Alcohol and Drug Foundation
ବୌଦ୍ଧ: ନୂତନ ଏସପି ରାଜ୍ ପ୍ରସାଦ ଏବେ ଗ୍ରିନ୍ କ୍ଲିନ ଅଭିଯାନ ଆରମ୍ଭ କରିଛନ୍ତି। ଗତ କିଛି ଦିନ ହେଲା ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ କରି ବିପୁଳ ପରିମାଣରେ ଗଞ୍ଜେଇ ଜବତ କରୁଛି। ଶୁକ୍ରବାର ବୌଦ୍ଧ ଜିଲ୍ଲାର ଅତ୍ୟନ୍ତ ଦୁର୍ଗମ ଅଞ୍ଚଳରେ ଚଢ଼ଉ କରିଛନ୍ତି। ପାହାଡ଼ ଉପର ଜଙ୍ଗଲ ମଧ୍ୟରେ ତିଆରି ହୋଇଥିବା ଅସ୍ଥାୟୀ ଗୋଦାମରେ ଚଢ଼ଉ କରାଯାଇଛି। ଏଭଳି ଏକାଧିକ ନିର୍ଜନ ଗୋଦାମରେ ଚଢ଼ଉ କରି ୨୦ କୁଇଣ୍ଟାଲ ୪୦ କିଲୋ ଗଞ୍ଜେଇ ଜବତ କରାଯାଇଥିବା ଶନିବାର ରାତିରେ ଏସପି ଶ୍ରୀ ପ୍ରସାଦ ସୂଚନା ଦେଇଛନ୍ତି। ଆଗକୁ ଅଭିଯାନକୁ ଅଧିକ ତୀବ୍ରତର କରିବା ଯୋଜନା ଥିବାରୁ ସ୍ଥାନର ଠିକଣା ଦେବାକୁ ବାରଣ କରିଛନ୍ତି।
ବହୁ କଷ୍ଟ ସ୍ବୀକାର କରି ଏକାଧିକ ଟ୍ରାକ୍ଟର ସାହାଯ୍ୟରେ ଗଞ୍ଜେଇ ଆଣିଥିବା ବେଳେ ଖବର ଲେଖା ଯିବା ପର୍ଯ୍ୟନ୍ତ କୋର୍ଟ ଚାଲାଣ ପାଇଁ ପ୍ରକ୍ରିୟା ଶେଷ ହୋଇନଥିବା ଜଣାଯାଇଛି। ଉଲ୍ଲେଖଯୋଗ୍ୟ, ଗଞ୍ଜେଇ ଚାଷ ଓ ଚୋରା ଚାଲାଣ ବୌଦ୍ଧ ଜିଲ୍ଲାର ମୁଖ୍ୟ ସମସ୍ୟା। ବର୍ଷ ବର୍ଷ ଧରି ପୁଲିସ ଓ ଅବକାର ବିଭାଗ ଗଞ୍ଜେଇ ଗଛ କାଟି ନଷ୍ଟ କରୁଛି। ଶହ ଶହ ଏକରରୁ ଗଛ କାଟି ନଷ୍ଟ କରୁଥିବା ଉଭୟ ବିଭାଗ ଦାବି କରୁଛନ୍ତି। ତଥାପି ଚୋରା ଚାଲାଣ ବେଳେ କୁଇଣ୍ଟାଲ ପରିମାଣରେ ଗଞ୍ଜେଇ ଜବତ ହେଉଛି। ଏହା ବ୍ୟତିତ ଗଳା ବାଟରେ ଚୋରା ଚାଲାଣ ହେଉଥିବା ଗଞ୍ଜେଇର ପରିମାଣ ଆକଳନ କରିବା ଅସମ୍ଭବ। ପୂର୍ବ ଏସପି ଜଙ୍ଗଲରେ ଗଢ଼ି ଉଠିଥିବା ଗଞ୍ଜେଇ କିଆରିରେ ଚଢ଼ଉ କରି ବ୍ୟାପକ ସଂଖ୍ୟାରେ ଗଛ କାଟି ନଷ୍ଟ କରାଯାଇଥିଲା। ସମାନ୍ତରାଳ ଭାବରେ ଚୋରା ଚାଲାଣ ହେବା ବେଳେ ରାସ୍ତାରେ ନାକାବନ୍ଦି କରି ଧରପକଡ଼ କରିଥିଲେ। ତଥାପି ପୁଲିସ ପହଞ୍ଚି ପାରି ନଥିବା ଅନେକ ଅଞ୍ଚଳରେ ସଫଳତାର ସହ ଗଞ୍ଜେଇ ଅମଳ କରାଯାଇଥିବା ସନ୍ଦେହ କରାଯାଉଥିଲା। ଏବେ ନୂତନ ଏସପି ଶ୍ରୀ ପ୍ରସାଦ ଦୁର୍ଗମ ସ୍ଥାନରେ ଚାଲାଣ ପାଇଁ ଗଚ୍ଛିତ ରଖାଯାଇଥିବା ସ୍ଥାନରେ ଚଢ଼ଉ ଆରମ୍ଭ କରିଛନ୍ତି।
Follow Us