Hindustan Times
ଯାଜପୁରଟାଉନ/ସଦର: ସ୍କୁଲ ଯିବା ରାସ୍ତାରେ ଜଣେ ନାବାଳିକାକୁ ଅପହରଣ କରିନେଇ ଦୁଷ୍କର୍ମ କରିବା ମାମଲାର ବିଚାର ହୋଇ ରାୟ ପ୍ରକାଶ ପାଇଛି। ନାବାଳିକା ଛାତ୍ରୀକୁ ଦୁଷ୍କର୍ମ ସହ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ଯାଜପୁର ପୋକ୍ସୋ ଅଦାଲତ ଅଭିଯୁକ୍ତ ବଢ଼େଇଟିକର ଗ୍ରାମର ପୂର୍ଣ୍ଣଚନ୍ଦ୍ର ମଲ୍ଲିକକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
୨୦୧୯ ଅକ୍ଟୋବର ୩୧ ତାରିଖରେ ପାଣିକୋଇଲି ଥାନା ଅଞ୍ଚଳର ଜନୈକା ନାବାଳିକା ସ୍କୁଲ ଯାଉଥିଲା। ପୂର୍ଣ୍ଣଚନ୍ଦ୍ର ବାଟରୁ ଝିଅଟିକୁ ଉଠାଇ ନେଇଥିଲା। ଘରେ ପିଲା ଓ ପତ୍ନୀଙ୍କ ଅନୁପସ୍ଥିତିରେ ଦୁଷ୍କର୍ମ କରିଥିଲା। ଘଟଣା ସଂପର୍କରେ କାହାକୁ କହିଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା। ଦିନକ ପରେ ଛାତ୍ରୀଜଣକ ଅସୁସ୍ଥ ହେବାରୁ ପରିବାର ଲୋକ ପଚାରି ସବୁ ବୁଝିବା ପରେ ପାଣିକୋଇଲି ଥାନାରେ ଅଭିଯୋଗ କରିଥିଲେ। ପୁଲିସ କେସ୍ ନଂ ୨୧୩/୧୯ ଦଫା ୩୭୬(ଏବି), ୩୪୨, ୫୦୬, ୬ ଦଫାରେ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଏହାର ବିଚାର କରି ସ୍ବତନ୍ତ୍ର ପୋକ୍ସୋ ବିଚାରପତି ଜାନକୀ ବିଶ୍ବାଳ ୨୦ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ମାମଲାକୁ ଆଇନଜୀବୀ ରାଜୀବ ମହାନ୍ତି ପରିଚାଳନା କରିଥିଲେ।
Follow Us