Image Courtesy of India Today
ବାଲେଶ୍ୱର: ହାୱଡ଼ାରୁ ଭୁବନେଶ୍ବର ଆସୁଥିବା ଏକ ଯାତ୍ରୀବାହୀ ଟ୍ରେନ୍ରୁ ୨୧ ଜଣ ନାବାଳକଙ୍କୁ ଉଦ୍ଧାର କରିଛି ବାଲେଶ୍ବର ରେଳ ସୁରକ୍ଷା ବଳ (ଆରପିଏଫ୍)। ଉଦ୍ଧାର ହୋଇଥିବା ସମସ୍ତ ନାବାଳକ ସଂଖ୍ୟାଲଘୁ ସମ୍ପ୍ରଦାୟର।
ସୂଚନା ଅନୁସାରେ, ରବିବାର ବିଳମ୍ବିତ ରାତିରେ ବିନା ଅଭିଭାବକରେ ଏତେ ସଂଖ୍ୟାରେ ନାବାଳକ ଏକାଠିହୋଇ ଟ୍ରେନ୍ରେ ଯାତ୍ରା କରୁଥିବା ଦେଖି କିଛି ଯାତ୍ରୀ ସନ୍ଦେହ କରିଥିଲେ ଏବଂ ସଙ୍ଗେସଙ୍ଗେ ରେଳ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। ଖଡ଼ଗପୁର ଷ୍ଟେସନ୍ ଅତିକ୍ରମ କରିବା ପରେ ଆରପିଏଫ୍ ଟିମ୍ ସମ୍ପୃକ୍ତ ନାବାଳକମାନେ ବସିଥିବା ବଗିରେ ଚଢ଼ଉ କରି ସମସ୍ତଙ୍କୁ ନିଜ ହେପାଜତକୁ ନେଇଥିଲା। ରାତି ପ୍ରାୟ ସାଢ଼େ ୧୨ଟାରେ ଟ୍ରେନ୍ ବାଲେଶ୍ବରରେ ପହଞ୍ଚିବା ପରେ ନାବାଳକମାନଙ୍କୁ ଷ୍ଟେସନରୁ ଓହ୍ଲାଇ ଉତ୍କଳ ବାଳାଶ୍ରମକୁ ନିଆଯାଇଥିଲା।
ଆଜି ପୂର୍ବାହ୍ନ ସାଢେ ୯ଟାରେ ଆର୍ପିଏଫ୍ ଟିମ୍ ପିଲାମାନଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରିଛି। ପଚରାଉଚୁରା ବେଳେ ସେମାନେ ସମସ୍ତେ ବିହାର ଆରିହା ଜିଲ୍ଲାର ବୋଲି କହିଛନ୍ତି। ଯାଜପୁର ଜିଲ୍ଲା ବ୍ରହ୍ମବରଦାରେ ଥିବା ଏକ ମଦ୍ରାସାରେ ସେମାନେ ପାଠ ପଢ଼ୁଛନ୍ତି ଓ ଛୁଟି ସମୟରେ ସମସ୍ତେ ଘରକୁ ବୁଲି ଯାଇଥିବା ବେଳେ ଗତକାଲି ରାତିରେ ଟ୍ରେନ୍ରେ ଫେରୁଥିଲେ। ଅଧାବାଟରେ ଆର୍ପିଏଫ୍ ସେମାନଙ୍କୁ ଧରି ଏଠାକୁ ଆଣିଥିବା ସଂପୃକ୍ତ ନାବାଳକମାନେ କହିଛନ୍ତି। ତେବେ, କିଛି ପିଲାଙ୍କ ଉତ୍ତରରେ କୌଣସି ତାଳମେଳ ନ ରହିବାରୁ ସିଡବ୍ଲୁସି ସଦସ୍ୟଙ୍କ ସନ୍ଦେହ ବଢ଼ିଥିଲା। ତେବେ, ନାବାଳକଙ୍କ ଅଭିଭାବକ ତଥା ସେମାନଙ୍କ ପରିବାର ସହ ଯୋଗାଯୋଗ ପାଇଁ ବିହାର ଆରିହା ଶିଶୁ ମଙ୍ଗଳ ସମିତିକୁ ଅବଗତ କରାଯାଇଛି। ତଥ୍ୟପ୍ରମାଣ ସହ ପିଲାମାନଙ୍କ ପରିଚୟ ମିଳିଲେ ବିହାରସ୍ଥିତ ସେମାନଙ୍କ ଘରକୁ ପଠାଯିବ ବୋଲି ବାଲେଶ୍ବର ସିଡବ୍ଲୁସି ପକ୍ଷରୁ କୁହାଯାଇଛି। ସିଡବ୍ଲୁସି ଅଧ୍ୟକ୍ଷ ଡକ୍ଟର ମୃତ୍ୟୁଞ୍ଜୟ ପଣ୍ଡା, ସଦସ୍ୟ ଶତ୍ରୁଘ୍ନ ମଲ୍ଲିକ, ପ୍ରିୟରଞ୍ଜନ ମହାନ୍ତି ଓ ଅନିତା କରଙ୍କ ଉପସ୍ଥିତିରେ ଉଦ୍ଧାର ୨୧ ନାବାଳକଙ୍କୁ ଉତ୍କଳ ବାଳାଶ୍ରମ ଜିମା ଦିଆଯାଇଛି।
Follow Us