୧୮ କାରାଗାରରେ ୨୩ ଏଚ୍‌ଆଇଭି ପଜିଟିଭ୍, ଖୁବଶୀଘ୍ର ଅନ୍ୟ କାରାଗାରରେ ଆରମ୍ଭ ହେବ ସ୍କ୍ରିନିଂ

Advertisment
୧୮ କାରାଗାରରେ ୨୩ ଏଚ୍‌ଆଇଭି ପଜିଟିଭ୍, ଖୁବଶୀଘ୍ର ଅନ୍ୟ କାରାଗାରରେ ଆରମ୍ଭ ହେବ ସ୍କ୍ରିନିଂ

ଭୁବନେଶ୍ବର: ରାଜ୍ୟର ୧୮ କାରାଗାରରେ ୨୩ଜଣ ଏଚ୍‌ଆଇଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତବର୍ଷ ଜେଲ ଅନ୍ତେବାସୀଙ୍କ ପାଇଁ ଆରମ୍ଭ ହୋଇଥିବା ‘ସୁଭିକ୍ଷା’ କାର୍ଯ୍ୟକ୍ରମରେ ସ୍କ୍ରିନିଂ ସମୟରେ ଏହି ତଥ୍ୟ ଜଣାପଡ଼ିଛି। ଆଗାମୀ ଦିନରେ ରାଜ୍ୟର ଅନ୍ୟାନ୍ୟ କାରାଗାରରେ ସ୍କ୍ରିନିଂ କରାଯିବ ବୋଲି ସୂଚନା ମିଳିଛି। ରାଜ୍ୟର ୯ଟି କାରଗାରରେ ‘ସୁଭିକ୍ଷା’ ଯୋଜନାରେ ଏଚ୍‌ଆଇଭି, ଯକ୍ଷ୍ମା ଓ ସିଫିଲିସ୍ ରୋଗର ସ୍କ୍ରିନିଂ ଆରମ୍ଭ ହୋଇଥିଲା। ପରବର୍ତୀ ସମୟରେ ଆହୁରି ଅଧିକ କାରଗାରକୁ ଏଥିରେ ସାମିଲ କରାଯାଇଥିଲା। ଏବେ ୨୨ଟି କାରଗାରରେ ସ୍କ୍ରିନିଂ କରାଯାଉଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ୧୮ଟି କାରଗାରରେ ଏ ପର୍ଯ୍ୟନ୍ତ ୭୪୭୮ ଜଣଙ୍କର ସ୍କ୍ରିନିଂ କରାଯାଇଛି। ତହିଁରେ ୨୩ଜଣ ଏଚ୍‌ଆଇଭି ପଜିଟିଭ୍ ସହିତ ୬ଜଣ ଯକ୍ଷ୍ମାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ତେବେ ଉଭୟ ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ଜଣାପଡ଼ି ନାହିଁ। ଆକ୍ରାନ୍ତ ଏଚ୍‌ଆଇଭି ପଜିଟିଭଙ୍କ ମଧ୍ୟରୁ ୨୨ଜଣଙ୍କୁ ଏଆରଟି କେନ୍ଦ୍ର ସହିତ ସାମିଲ କରାଯାଇଥିବା ବେଳେ ଅନ୍ୟ ଜଣେ କାରଗାରରୁ ଖଲାସ ହୋଇଯାଇଥିବାରୁ ଏଆରଟି କେନ୍ଦ୍ର ସହିତ ତାଙ୍କୁ ଯୋଡ଼ିବା ସମ୍ଭବ ହୋଇନାହିଁ। ତେ‌ବେ ଚିହ୍ନଟଙ୍କ ମଧ୍ୟରୁ କେତେ ଜଣ ପୁରୁଷ ଓ କେତେ ଜଣ ମହିଳା ରହିଛନ୍ତି ତାହା ସ୍ପଷ୍ଟ ହୋଇପାରି ନାହିଁ। ରାଜ୍ୟରେ ସମୁଦାୟ ୮୬ଟି କାରାଗାର ରହିଛି। ୪ ସର୍କଲ କାରାଗାର, ୮ ଜିଲ୍ଲା କାରାଗାରରୁ ୬, ୭୦ ଉପ-କାରାଗାର ମଧ୍ୟରୁ ୬ ଓ ୨ ସ୍ପେଶାଲ କାରାଗାରରେ ଏହି ସ୍କ୍ରିନିଂ କରାଯାଇଛି। ବଳକା କାରାଗାରଗୁଡ଼ିକରେ ଖୁବଶୀଘ୍ର ସ୍କ୍ରିନିଂ ଆରମ୍ଭ କରାଯିବ। ଅପରପକ୍ଷରେ ଅନ୍ତେବାସୀଙ୍କ ମଧ୍ୟରେ କୌଣସି ପ୍ରକାର ଭେଦଭାବ ସୃଷ୍ଟି ନ ହୁଏ ସେଥିପାଇଁ ଚିହ୍ନଟ ବ୍ୟକ୍ତିଙ୍କ ପରିଚୟ ଯଥାସମ୍ଭବ ଗୋପନ ରଖାଯାଇଛି।

publive-image

ସେହିପରି ଆଗାମୀ ଦିନରେ ଗ୍ରାମାଞ୍ଚଳରେ ଗର୍ଭବତୀ ମହିଳାଙ୍କ ଚାଲିଥିବା ଏଚଆଇଭି ସ୍କ୍ରିନିଂକୁ ଅଧିକ ଜିଲ୍ଲାକୁ ସଂପ୍ରସାରିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ କନ୍ଧମାଳ, ଗଞ୍ଜାମ, ନବରଙ୍ଗପୁର ଓ ବଲାଙ୍ଗୀର ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଆଗାକୁ ବଳକା ୨୬ଟି ଜିଲ୍ଲାରେ ଏହାକୁ କାର୍ଯ୍ୟକାରୀ କରାଯିବ। ଚଳିତବର୍ଷ ଖୋର୍ଧା, ଅନୁଗୁଳ, କେନ୍ଦୁଝର ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ତେବେ ଅନ୍ୟ ଜିଲ୍ଲାଗୁଡ଼ିକରେ କିଟ୍‌ ରଖିବା ପାଇଁ ଆବଶ୍ୟକ ରେଫ୍ରିଜରେଟର କିଣାଯିବା ପରେ ସେସବୁ ଜିଲ୍ଲାରେ ସ୍କ୍ରିନିଂ ଆରମ୍ଭ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe