୨୨ ବର୍ଷ ପରେ ଅଞ୍ଜନା ଗଣଦୁଷ୍କର୍ମ ମାମଲାର ତଦନ୍ତ ଶେଷ, ବିବନ ବିରୋଧରେ ଚାର୍ଜସିଟ ଦାଖଲ କଲା ସିବିଆଇ

Advertisment
୨୨ ବର୍ଷ ପରେ ଅଞ୍ଜନା ଗଣଦୁଷ୍କର୍ମ ମାମଲାର ତଦନ୍ତ ଶେଷ, ବିବନ ବିରୋଧରେ ଚାର୍ଜସିଟ ଦାଖଲ କଲା ସିବିଆଇ

ଭୁବନେଶ୍ବର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ଓରଫ୍ ବିବେକାନନ୍ଦ ବିଶ୍ବାଳ ବିରୋଧରେ ଫାଇନାଲ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ। ମାମଲାର ତଦନ୍ତ କରୁଥିବା ସିବିଆଇର କୋଲକାତା ଶାଖାର ତଦନ୍ତକାରୀ ଅଧିକାରୀ ଆଜି ଭୁବନେଶ୍ବର ସ୍ବତନ୍ତ୍ର ସିଜେଏମ୍ ସିବିଆଇ କୋର୍ଟରେ ଏହି ଚାର୍ଜସିଟ୍ ଦାଖଲ କରିଛନ୍ତି। ଏହା ସହିତ ୨୨ ବର୍ଷ ତଳର ଏହି ମାମଲାର ତଦନ୍ତ ଶେଷ ହୋଇଛି। ଏହି ମାମଲା ଖୋର୍ଦ୍ଧା ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ବିଚାରାଧୀନ ଥିବାରୁ ସେହି କୋର୍ଟକୁ ଚାର୍ଜସିଟ୍ ପଠାଇ ଦିଆଯିବ ଏବଂ ମାମଲାର ପରବର୍ତ୍ତୀ ଶୁଣାଣି ସେଠାରେ ହିଁ ଚାଲିବ।

୧୯୯୯ ମସିହାରେ ଅଞ୍ଜନ ଗଣଦୁଷ୍କର୍ମ ମାମଲା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ସେତେବେଳେ ପୁଲିସ ଦୁଇ ଜଣ ଅଭିଯୁକ୍ତ ଧୀରେନ୍ଦ୍ର ମହାନ୍ତି ଓ ପଦିଆ ସାହୁଙ୍କୁ ଗିରଫ କରିବା ପରେ ଚାର୍ଜସିଟ୍ ଦାଖଲ ହୋଇଥିଲା ତେବେ ଅନ୍ୟତମ ଅଭିଯୁକ୍ତ ବିବନ ଫେରାର ଥିବା ଦର୍ଶାଯାଇଥିଲା। ୨୨ ବର୍ଷ ପରେ ବିବନ ପୁଲିସ ହାତରେ ଧରାପଡ଼ିଥିଲା। ଜାଲ୍ ପରିଚୟପତ୍ର ତିଆରି କରି ପୁଣେ-ଲୋନାଓ୍ଵାଲା ରାସ୍ତାର ଆମ୍ବିଭ୍ୟାଲିରେ ପାଣି ପାଇପ ମିସ୍ତ୍ରି ଭାବେ କାମ କରିବା, ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଘରକୁ ଟଙ୍କା ପଠାଇବା, ପରିବାର ଲୋକ ଜାଲ୍‌ ମୃତ୍ୟୁ ପ୍ରମାଣପତ୍ର ଆବେଦନ କରିବା, ଘରକୁ ଯିବା ଆସିବା କରିବାର ଟ୍ରେନ ଟିକଟ, ପରିବାର ଲୋକଙ୍କ ସହ ମୋବାଇଲ ଫୋନରେ କଥାବାର୍ତ୍ତା ହେବାର ସିଡିଆର(କଲ୍ ଡିଟେଲ୍ସ ରିପୋର୍ଟ) ଆଦି ଦସ୍ତାବିଜ୍ ଭାବେ ଦାଖଲ କରାଯାଇଥିବା ଜଣାପଡ଼ିଛି।

ଏହି ଗଣଦୁଷ୍କର୍ମ ମାମଲାରେ ବାରଙ୍ଗ ଥାନା ପୁଲିସ ପ୍ରଥମେ ଦୁଇ ଅଭିଯୁକ୍ତ ଧୀରେନ୍ଦ୍ର ମହାନ୍ତି ଓ ପଦିଆ ସାହୁକୁ ଗିରଫ କରିଥିଲା। ପରେ ସିବିଆଇକୁ ତଦନ୍ତଭାର ଯାଇଥିଲା।

ପ୍ରଥମ ଦଫାର ଚାର୍ଜସିଟ ଦାଖଲ ପରେ ୨୦୦୨ରେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ୨୦୨୦ ଫେବ୍ରୁଆରିରେ ଝାରପଡ଼ା ଜେଲରେ ବନ୍ଦୀ ଜୀବନ ବିତାଉଥିବା ପଦିଆ ସାହୁର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।

ଅନ୍ୟପକ୍ଷରେ ବିବନର ମୃତ୍ୟୁ ହୋଇ ଯାଇଥିବା ଦର୍ଶାଇ ପରିବାର ଲୋକ ଏକାଧିକ ଥର ମୃତ୍ୟୁ ପ୍ରମାଣପତ୍ର ଆବେଦନ କରିଥିଲେ। ଏହା ପରେ ବିବନ ଜୀବିତ ଥିବା ନେଇ ପୁଲିସର ସନ୍ଦେହ ବଢ଼ିଥିଲା। ତତ୍କାଳୀନ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆରମ୍ଭ ହୋଇଥିଲା ଅପରେସନ୍ 'ସାଇଲେଣ୍ଟ ଭାଇପର'। ପୁନେ-ଲୋନାଓ୍ଵାଲା ରାସ୍ତାର ଆମ୍ବିଭ୍ୟାଲିରେ ବିବନ ଏକ କମ୍ପାନିରେ ନିଜ ନାଁ ବଦଳାଇ ଜଳନ୍ଧର ସ୍ବାଇଁ ନାମରେ କରୁଥିବା ବେଳେ ଗତ ଫେବ୍ରୁଆରି ୨୦ ତାରିଖରେ ତାକୁ ଗିରଫ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe