ଭୁବନେଶ୍ୱର : ପୂର୍ବତଟ ରେଳବାଇ ପକ୍ଷରୁ ୩ଟି ଟ୍ରେନ୍ର ସମୟ ପରିବର୍ତ୍ତନ କରାଯିବା ସହ ୨ଟି ଟ୍ରେନ୍କୁ ବାତିଲ କରାଯାଇଛି। ଉତ୍ତର ଭାରତରେ ଘନ କୁହୁଡ଼ି ଯୋଗୁଁ ଟ୍ରେନ୍ ଚଳାଚଳରେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ପରିବର୍ତ୍ତିତ ସୂଚନା ଅନୁଯାୟୀ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ (ନଂ-୨୨୮୨୩) ଭୁବନେଶ୍ୱରରୁ ୫ ତାରିଖ ସକାଳ ସାଢ଼େ ୯ଟା ପରିବର୍ତ୍ତେ ୬ ତାରିଖ ସକାଳ ୮ଟାରେ ଛାଡ଼ିବ। ସେହିଭଳି ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ (ନଂ-୨୨୮୧୧) ଭୁବନେଶ୍ୱରରୁ ୬ ତାରିଖ ପୂର୍ବାହ୍ନ ୧୧.୪୦ ପରିବର୍ତ୍ତେ ସଂଧ୍ୟା ସାଢ଼େ ୭ରେ ଛାଡ଼ିବ। ପୁଣି ପୁରୀ-ନୂଆଦିଲ୍ଲୀ ନନ୍ଦନକାନନ ଏକ୍ସପ୍ରେସ ଟ୍ରେନ୍ ନମ୍ବର-୧୨୮୧୫ ପୁରୀରୁ ୬ ତାରିଖ ପୂର୍ବାହ୍ନ ୧୦ଟା ୫୫ ପରିବର୍ତ୍ତେ ରାତି ସାଢ଼େ ୧୧ରେ ବାହାରିବ।
ସେହିଭଳି ଭୁବନେଶ୍ୱରରୁ ବାହାରିବାକୁ ଥିବା ଭୁବନେଶ୍ୱର-ନୂଆଦିଲ୍ଲୀ (ଆନନ୍ଦ ବିହାର ଟର୍ମିନସ୍) ସୁପରଫାଷ୍ଟ୍ ଏକ୍ସପ୍ରେସ୍ ଭାୟା ଅନୁଗୁଳ-ଝାରସୁଗୁଡ଼ା-ରାଉରକେଲା ଟ୍ରେନ୍ ନମ୍ବର-୨୨୮୦୫କୁ ୬ ତାରିଖ ଦିନ ବାତିଲ୍ କରାଯାଇଛି। ୮ ତାରିଖ ଦିନ ସକାଳ ସାଢ଼େ ୯ଟାରୁ ଭୁବନେଶ୍ୱରରୁ ଛାଡ଼ିବାକୁ ଥିବା ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ ଟ୍ରେନ୍ ନମ୍ବର-୨୨୮୨୩କୁ ବାତିଲ୍ କରାଯାଇଛି।
Follow Us