ପଶ୍ଚିମ ଓଡ଼ିଶାରେ ୨୦୦୦ ‘ମୁଖ୍ୟମନ୍ତ୍ରୀ ସଭାଗୃହ’

Advertisment
ପଶ୍ଚିମ ଓଡ଼ିଶାରେ ୨୦୦୦ ‘ମୁଖ୍ୟମନ୍ତ୍ରୀ ସଭାଗୃହ’

ଭୁବନେଶ୍ବର : ପଶ୍ଚିମ ଓଡ଼ିଶା ପାଇଁ ‘ମୁଖ୍ୟମନ୍ତ୍ରୀ ସଭାଗୃହ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଯୋଜନାରେ ପଶ୍ଚିମ ଓଡ଼ିଶାର ପ୍ରାୟ ୨୦୦୦ଟି କଲ୍ୟାଣ ମଣ୍ଡପ ଓ ସ୍ଥାନୀୟ ସଭାଗୃହ ଗୁଡ଼ିକର ନିର୍ମାଣ ହାତକୁ ନିଆଯିବ। ଏଥି ପାଇଁ ୧୨୫ କୋଟି ଟଙ୍କା ବିନିଯୋଗ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହା ଦ୍ବାରା ପଶ୍ଚିମ ଓଡ଼ିଶାର ଜନସାଧାରଣଙ୍କ ସାମାଜିକ ଓ ସାଂସ୍କୃତିକ ଜୀବନ ଆହୁରି ସକ୍ରିୟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ୫-ଟି ଉପକ୍ରମରେ ଏହି କାର୍ଯ୍ୟକ୍ରମ କରାଯାଉଛି ବୋଲି ପ୍ରକାଶ କରି ଏହିସବୁ ଭିତ୍ତିଭୂମି କାମ ଠିକ୍ ସମୟରେ ଶେଷ ହେବ ଓ ଏହାର ଗୁଣାତ୍ମକ ମାନ ମଧ୍ୟ ବହୁତ ଭଲ ରହିବ ବୋଲି ସେ ଆଶାପ୍ରକାଶ କରିଥିଲେ। ଏହା ସହିତ ମୁଖ୍ୟମନ୍ତ୍ରୀ ୩୩.୫୮ କୋଟି ଟଙ୍କା ବିନିଯୋଗରେ ଅନେକ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

୧୨୫ କୋଟି ଖର୍ଚ୍ଚ ହେବ
୩୩ କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିସ୍ଥାପନ
ପଶ୍ଚିମ ଓଡ଼ିଶା ପାଇଁ ମୋର ସ୍ୱତନ୍ତ୍ର ଧ୍ୟାନ ରହିଛି: ମୁଖ୍ୟମନ୍ତ୍ରୀ

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ସେ ସବୁବେଳେ ସ୍ବତନ୍ତ୍ର ଧ୍ୟାନ ଦେଇଆସିଛନ୍ତି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବଜେଟ ଦୁଇ ଗୁଣ ହେବା ସହିତ ଏହାର କାର୍ଯ୍ୟକ୍ରମ ମଧ୍ୟ ବୃଦ୍ଧି ପାଇଛି। ଜନପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ବିକାଶ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ସେ ବିକାଶ ପରିଷଦକୁ ପରାମର୍ଶ ଦେଇଛନ୍ତି ବୋଲି ପ୍ରକାଶ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶାର ବିକାଶରେ ପଶ୍ଚିମ ଓଡ଼ିଶାର ଭୂମିକା ଗୁରୁତ୍ବପୂର୍ଣ୍ଣ। କୃଷି, ଶିଳ୍ପ, ଖଣି, ଶିକ୍ଷା, କଳା ଓ ସଂସ୍କୃତିରେ ସମୃଦ୍ଧ ହେଉଛି ପଶ୍ଚିମ ଓଡ଼ିଶା। ପର୍ଯ୍ୟଟନର ବିକାଶ ପାଇଁ ମା’ ସମଲେଶ୍ୱରୀ, ହରିଶଙ୍କର ଓ ନୃସିଂହନାଥ ମନ୍ଦିରର ରୂପାନ୍ତର କାମ ଚାଲିଛି। ଏହା ସହିତ ଆହୁରି ଅନେକ ମନ୍ଦିର ଓ ଭିତ୍ତିଭୂମି କାମ ପାଇଁ ମଧ୍ୟ ପଦକ୍ଷେପ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜରିଆରେ ସବୁ କାମ ତଦାରଖ କରୁଛି। ପଶ୍ଚିମ ଓଡ଼ିଶା ଖୁବ ଶୀଘ୍ର ବିକାଶର ସବୁ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।

ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ଼ରେ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ, ବରଗଡ଼ରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ, ଦେବଗଡ଼ରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ପ୍ରମୁଖ ଯୋଗ ଦେଇ ପଶ୍ଚିମ ଓଡ଼ିଶାର ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଯୋଜନାବଦ୍ଧ କାର୍ଯ୍ୟକ୍ରମର ଉଚ୍ଚପ୍ରଶଂସା କରିଥିଲେ। ବୈଠକରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ପ୍ରାରମ୍ଭିକ ସୂଚନା ଦେଇଥିଲେ। ସିଇଓ ଅଜିତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଉଦ୍‌ଘାଟିତ ପ୍ରକଳ୍ପ ମଧ୍ୟରେ ବଲାଙ୍ଗୀର ଗଡ଼ିଆଜୋର ସେତୁ, ଟିଟିଲାଗଡ଼ ଟାଉନହଲ୍‌, ବରଗଡ଼ ଇକୋ ଟୁରିଜିମ୍‌ ଭିତ୍ତିଭୂମି, ଦେବଗଡ଼ କଲେଜର ନୂଆ ଅଡିଟୋରିଅମ, କଳାହାଣ୍ଡି ବ୍ରଜମୋହନ ହାଇସ୍କୁଲର ନୂଆ ହଷ୍ଟେଲ, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ନୂଆ ଅଡିଟୋରିଅମ ଓ କୁଚିଣ୍ଡା କଲେଜର ଅଡିଟୋରିଅମ ରହିଛି । ଭିତ୍ତିଭୂମି ରଖାଯାଇଥିବା ପ୍ରକଳ୍ପ ମଧ୍ୟରେ ବରଗଡ଼ ଜନ୍ଦୋଲ ଗାଁର କମ୍ୟୁନିଟି ହଲ୍‌, ବରୋମୁଣ୍ଡା କଳାଗ୍ରାମ, କଟାବାହାଲ ପର୍ଯ୍ୟଟନ କେନ୍ଦ୍ର ଏବଂ କଳାହାଣ୍ଡିର ବିଭିନ୍ନ ଜଳାଶୟର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ଏବଂ ସମ୍ବଲପୁର କେସିଆବାହାଲ ଠାରେ ନୂତନ ବହୁମୁଖୀ ହଲ୍‌ର ନିର୍ମାଣ କାମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe