ବ୍ରହ୍ମଗିରି: ଜାଣ ବିବାଦରୁ ସାତପଡ଼ା ଫାଣ୍ଡି ଅନ୍ତର୍ଗତ ସିପକୁଦା ଓ ବାଘମୁଣ୍ଡା ଗାଁ ମଧ୍ୟରେ ହୋଇଛି ରକ୍ତପାତ। ଆଜି ଭୋର୍ରୁ ଉଭୟ ଗାଁ ସହିତ ଚିଲିକା କୂଳ ବୋମା, ତୋପ ଓ ବନ୍ଧୁକ ଗର୍ଜନରେ ଥରି ଉଠିଥିଲା। ପୂର୍ବାହ୍ନରେ ୫ ଘଣ୍ଟା ଧରି ଏଭଳି ତୁମୁଳକାଣ୍ଡ ଜାରି ରହିଥିଲେ ମଧ୍ୟ ପୁଲିସ୍ ଠିକ୍ ସମୟରେ ପହଞ୍ଚି ନଥିଲା। ଫଳରେ ଉଭୟ ପକ୍ଷରୁ ୧୦ଜଣ ଗୁରୁତର ଆହତ ହୋଇ ପୁରୀ ଓ ଭୁବନେଶ୍ୱରରେ ବିଭିନ୍ନ ଡାକ୍ତରଖାନାରେ ଭର୍ତି ହୋଇଥିବା ଜଣାପଡ଼ିଛି। କୃଷ୍ଣପ୍ରସାଦ ବ୍ଲକ୍ ସିପକୁଦା ଓ ବାଘମୁଣ୍ଡା ଗ୍ରମାବାସୀ ଚିଲିକାର କିଆନାଶି ଚିଙ୍ଗୁଡ଼ି ଜାଣକୁ ନେଇ ଦୁଇ ଗାଁ ମଧ୍ୟରେ ତିକ୍ତ ସଂପର୍କ ରହିଛି। ବିବାଦୀୟ ଜାଣ ନିକଟରେ ବାଘମୁଣ୍ଡା ଗାଁ ପକ୍ଷରୁ ପର୍ଯ୍ୟଟକଙ୍କୁ ଚିଲିକା ବୁଲାଇବାକୁ ଏକ ଜେଟି ନିର୍ମାଣ କରାଯାଇଛି । ତେବେ ଆଜି ସକାଳୁ ଏହି ଗାଁର ଯୁବକମାନେ ସିପକୁଦାରେ ଡଙ୍ଗା, ଜାଲ ଆଦି ପୋଡ଼ିି ଦେଇଥିବା ଅଭିଯୋଗ କରି ସିପକୁଦାର ଯୁବକମାନେ ଏହି ଜେଟିରେ ଭଙ୍ଗାରୁଜା କରିଥିଲେ ବୋଲି କୁହାଯାଉଛି। ଏହା ପରେ ଦୁଇ ଗାଁ ମଧ୍ୟରେ ତୁମୁଳକାଣ୍ଡ ଆରମ୍ଭ ହୋଇଯାଇଥିଲା। ବାଘମୁଣ୍ଡା ଗ୍ରାମବାସୀଙ୍କ କହିବା କଥା ହେଲା ସେମାନେ ଜେଟି ନିକଟରେ ଥିବାବେଳେ ହଠାତ୍ ସିପକୁଦା ଲୋକେ ଗୁଳି, ବୋମା ଓ ତୋପମାଡ଼ କରିଥିଲେ। ଭୋର୍ ସାଢେ ପାଞ୍ଚଟାରୁ କିଆନାସି ଯାଁଣ ନିକଟରେ ଥିବା ଜେଟି ପାଖରେ ଉଭୟ ଗାଁ ମଧ୍ୟରେ ଆରମ୍ଭ ହୋଇଥିଲା ଲଢ଼େଇ । ସଂଘର୍ଷ ଆରମ୍ଭ ହେବାର ଦୀର୍ଘ ତିନି ଘଣ୍ଟା ପରେ ବ୍ରହ୍ମଗିରି ଓ ସଦର ଏସ୍ଡିପିଓ ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଏନେଇ ସଂଧ୍ୟା ସୁଦ୍ଧା ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇ ନାହିଁ।
୨ଗାଁ ମୁହାଁମୁହିଁ: ୫ ଘଣ୍ଟାରେ ୩ ଶହ ବୋମାମାଡ଼
Advertisment
Follow Us