ପୁରୀ: ରଥଯାତ୍ରା ପାଇଁ ପୁଲିସ ପ୍ରସ୍ତୁତି ଶେଷ କରିଛି। ଆଜି ପୁଲିସ ମହାନିର୍ଦ୍ଦେଶକ(ଡିଜିପି) ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଟାଉନ୍ ହଲ୍ଠାରେ ବୈଠକ ହୋଇଥିଲା। ପୁଲିସ ଡିଜିପି ଶ୍ରୀ ଖୁରାନିଆ କହିଛନ୍ତି ଯେ ଚଳିତବର୍ଷ ପୁଲିସ ବ୍ୟବସ୍ଥାକୁ ୮ଟି ଭାଗରେ ବିଭକ୍ତ କରାଯାଇଛି। ଟ୍ରାଫିକ୍ ବ୍ୟବସ୍ଥା, ଶ୍ରୀମନ୍ଦିର ଭିତର ସୁରକ୍ଷା, କର୍ଡନ ଭିତର ସୁରକ୍ଷା, କର୍ଡନ ବାହାର ସୁରକ୍ଷା, ଗହଳି ନିୟନ୍ତ୍ରଣ, ସୁରକ୍ଷା ବ୍ୟବସ୍ଥା, କୋଷ୍ଟାଲ୍ ବ୍ୟବସ୍ଥା ମଧ୍ୟ କରାଯାଇଛି। ପ୍ରଥମ ଥର ପାଇଁ ଇଣ୍ଟିଗ୍ରେଟେଡ୍ କମାଣ୍ଡ୍ ଆଣ୍ଡ୍ କଣ୍ଟ୍ରୋଲ୍ ସିଷ୍ଟମ୍ କରାଯାଇଛି। ଏହି ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ ରୁମ୍ରେ ରହି ୨୭୫ଟି ଏଆଇ କ୍ୟାମେରା ମାଧ୍ୟମରେ ଉତ୍ତରା ଛକରୁ ପୁରୀ ସହର, ପୁରୀରୁ କୋଣାର୍କ ଓ ପୁରୀ ସହରାଞ୍ଚଳର କୌଣସିଠାରେ ଟ୍ରାଫିକ୍ ଜାମ୍ ସମସ୍ୟାର ମୁକାବିଲା ପାଇଁ ନିଷ୍ପତ୍ତି ନେଇହେବ। ସେହିପରି ଆଣ୍ଟି ଡ୍ରୋନ୍ ସିଷ୍ଟମ୍, ବହୁ ସଂଖ୍ୟାରେ ଆଣ୍ଟି ସାବୋଟାଜ୍ ଟିମ୍, ଡଗ୍ ସ୍କ୍ବାଡ୍ ମୁତୟନ ରହିଛି।
ସେହିପରି ଚଳିତବର୍ଷ ୨୧ ଆଇପିଏସ୍, ୧୨ଶହ ଅଫିସରଙ୍କ ସହିତ ୨୦୫ ପ୍ଲାଟୁନ୍ ପୁଲିସ ଫୋର୍ସର ବ୍ୟବସ୍ଥା କରାଯାଇଛି। ଜଳପଥ ତଟ ସୁରକ୍ଷା ପାଇଁ ମେରାଇନ୍ ପୁଲିସ ଟିମ୍, କୋଷ୍ଟଗାର୍ଡ, ନୌବାହିନୀ (ନାଭାଲ୍)ର ପାଟ୍ରୋଲିଂ ରହିବ। କୋଷ୍ଟଗାର୍ଡର ଆଉ ଏକ ଟିମ୍ ଆକାଶମାର୍ଗରୁ ସମୁଦ୍ରକୂଳକୁ ତୀକ୍ଷ୍ଣ ନଜର ରଖିବେ। ଟ୍ରାଫିକ୍ ବ୍ୟବସ୍ଥାର ସୁବନ୍ଦୋବସ୍ତ କରିବା ପାଇଁ ଏକ ନୂଆ ଆପ୍ ଖୋଲାଯିବ। ଏହି ଆପ୍ ମାଧ୍ୟମରେ ଲୋକମାନେ ଯା’ଆସ କରିବାକୁ ଅନୁରୋଧ କରାଯାଇଛି।
  
 Follow Us