ବଜ୍ରାଘାତରେ ୨୩ ଛାତ୍ରଛାତ୍ରୀ ଆହତ: ଶିକ୍ଷାଦାନ ଚାଲୁଥିବା ବେଳେ ବଜ୍ରାଘାତ

Advertisment
ବଜ୍ରାଘାତରେ ୨୩ ଛାତ୍ରଛାତ୍ରୀ ଆହତ: ଶିକ୍ଷାଦାନ ଚାଲୁଥିବା ବେଳେ ବଜ୍ରାଘାତ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ ଗାଲେରୀ ସରକାରୀ ଉଚ୍ଚବିଦ୍ୟାଳୟରେ ଆଜି ମଧ୍ୟାହ୍ନରେ ବଜ୍ରାଘାତରେ ୨୩ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଆହତ ଛାତ୍ରଛାତ୍ରୀମାନେ ଷଷ୍ଠ ଓ ସପ୍ତମ ଶ୍ରେଣୀର। ଛାତ୍ରଛାତ୍ରୀମାନେ ଟିଣଛାତ ପଡ଼ିଥିବା କୋଠରିରେ ବସିଥି‌ଲେ। ଶିକ୍ଷାଦାନ ଚାଲୁଥିବା ସମୟରେ ହଠାତ୍ ପ୍ରଚଣ୍ଡ ଶଦ୍ଦ ହେବା ସହ ଛାତ୍ରଛାତ୍ରୀଙ୍କୁ ବିଦ୍ୟୁତ୍ ଝଟ୍‌କା ଲାଗିଥିଲା। ଏହାସହ ଶ୍ରେଣୀକକ୍ଷର କିଛି ପଙ୍ଖାର ବ୍ଲେଡ୍‌ଗୁଡ଼ିକ ବଙ୍କା ହୋଇଯିବା ସହ ସ୍ବିଚ୍ ବୋର୍ଡ ପୋଡ଼ିଯାଇଥିଲା। ଏହାପରେ ପ୍ରବଳ ବର୍ଷା‌ ହୋଇଥିଲା। ଘଟଣା ବେଳେ ଉପସ୍ଥିତ ସ୍କୁଲ୍‌ର ପ୍ରଧାନଶିକ୍ଷକ ଆଦିତ୍ୟ ପ୍ରସାଦ ତ୍ରିପାଠୀଙ୍କ ସମେତ ସମସ୍ତ ଶିକ୍ଷକ, କର୍ମଚାରୀ ଓ ସରପଞ୍ଚଙ୍କ ପ୍ରତିନିଧି ଶଙ୍କର୍ଷଣ ମହାରଥା ସଂଗେ ସଂଗେ ଛାତ୍ରଛାତ୍ରୀଙ୍କୁ ଅଟୋ ଓ ବାଇକ୍ ସାହାଯ୍ୟରେ ଆଣି ଗାଲେରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଆବଶ୍ୟକ ଚିକିତ୍ସା ପରେ ପ୍ରାୟ ସମସ୍ତ ଛାତ୍ରଛାତ୍ରୀ ଘରକୁ ଫେରିଛନ୍ତି। ୨ ଜଣ ପିଲା ମାନସିକ ଭାବେ ଭୟଭୀତ ହୋଇ ପଡ଼ିଥିବା ଗାଲେରୀ ମେଡିକାଲ ଡାକ୍ତର ଭଗବାନ ସାହୁ ପ୍ରକାଶ କରିଛନ୍ତି। ତଥାପି ସମସ୍ତଙ୍କ ଅବସ୍ଥା ଭଲ ରହିଛି। ଉଭୟଙ୍କୁ ଡାକ୍ତରଖାନାରେ ରଖାଯାଇଛି।

ଅନ୍ୟପକ୍ଷରେ ଭଞ୍ଜନଗର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ, ତହସିଲଦାର ଉମାଶଙ୍କର ବେହେରା, ଅତିରିକ୍ତ ତହସିଲଦାର ଅବିନାଶ ମାହାର ଓ ଗାଲେରୀ ଥାନାଧିକାରୀ ବିଜୟ କୁମାର ସ୍ବାଇଁ ବିଦ୍ୟାଳୟକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଡାକ୍ତରଖାନା ଯାଇ ଆହତମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଛାତ୍ରଛାତ୍ରୀଙ୍କ ସ୍ଥିତି ଉପରେ ନଜର ରଖିବାକୁ ବିଡିଓ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଶ୍ରୀ ସେଠୀ କହିଛନ୍ତି। ଏହି ବିଦ୍ୟାଳୟଟି ୧୯୫୩ ମସିହାରେ ସ୍ଥାପିତ ହୋଇଥିବା ବେଳେ ୮୦୦ରୁ ଅଧିକ ପିଲା ପଢ଼ୁଛନ୍ତି। ପିଲାମାନଙ୍କ ସୁରକ୍ଷା ଦୃଷ୍ଟିରୁ ପୁରୁଣା ଟିଣଘର ଗୁଡ଼ିକୁ ହଟାଇବା ସହ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ସମାଜସେବୀ ରବୀନ୍ଦ୍ର ଶତପଥୀ ପ୍ରକାଶ କରିଛନ୍ତି। ତେବେ ଏହି ଘଟଣା ପରେ ଛାତ୍ରଛାତ୍ରୀ ଆତଙ୍କିତ ହୋଇ ରହିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe