ରଲର ଲାଗିବାର ନିୟମ ଥିବାରୁ ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା। ଏନେଇ ସେମାନେ କଷାଫଳ ମେରାଇନ୍‌ ପୁଲିସକୁ ଖବର ଦେଇଥିଲେ। ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଟ୍ରଲର ଓ ୪ଟି କଣ୍ଟେନର ଜବତ କରିଥିଲା। 

ତେବେ ଉପକୂଳରେ ଟ୍ରଲର ଲାଗିବା ବେଳେ ୧୦ରୁ ଅଧିକ ଲୋକ ଥିଲେ। ପୁଲିସ କେବଳ ଜଣେ କ‌ଣ୍ଟେନର ଡ୍ରାଇଭରକୁ ଧରିବାରେ ସକ୍ଷମ ହୋଇଛି। ଟ୍ରଲରରେ ଥିବା ସନ୍ଦିଗ୍ଧ ଓ ଅନ୍ୟ କ‌ଣ୍ଟେନର ଡ୍ରାଇଭରମାନେ କେମିତି ଏତେ ସହଜରେ ଖସିଗଲେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ସ୍ଥାନୀୟ ଲୋକଙ୍କ କହିବା ମୁତାବକ ବାହାବଳପୁରରେ ଅନେକ ସମୟରେ ଏଭଳି ସନ୍ଦିଗ୍ଧ ଟ୍ରଲର୍‌ ଲାଗୁଛି। ସେଥିରେ ପଶ୍ଚିମବଙ୍ଗର ନମ୍ବର ‌ପ୍ଲେଟ୍‌ ରହୁଛି। ହେଲେ ବାସ୍ତବରେ ଏସବୁ ଟ୍ରଲର ବାଂଲାଦେଶରୁ ଆସୁଛି ଓ ଏଥିରେ ବିଭିନ୍ନ ଚୋରା ସାମଗ୍ରୀ ଆମଦାନୀ କରାଯାଉଛି। ଏ ସମ୍ପର୍କରେ କଷାଫଳ ମେରାଇନ ଥାନା ଆଇଆଇସି ରଶ୍ମୀରେଖା ମହାଳିକ କହିଛନ୍ତି, ଜବତ କ‌ଣ୍ଟେନରୁ ଗୁଆ ବସ୍ତା ମିଳିଛି। ଟ୍ରଲର୍‌ରେ ଏହି ଗୁଆ ଆସିଥିବା ଅନୁମାନ କରାଯାଉଥିବା ବେଳେ ଏଯାଏଁ ଯାଞ୍ଚ ଶେଷ ହୋଇନାହିଁ। ଏହି ଟ୍ରଲର୍‌ ଦୁଇଟି ପଶ୍ଚିମବଙ୍ଗର। ସେହିପରି ଜବତ କ‌ଣ୍ଟେନରରେ ନାଗାଲାଣ୍ଡ ଓ ପଶ୍ଚିମବଙ୍ଗର ନମ୍ବର ଲାଗିଥିବା ସେ ସୂଚନା ଦେଇଛନ୍ତି। ଏସ୍‌ପି ପ୍ରତ୍ୟୁଷ ଦିବାକର କହିଛନ୍ତି ଜବତ ହୋଇଥିବା ଟ୍ରଲରର କାଗଜପତ୍ର ଓ ସେଥିରେ ଥିବା ସାମଗ୍ରୀର ଯାଞ୍ଚ କରାଯାଉଛି। ତେବେ ବାଂଲାଦେଶରୁ ଏହି ଟ୍ରଲର୍‌ ଆସିଥିବା କଥା କେବଳ ଗୁଜବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe