ପକ୍ଷୀଙ୍କ ପାଇଁ ବସା ସଜାଡ଼ିଲେ ଯୁବଗୋଷ୍ଠୀ : ୨୫ଟି ଗାଁରେ ପ୍ରସ୍ତୁତ ହୋଇଛି ୨୩୫ ବସା

ପକ୍ଷୀଙ୍କ ପାଇଁ ବସା ସଜାଡ଼ିଲେ ଯୁବଗୋଷ୍ଠୀ : ୨୫ଟି ଗାଁରେ ପ୍ରସ୍ତୁତ ହୋଇଛି ୨୩୫ ବସା

କେନ୍ଦୁଝର : ଏତେ ବଡ଼ ପୃଥିବୀରେ ମଣିଷ ସବୁବେଳେ ନିଜର ସୁଖସ୍ବାଚ୍ଛନ୍ଦ ପାଇଁ ବ୍ୟସ୍ତ। ନିଜେ ରହିବାକୁ ଘର, ନିଜ ପାଇଁ ଖାଦ୍ୟ, ଅତ୍ୟାଧୁନିକ ବ୍ୟବସ୍ଥା କରିବାକୁ ବ୍ୟସ୍ତ ଥିବା ମଣିଷ ପାଖରେ ଆଉ କାହା କଥା ଭାବିବାକୁ ବି ସମୟ ନାହିଁ। ନିଜର ସୁବିଧା ପାଇଁ ମଣିଷ ସମାଜ ପକ୍ଷୀ ବସା ଭାଙ୍ଗିବାକୁ ପଛାଏ ନାହିଁ। ଏଭଳି ଏକ ବସ୍ତୁବାଦୀ ଦୁନିଆରେ କରୋନା କଟକଣାବେଳେ ଘରେ ଆଳସ୍ୟରେ ସମୟ ନ ବିତାଇ କିଛି ଯୁବଗୋଷ୍ଠୀ ବସାହୀନ ପକ୍ଷୀଙ୍କ ପାଇଁ ବସା ସଜାଡ଼ି ଚର୍ଚ୍ଚାକୁ ଆସିଛନ୍ତି। ୩୫ଟି ହାତତିଆରି ବସା ପକ୍ଷୀମାନଙ୍କ ପାଇଁ ରଖିଛନ୍ତି।ଆଖପାଖ ୨୫ଟି ଗାଁରେ ମଧ୍ୟ ଯୁବଗୋ‌ଷ୍ଠୀ ଏଭଳି କାର୍ଯ୍ୟକ୍ରମ ଦ୍ବାରା ଅନୁପ୍ରାଣିତ ହୋଇ ୨୩୫ଟି ପକ୍ଷୀ ବସା ପ୍ରସ୍ତୁତ କରିଛନ୍ତି।

କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକ ଅନ୍ତର୍ଗତ ଜଡିଚାତର ଗାଁର ଏହି ଗତ କିଛି ମାସ ଧରି କରୋନା କଟକଣା ପାଇଁ ଗାଁ ବାହାରକୁ ଯାଇ ପାରୁ ନ ଥିଲେ। କିଛି ଭଲ କାମ କରିବାକୁ ଅଣ୍ଟା ଭିଡ଼ିବା ବେଳେ ପିକକ୍‌ ଅନୁଷ୍ଠାନ ସହିତ ତାଙ୍କର ଯୋଗାଯୋଗ ହୋଇଥିଲା। ପରେ ଆରମ୍ଭ କ‌ରିଥିଲେ ପକ୍ଷୀଙ୍କର ଘର ସଜଡ଼ା କାର୍ଯ୍ୟକ୍ରମ। ଗାଁ ନିକଟ ବିଭିନ୍ନ ବାଡି ବଗିଚା ଏବଂ ଜଙ୍ଗଲରେ ବଣି, କାଉ, କୁମ୍ଭାଟୁଆ ଭଳି ପକ୍ଷୀଙ୍କ ପାଇଁ ବସା ସଜାଡିଥିଲେ। ଗାଁର ଏକାଧିକ ଯୁବକ ମିଳିତ ଭାବେ ୩୫ଟି ହାତ ତିଆରି ବସା ପ୍ରସ୍ତୁତ କରି ବିଭିନ୍ନ ଗଛରେ ରଖିଛନ୍ତି ଯେଉଁଥିରେ ଉଡ଼ି ଯାଉଥିବା ପକ୍ଷୀ ଆଶ୍ରା ନେଇଛନ୍ତି।

ସାଧାରଣତଃ ପକ୍ଷୀମାନେ ନିଜ ଥଣ୍ଟରେ କଣ୍ଟା, କୁଟା, କାଠି ସଂଗ୍ରହ କରି ବସା‌ ବାନ୍ଧିଥା'ନ୍ତି। କିନ୍ତୁ ଏହି ଯୁବଗୋଷ୍ଠୀଙ୍କ କୃତ୍ରିମ ବସା ଗଛରେ ରଖିବା ଦ୍ବାରା କିଛିଦିନ ପର୍ଯ୍ୟନ୍ତ ଏହି ବସା ପକ୍ଷୀଗୁଡିଙ୍କୁ ଅଜଣା ଅଜଣା ଲାଗୁଥିଲା। ଏହାପରେ ଧୀରେ ଧୀରେ ପକ୍ଷୀଗୁଡିକ ରହିବା ଆରମ୍ଭ କରିଥିଲେ। ଇତିମଧ୍ୟରେ ସମସ୍ତ ୩୫ଟି ହାତ ତିଆରି ବସାରେ ପକ୍ଷୀଗୁଡିକ ରହିବା ଆରମ୍ଭ କଲେଣି। ବର୍ତ୍ତମାନ ଆଖପାଖ ୨୫ଟି ଗାଁରେ ମଧ୍ୟ ଯୁବଗୋ‌ଷ୍ଠୀ ଏଭଳି କାର୍ଯ୍ୟକ୍ରମ ଦ୍ବାରା ଅନୁପ୍ରାଣିତ ହୋଇ ୨୩୫ଟି ପକ୍ଷୀ ବସା ପ୍ରସ୍ତୁତ କରିଛନ୍ତି। ଜଡିଚାତର ଭଳି ମାଧପୁର, ବରଡାଙ୍ଗୁଆ, ପଦ୍ମପୁର, କିମିରିଢ଼ପଶି, ଅଙ୍ଗିକଳା, ଭୃଙ୍ଗରାଜପଶି, ବନମହୁଲଢ଼ିହା, ପିଚୁଲାବେଡିଆ, ଡାବରଚୁଆ, ଶ୍ରଦ୍ଧାପୁର, ମଲ୍ଲୀପଶି, ତଳପଡା, ଗାଲଫୁଲ, ବଡ଼ଧନୁର୍ଜୟପୁର, ଜା‌ମୁନାଳିଆ, ପାଟନାଳି, ଗୁଲୁଡିପଶି ଭଳି ୨୫ଟି ଗ୍ରାମ‌ରେ ଇତିମଧ୍ୟରେ ୨୩୫ଟି କୃତ୍ରିମ ପକ୍ଷୀ ବସା ତିଆରି କରାଯାଇଛି। ପକ୍ଷୀ ବସା ତିଆରି କରୁଥିବା ସ୍ବେଚ୍ଛାସେବୀ ସତ୍ୟନାରାୟଣ ମହାନ୍ତ କହିଛନ୍ତି, ଏବେ ସାଧାରଣତଃ ଗାଁ ଗଣ୍ଡାରୁ ବିଭିନ୍ନ ପ୍ରକାର ପକ୍ଷୀ ବିଲୁପ୍ତ ହୋଇଯାଉଛନ୍ତି। ତେଣୁ ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ବିଭିନ୍ନ ପ୍ରକାର ପକ୍ଷୀଙ୍କୁ ଗାଁ ମୁହାଁ କରିବା ଏବଂ ସେମାନଙ୍କ ପାଇଁ ଏକ ଅନୁକୂଳ ପରିବେଶ ତିଆରି କରିବା ଲକ୍ଷ୍ୟରେ ଏହି ପକ୍ଷୀ ବସା ଅଭିଯାନ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe