ମାଟ୍ରିକ୍‌ ମାର୍କରେ ୦.୩୯% ପିଲା ଅସନ୍ତୁଷ୍ଟ, ମାର୍କ ବୃଦ୍ଧି ପାଇଁ ପରୀକ୍ଷା ଦେବେ ୨୨୪୪

Advertisment

ଫର୍ମ ପୂରଣ କଲେ ୧୫ ହଜାର ୧୫୫

ଫର୍ମ ପୂରଣ କଲେ ୧୫ ହଜାର ୧୫୫

ମାଟ୍ରିକ୍‌ ମାର୍କରେ ୦.୩୯% ପିଲା ଅସନ୍ତୁଷ୍ଟ, ମାର୍କ ବୃଦ୍ଧି ପାଇଁ ପରୀକ୍ଷା ଦେବେ ୨୨୪୪

image source-Hindustan Times

ଭୁବନେଶ୍ବର : ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପରେ ମୂଲ୍ୟାୟନକୁ ନେଇ ବିବାଦ ହୋଇଥିଲା। ସ୍କୁଲ ପକ୍ଷରୁ ଦିଆଯାଇଥିବା ମାର୍କକୁ ମାଧ୍ୟମିକ ଶିକ୍ଷା ପରିଷଦ କର୍ତୃପକ୍ଷ ହ୍ରାସ କରିଦେଇଥିବା ଛାତ୍ରଛାତ୍ରୀ ଅଭିଯୋଗ ଆଣିଥିଲେ। ଆଶା କରାଯାଉଥିଲା ଯେଉଁମାନଙ୍କର ମାର୍କ କମିଛି ସେମାନେ ପୁଣିଥରେ ପରୀକ୍ଷା ଦେବେ। ରେଗୁଲାରରେ ୫ ଲକ୍ଷ ୬୨ ହଜାର ୧୦ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍‌ ପାସ୍‌ କରିଥିବା ବେଳେ ୨୨୪୪ ଜଣ ରେଗୁଲାର ପିଲା ଅଫ୍‌ଲାଇନ୍‌ରେ ପରୀକ୍ଷା ଦେବା ଲାଗି ଫର୍ମ ପୂରଣ କରିଛନ୍ତି। ଅର୍ଥାତ୍‌ ରେଗୁଲାର ମାତ୍ର ୦.୩୯% ପିଲା ନିଜ ମାର୍କକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ଏବଂ ପରୀକ୍ଷା ଦେବା ଲାଗି ଫର୍ମ ପୂରଣ କରିଛନ୍ତି। ଭୁବନେଶ୍ବର ଓ ପୁରୀର ଯେଉଁ ଛାତ୍ରଛାତ୍ରୀ ମାଟ୍ରିକ୍‌ ମାର୍କକୁ ନେଇ ଅସନ୍ତୁଷ୍ଟ ହେବା ସହ ଆନ୍ଦୋଳନକୁ ଓହ୍ଲାଇଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଫର୍ମ ପୂରଣ କରି ନ ଥିବା ଜଣାପଡ଼ିଛି।

ତେବେ ଏକ୍ସ-ରେଗୁଲାରର ବହୁ ଛାତ୍ରଛାତ୍ରୀ ପରୀକ୍ଷା ଦେବା ଲାଗି ଆଗ୍ରହ ପ୍ରକାଶ କରିଥିବା ଦେଖିବାକୁ ମିଳିଛି। ମାଧ୍ୟମିକ ଶିକ୍ଷା ପରିଷଦ ତଥ୍ୟ ଅନୁଯାୟୀ ଦଶମ ପରୀକ୍ଷା ସମେତ ଏସ୍‌ଓଏସ୍‌ସି ଓ ମଧ୍ୟମା ପରୀକ୍ଷା ଲାଗି ମୋଟ ଉପରେ ୧୫ ହଜାର ୧୫୫ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି। ମାଟ୍ରିକ୍‌ ପରୀକ୍ଷା ଲାଗି କେବଳ ୬୫୯୬ ଜଣ ଆବେଦନ କରିଛନ୍ତି। ସେଥିମଧ୍ୟରୁ ମାର୍କ ବୃଦ୍ଧି କରିବାକୁ ୨୨୪୪ ଜଣ ଫର୍ମ ପୂରଣ କରିଥିବା ବେଳେ ପରୀକ୍ଷା ଦେବାକୁ ବଞ୍ଚିତ ହୋଇଥିବା ୧୯୬ ଜଣ ନୂଆ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି। ଏକ୍ସ-ରେଗୁଲାରର ୧୮୭୨, କରେସ୍‌ପଣ୍ଡେନ୍ସ ପାଠ୍ୟକ୍ରମ (ରେଗୁଲାର)ରେ ୨୨୫୫ ଓ କରେସ୍‌ପଣ୍ଡେନ୍ସ ପାଠ୍ୟକ୍ରମ(ଏକ୍ସ-ରେଗୁଲାର)ରେ ୨୯ ଜଣ ପରୀକ୍ଷା ଦେବା ପାଇଁ ଇଚ୍ଛୁକ ଅଛନ୍ତି।

ଅନ୍ୟପକ୍ଷରେ ଏସ୍‌ଓଏସ୍‌ସିର ପରୀକ୍ଷା ପାଇଁ ୮ ହଜାର ୪୯୩ ଜଣ ଫର୍ମ ପୂରଣ କରିଛନ୍ତି। ଯେଉଁଥିରେ ନୂଆ କରି ୭ ହଜାର ୧୬୦ ଜଣ ଥିବା ବେଳେ ବ୍ୟାକ୍‌ର ୧୩୩୩ ଜଣ ରହିଛନ୍ତି। ମଧ୍ୟମା ପରୀକ୍ଷା ଲାଗି ମୋଟ ୬୬ ଜଣ ଫର୍ମ ପୂରଣ କରିଛନ୍ତି। ସେଥିରୁ ରେଗୁଲାରାରେ ୫୪ ଓ ଏକ୍ସ ରେଗୁଲାରରେ ୧୨ ଜଣ ଅଛନ୍ତି। ଜୁଲାଇ ୩୦ରୁ ଅଗଷ୍ଟ ୫ ପର୍ଯ୍ୟନ୍ତ ଅଫ୍‌ଲାଇନ୍‌ରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଫର୍ମ ପୂରଣ ସରିଥିବାରୁ ଏବେ ପରୀକ୍ଷା ପାଇଁ ପରିଷଦ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe