ରାଉରକେଲା: ଯାତାୟାତରେ ଧୋକାଦେଉଛି ଗ୍ରାମାଞ୍ଚଳ ରାସ୍ତା। ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ଠିକାସଂସ୍ଥାର ମନମାନି ଯୋଗୁ ବର୍ଷ ବର୍ଷ ଧରି ସ୍ଥାନୀୟ ଲୋକଙ୍କୁ ନାହିଁ ନଥିବା ଅସୁବିଧା ଭୋଗିବାକୁ ପଡୁଛି। ଖରା ଓ ଶୀତ ଦିନେ ଧୂଳିଧୂଆଁରେ ପୋତି ହେଉଛନ୍ତି।
ବର୍ଷା ଦିନେ ରାସ୍ତାରେ ଯାଇପାରୁନାହାନ୍ତି। ବିଭାଗ କେବଳ ଠିକାସଂସ୍ଥାକୁ ତାଗିଦ କରି ତା’କାମ ସାରିଦେଉଥିବାରୁ ଏଭଳି ସମସ୍ୟା ଉପୁଜୁଛି। ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ନୂଆଗାଁ-ବାଉଁଶଜୋର ପ୍ରାୟ ୧୪ କି.ମି. ମୁଖ୍ୟରାସ୍ତା ଏବେ ବ୍ଲକବାସୀ, ହଜାର ହଜାର ଗାଡ଼ିଚାଳକ ଓ ପଥଚାରୀଙ୍କ ପାଇଁ ଦୁଃଖ ପାଲଟିଛି।
ଆହୁରି ପଢ଼ନ୍ତୁ:Anganwadi Infrastructure Weak: ଅଙ୍ଗନୱାଡି ଭିତ୍ତିଭୂମି ଦୁର୍ବଳ, ଶିଶୁସୁରକ୍ଷାକୁ ନେଇ ବଢୁଛି ଚିନ୍ତା
ରାସ୍ତା ସମ୍ପ୍ରସାରଣ, ମରାମତି ଓ ତିନିଟି ପୋଲ ନିର୍ମାଣ ବାବଦରେ ଆର୍ ଆଣ୍ଡ ବି ପକ୍ଷରୁ ୨୦ କୋଟିରୁ ଅଧିକ ଟଙ୍କା ମଞ୍ଜୁର ହୋଇଛି। ଆଶ୍ଚର୍ଯ୍ୟ କଥା, କାମ ପାଇଥିବା ଠିକାସଂସ୍ଥା ପୂର୍ବରୁ କଳାତାଲିକାଭୁକ୍ତ ହୋଇଥିଲା। ଠିକାସଂସ୍ଥାର ମାଲିକ ନିଜ ସମ୍ପର୍କୀୟ ନାଁରେ ଆଉ ଏକ ଲାଇସେନ୍ସରେ ଏହି କାମ କରୁଛନ୍ତି।କାଲୋସିରିଆ, ବାଉଁଶଜୋର ଓ ଗୋପରେ ତିନିଟି ପୋଲ ବର୍ଷେ ହେବ ଅଧପନ୍ତରିଆ ହୋଇପଡିଛି। ପୋଲ ଉପରେ ରାସ୍ତା ଦୁଇ ବର୍ଷ ମଧ୍ୟରେ ୨୦% ମଧ୍ୟ କରାଯାଇ ନାହିଁ। ଦୈନିକ ଶହଶହ ଗାଡ଼ି ପୋଲତଳେ ବିପଦପୂର୍ଣ୍ଣ ରାସ୍ତାରେ ଯିବା ଆସିବା କରିବାକୁ ବାଧ୍ୟ ହେଉଛନ୍ତି।
ପାଲଟିଛି ମରଣଯନ୍ତା
ଗତ ଦୁଇ ବର୍ଷ ତଳେ ଅର୍ଥାତ୍ ୨୦୨୪ରେ ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇଥିଲା। ଦୁଇ ବର୍ଷ ମଧ୍ୟରେ ଠିକାସଂସ୍ଥା ମାତ୍ର ୪୦% କାମ ସାରିଛି। ତା’ପୁଣି ବିଭାଗୀୟ ଅଧିକାରୀ ବାରମ୍ବାର ତାଗିଦ କରିବା ପରେ। ଯଦି ୪୦% କାମ ସାରିବାକୁ ଠିକାସଂସ୍ଥାକୁ ଦୁଇ ବର୍ଷ ଲାଗୁଛି, ଅବଶିଷ୍ଟ ୬୦% କାମ କେତେ ବର୍ଷରେ ସରିବ, ତା’କହିବା ମୁସ୍କିଲ। ହାତୀବାରିରୁ ପୁରୁଣାପାଣିରୁ ନୂଆଗାଁ ସୋରଡା ଦେଇ ଝାଡ଼ଖଣ୍ଡକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତା ଏବେ ମରଣଯନ୍ତା ପାଲଟିଛି।
ଠିକାସଂସ୍ଥା ରାସ୍ତାଗୁଡ଼ିକୁ ଖୋଳି ସେମିତି ଛାଡ଼ି ଦେଇଥିବାରୁ ଦୈନନ୍ଦିନ ଦୁର୍ଘଟଣା ଘଟୁଛି। ଧୂଳି ଧୂଆଁରେ ସ୍ଥାନୀୟ ବାସିନ୍ଦା ଅଣନିଶ୍ବାସୀ ହୋଇପଡୁଛନ୍ତି। ବେଶି ଦୁର୍ଦ୍ଦଶା ଭୋଗୁଛନ୍ତି ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ। କେବଳ ଏତିକି ନୁହେଁ ନୂଆଗାଁ ପରିବାଚାଷୀ ଓ ଝାଡ଼ଖଣ୍ଡରୁ ଓଡ଼ିଶା ଆସୁଥିବା ବେପାରୀଙ୍କ ପାଇଁ ସମସ୍ୟା ଆହୁରି ଜଟିଳ ହୋଇପଡୁଛି। ଗୋପୁର କେନାଲ ଉପରେ ନିର୍ମାଣଧୀନ ପୋଲ କାମ ଏତେ ମନ୍ଥର ଗତିରେ ଚାଲିଛି, କେବେ ସରିବ କାହାରି ପାଖରେ ଉତ୍ତର ନାହିଁ।
ଆହୁରି ପଢ଼ନ୍ତୁ:Pakistan Sells PIA: ଆର୍ଥିକ ସମସ୍ୟା ମଧ୍ୟରେ PIA ବିକ୍ରି କରିଦେଲେ ପାକିସ୍ତାନ ସରକାର
ଏଭଳି ସମସ୍ୟା ସମ୍ପର୍କରେ ଆର୍ ଆଣ୍ଡ ବି କନିଷ୍ଠ ଯନ୍ତ୍ରୀ ହୃଷୀକେଶ ଦାସଙ୍କୁ ପଚାରିବାରୁ ସେ କହିଛନ୍ତି, ଠିକାସଂସ୍ଥାକୁ କାମ ସାରିବାକୁ ବାରମ୍ବାର ଦାଗିଦ କରାଯାଇଛି। କାରଣଦର୍ଶାଅ ନୋଟିସ୍ ମଧ୍ୟ ହୋଇଛି। ଆସନ୍ତା ମାର୍ଚ୍ଚ ସୁଦ୍ଧା ସାରିବାକୁ ଲିଖିତ ପ୍ରତିଶ୍ରୁତି ଦେଇଛି। ଯଦି ଏହି ସମୟ ମଧ୍ୟରେ କାମ ସାରନ୍ତି, ବିଭାଗ ପକ୍ଷରୁ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/12/24/baanshajore-nuagaan-road-2025-12-24-12-26-21.jpg)