ରଥ ଯାତ୍ରା ପାଇଁ ପୁରୀକୁ ୨ଶହ ସ୍ପେଶାଲ ବସ୍‌, ଭଡ଼ା ଅପରିବର୍ତ୍ତିତ

ରାସ୍ତା ଜାମ ଏଡାଇବା ଲାଗି ୨୦ କ୍ରେନ, ଦିବ୍ୟାଙ୍ଗଙ୍କ ପାଇଁ ଇ-ରିକ୍ସା ବ୍ୟବସ୍ଥା

ରଥ ଯାତ୍ରା ପାଇଁ ପୁରୀକୁ ୨ଶହ ସ୍ପେଶାଲ ବସ୍‌, ଭଡ଼ା ଅପରିବର୍ତ୍ତିତ

Odisha Sun Times

କଟକ : ରଥଯାତ୍ରାରେ ଯାତ୍ରୀସେବା ସୁରୁଖୁରୁରେ ସମ୍ପାଦନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ହୋଇଛି। ନିଷ୍ପତ୍ତି ଅନୁଯାୟୀ ରଥଯାତ୍ରା, ବାହୁଡା ଏବଂ ସୁନାବେଶରେ ପୁରୀକୁ ଅଧିକ ୨ଶହ ବସ ଚଳାଚଳ କରିବ। ଦୈନିକ କଟକ, ଭୁବନେଶ୍ବରରୁ ପୁରୀକୁ ୨୩୦ ଖଣ୍ଡ ବସ ଚାଲୁଥିବାବେଳେ ରଥଯାତ୍ରା ସମୟରେ ଜୁଲାଇ ୩, ୪ ଓ ୫ ତାରିଖରେ ଅଧିକ ଦୁଇ ଶହ ବସ ଚଳାଚଳ କରିବ। ସେହିପରି ବାହୁଡା ସୁନାବେଶ ଦର୍ଶନ ପାଇଁ ଜୁଲାଇ ୧୨, ୧୩, ୧୪ ତାରିଖରେ କଟକ ଏବଂ ଭୁବନେଶ୍ବରୁ ପୁରୀକୁ ଦୁଇ ଶହ ବସ ଯାତାୟତ କରିବ। ଏଥିସହିତ ଭୁବନେଶ୍ବରକୁ ଆସୁଥିବା ଦୂରଗାମୀ ବସର ଗତିପଥକୁ ସଂପ୍ରସାରଣ କରାଯାଇ ଏହି ଦିନଗୁଡିକରେ ବସ ସବୁ ପୁରୀ ଯାଏ ଗଡିବ ବୋଲି ସୂଚନା ମିଳିଛି। ବସଗୁଡିକ ତାଳବଣିଆ ବସଷ୍ଟାଣ୍ଡରେ ଷ୍ଟପେଜ କରୁଥିବାବେଳେ ୨୪ ଘଣ୍ଟା କଟକ, ପୁରୀ, ଭୁବନେଶ୍ବର ବସଷ୍ଟାଣ୍ଡରୁ ଯାତ୍ରୀସେବା ଯୋଗାଇ ଦେବେ। ଯାତ୍ରୀମାନେ ତାଳବଣିଆରୁ ଚାଲି କରି ଯିବା ପାଇଁ ସ୍ଥିର ହୋଇଛି। ଦିବ୍ୟାଙ୍ଗମାନଙ୍କ ଲାଗି ପାଞ୍ଚଟି ଇ-ରିକ୍ସାର ବ୍ୟବସ୍ଥା ହୋଇଛି। ଯାତ୍ରୀମାନଙ୍କ ପାଇଁ ତାଳବଣିଆ ବସଷ୍ଟାଣ୍ଡରେ ୨୦ ଟଙ୍କିଆ ମିଲର ସୁବିଧା କରାଯାଇଛି। ପ୍ରତି ବସ ଏବଂ ବସଷ୍ଟାଣ୍ଡରେ ପାନୀୟ ଜଳର ବ୍ୟବସ୍ଥା ହୋଇଥିବାବେଳେ ବସଗୁଡିକରେ ୧ ହଜାର ହେଲଥ କିଟ ରହିବ।

ରଥଯାତ୍ରା ସମୟରେ ଯାତ୍ରୀଭଡା ଅପରିବର୍ତ୍ତିତ ରହିବ। ସାଧାରଣ ବସରେ କିମି ପିଛା ୬୮ ,ଏକ୍ସପ୍ରେସରେ ୭୧, ଡିଲକ୍ସରେ ୯୭ ଏବଂ ଏସି ଡିଲକ୍ସରେ କିମି ପିଛା ଏକ ଟଙ୍କା ଉଣେଇଶ ପଇସା ଭଡା ରହିଛି। ଏହି ପରିପ୍ରେକ୍ଷୀରେ ଆଜି କେନ୍ଦ୍ରାଞ୍ଚଳ ଆରଡିସି ତଥା ପରିବହନ କମିଶନର ଅନୀଲ ସାମଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପୁରୀ ଏସ.ପି, କଟକ ଜିଲ୍ଲାର ଅତିରିକ୍ତ ଏସ.ପି,ଭୁବନେଶ୍ବର ଆରଟିଓ(୧ଏବଂ ୨), କଟକ ଏମଭିଆଇ ପ୍ରମୁଖଙ୍କ ସହ ରାଜ୍ୟ ଘରୋଇ ବସ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ, ମୁଖପାତ୍ର ଦେବାଶିଷ ନାୟକ, ଭୁବନେଶ୍ବର ଶାଖା ସମ୍ପାଦକ ବି.ବି ସ୍ବାଇଁ, କଟକ ସମ୍ପାଦକ ଅଜୟ କୁମାର ବାରିକ, ପୁରୀ ସମ୍ପାଦକ ଲୋକନାଥ ପାଣି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe