ଡିପ୍ଲୋମା ପରୀକ୍ଷାରେ କଡ଼ା ନିୟମ : ୨୩୦୦ ପରୀକ୍ଷାର୍ଥୀଙ୍କୁ ଗୋଟିଏ ବିଷୟରେ ‘ଶୂନ’

Advertisment
ଆଲେନ୍ ସାର୍ପ ପରୀକ୍ଷା ଆଜି

ଭୁବନେଶ୍ୱର : ଯଦି ଦୁଇରୁ ଅଧିକ ଛାତ୍ରଛାତ୍ରୀଙ୍କ ଉତ୍ତର ଖାତା ମିଶିଯାଉଥିବ ତେବେ ଉକ୍ତ ବିଷୟରେ ପରୀକ୍ଷାର୍ଥୀଙ୍କୁ ‘ଶୂନ’ ମାର୍କ ମିଳିବ। ଡିପ୍ଲୋମା ଇଞ୍ଜିନିୟରିଂ ପରୀକ୍ଷାରେ ଥିବା ନିୟମକୁ ଏଥର କଡ଼ାକଡ଼ି ଲାଗୁ କରାଯାଇଛି। ଯେଉଁଥିପାଇଁ ୨୩୦୦ରୁ ଅଧିକ ପରୀକ୍ଷାର୍ଥୀ ଗୋଟିଏ ଲେଖାଏ ବିଷୟରେ ‘ଶୂନ’ ମାର୍କ ପାଇଛନ୍ତି। ପରୀକ୍ଷାର୍ଥୀଙ୍କର ସମସ୍ତ ବିଷୟରେ ୬୦ରୁ ୭୦% ମାର୍କ ରହିଥିବା ବେଳେ ଗୋଟିଏ ବିଷୟରେ ‘ଶୂନ’ ମାର୍କ ରହିଛି। ଏହାକୁ ନେଇ ପରୀକ୍ଷାର୍ଥୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ସେମାନଙ୍କ ଅଭିଯୋଗ ଅନୁଯାୟୀ ଡିପ୍ଲୋମା ଇଞ୍ଜିନିୟରିଂ ପରୀକ୍ଷାର ୬ଷ୍ଠ ସେମିଷ୍ଟାର ବିଭିନ୍ନ ବିଷୟର ପରୀକ୍ଷା ଫଳ ପ୍ରକାଶ ପାଇଛି। ପ୍ରାୟ ୩ ହଜାର ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫଳରେ ବିଭ୍ରାଟ ହୋଇଛି। ଜଣେ ଜଣେ ପରୀକ୍ଷାର୍ଥୀ ଅଧିକାଂଶ ବିଷୟରେ ୬୦ରୁ ୭୦% ମାର୍କ ରଖିଥିବା ବେଳେ ଗୋଟିଏ ଲେଖାଏ ବିଷୟରେ ‘ଶୂନ’ ମାର୍କ ରହିଛି। ପରୀକ୍ଷା ପରିଚାଳନା ଓ ଖାତା ମୂଲ୍ୟାୟନରେ ବିଭ୍ରାଟ ଯୋଗୁଁ ଏଭଳି ସମସ୍ୟା ହୋଇଛି। ଏହାଦ୍ୱାରା ପରୀକ୍ଷାର୍ଥୀ ମାନସିକ ଯନ୍ତ୍ରଣାରେ ପଡ଼ିଛନ୍ତି। ତେଣୁ ଏଦିଗରେ ପଦକ୍ଷେପ ନେବା ସହ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ନ୍ୟାୟ ଦେବାକୁ ସେମାନେ ଦାବି କରିଛନ୍ତି।

ଏନେଇ ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ(ଏସ୍‌ସିଟିଇ ଆଣ୍ଡ ଭିଟି) ପକ୍ଷରୁ କୁହାଯାଇଛି ପରୀକ୍ଷା ଖାତା ମୂଲ୍ୟାୟନରେ କୌଣସି ତ୍ରୁଟି ହୋଇ ନାହିଁ। ବରଂ ଏସ୍‌ସିଟିଇ ଆଣ୍ଡ ଭିଟିର ସେମିଷ୍ଟାର ଭିତ୍ତିକ ପରୀକ୍ଷା ଆଇନ ୧୫.୪.୧୨ ଅନୁଯାୟୀ ଯଦି ଦୁଇ କିମ୍ବା ତା’ଠାରୁ ଅଧିକ ପରୀକ୍ଷାର୍ଥୀଙ୍କ ଖାତାର ଉତ୍ତର ମିଶୁଥିଲେ ସମ୍ପୃକ୍ତ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତାକୁ ବାତିଲ୍‌ କରି ଦିଆଯିବ। ସମ୍ପୃକ୍ତ ବିଷୟରେ ‘ଶୂନ’ ମାର୍କ ମିଳିବ। ଯଦି କୌଣସି ପରୀକ୍ଷାର୍ଥୀଙ୍କର କିଛି ବି ଅଭିଯୋଗ ଥିବ ସେମାନେ ମତ ରଖିପାରିବେ। ଏଥିପାଇଁ ସମୟ ଦିଆଯାଇଛି। ଭୁବନେଶ୍ୱରସ୍ଥିତ ଚନ୍ଦ୍ରଶେଖରପୁରଠାରେ ଥିବା ସରକାରୀ ପଲିଟେକ୍‌ନିକ୍‌ରେ ପରୀକ୍ଷାର୍ଥୀଙ୍କ ଅଭିଯୋଗର ଶୁଣାଣି କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe