ଇନ୍ଦ୍ରାବତୀ କେନାଲରେ ୨୦ ଫୁଟ୍‌ର ଘାଇ: ୩୦୦ଏକର ଚାଷଜମି ଜଳମଗ୍ନ

ଆଜବେଷ୍ଟସ ଭାଙ୍ଗି ବିପନ୍ନଙ୍କୁ ଉଦ୍ଧାର, ୩ ପରିବାର ଘରେ ୨ ଫୁଟ୍‌ ପାଣି

ଇନ୍ଦ୍ରାବତୀ କେନାଲରେ ୨୦ ଫୁଟ୍‌ର ଘାଇ: ୩୦୦ଏକର ଚାଷଜମି ଜଳମଗ୍ନ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ କଲମପୁର ବ୍ଲକ୍‌ ଦେପୁର ଗାଁ ନିକଟରେ ପ୍ରାୟ ୨୦ ଫୁଟ୍‌ର ଘାଇ ସୃଷ୍ଟି ହୋଇଛି। ଏଥରେ ପ୍ରାୟ ୩ ଶହ ଏକରରୁ ଅଧିକ ଚାଷଜମି ଜଳମଗ୍ନ ହୋଇଥିବାବେଳେ ୩ଟି ପରିବାରର ଘରେ ୨ଫୁଟ ପାଣି ପଶିଯାଇଛି। ସଂପୃକ୍ତ ୩ ବିପନ୍ନ ପରିବାରର ଲୋକଙ୍କୁ ଘରର ଆଜବେଷ୍ଟସ୍‌ ଛାତ ଭାଙ୍ଗି ଗ୍ରାମବାସୀ ଉଦ୍ଧାର କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, କଲମପୁର ବ୍ଲକ୍‌ ଦେପୁରଠାରେ ଇନ୍ଦ୍ରାବତୀ ଡାହାଣ ମୁଖ୍ୟ କେନାଲ ୪୧ କି.ମି. ସ୍ଥାନରେ ଏହି ୨୦ ଫୁଟିଆ ଘାଇ ହୋଇଥିଲା। ସୋମବାର ଭୋର୍‌ ପ୍ରାୟ ୪ଟାରେ ଘାଇହେବା ଯୋଗୁ ହଠାତ୍‌ ପାଣି ମାଡ଼ିଆସି ୩ଶହ ଏକରରୁ ଅଧିକ ଜମି ଜଳମଗ୍ନ ହେବାସହିତ ବାଲିଚର ମାଡ଼ିଯାଇଥିଲା। ଏଥିସହିତ, ଗାଁ ଭିତରକୁ ପାଣି ମାଡ଼ିଯିବା ଯୋଗୁଁ ଦେପୁର ମୁଖ୍ୟ ରାସ୍ତାରେ ୨ ଫୁଟ କେନାଲ ପାଣି ପ୍ରବାହିତ ହୋଇଥିଲା। ସେତେବେଳେ ଲୋକେ ଶୋଇଥିଲେ।ସେହିସମୟରେ, ଗ୍ରାମର ଶନିଶ୍ଚର ମାଲଙ୍କ ପରିବାରର ୬ ସଦସ୍ୟ, ବିମ୍ବାଧର ମାଲଙ୍କ ପରିବାରର ୪ ସଦସ୍ୟ ଓ କୃଷ୍ଣଚନ୍ଦ୍ର ମାଲଙ୍କ ପରିବାରର ୩ ସଦସ୍ୟ ପାଣିଘେରରେ ରହିଯାଇଥିଲେ। ପରେ ଆଜବେଷ୍ଟସ୍‌ ଛାତ ଭାଙ୍ଗି ସେମାନଙ୍କୁ ଗ୍ରାମବାସୀ ଉଦ୍ଧାର କରିଥିଲେ। ଉଦ୍‌ବେଗଜନକ ବିଷୟ ହେଉଛି, ଶନିଶ୍ଚରଙ୍କ ଝିଅ ବାହାଘର ଥିବା ଯୋଗୁଁ ସେ ଚାଉଳ, ଡାଲି ଓ ଅନ୍ୟାନ୍ୟ ସାମଗ୍ରୀ କିଣି ମହଜୁଦ ରଖିଥିଲେ। କେନାଲ ପାଣି ଯୋଗୁଁ ସବୁ ସାମଗ୍ରୀ ଧୋଇଯାଇଛି। ଫଳରେ, ପରିବାର ଲୋକେ ଏବେ ଚିନ୍ତାରେ ପଡ଼ିଛନ୍ତି।

ଇନ୍ଦ୍ରାବତୀ ପ୍ରକଳ୍ପ ପକ୍ଷରୁ ଘାଇ ସ୍ଥାନରେ ମାଟିପକା କାମ ଆରମ୍ଭ ହୋଇଛି। ଡାହାଣ ମୁଖ୍ୟ କେନାଲର ଲାଇନ କାମ ୪୧ କି.ମି. ପର୍ଯ୍ୟନ୍ତ କରାଯାଇଛି। କିନ୍ତୁ ଘାଇ ସ୍ଥାନରେ କାମ ହୋଇନଥିବା ଜଣାପଡ଼ିଛି। ତେବେ, କେନାଲ ଭାଙ୍ଗିଥିବା ସମ୍ମୁଖରେ କେନାଲ ମୁଖ୍ୟଗେଟ୍‌ ଥିବାବେଳେ ଏହାକୁ କେଉଁମାନେ ବନ୍ଦ କରିଥିଲେ ତାହା ତଦନ୍ତସାପେକ୍ଷ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। କଲମପୁର ବିଡିଓ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଏ ସମ୍ପର୍କରେ ଇନ୍ଦ୍ରାବତୀ ସିସିଇ ଜଗନ୍ନାଥ ପାଣି କହିଛନ୍ତି, କେନାଲ ଘାଇ ନେଇ ସରଜମିନ ତଦନ୍ତ ଚାଲିଛି। କ୍ଷୟକ୍ଷତିର ଆକଳନ ତଦନ୍ତ ପରେ ଜଣାପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe