Illegal laterite mining
ବାଲିବୋ : ଗୋଟିଏ କି ଦୁଇଟି ନୁହେଁ, ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅଁଳାଝରି ଏବଂ ବାଲିବୋ ଇଲାକାରେ ଚାଲିଛି ୨୪ରୁ ଅଧିକ ଚୋରା ମାଙ୍କଡ଼ା ପଥର ଖଣି। ପଥର ମାଫିଆଙ୍କର ଚାଲିଛି ଖୁଲମ୍ ଖୁଲା ରାଜୁତି। ରାଜସ୍ବ ବିଭାଗର ଆଖିରେ ଆଙ୍ଗୁଠି ଗେଞ୍ଜି ଦିନ ଦିପହରେ ମାଫିଆମାନେ ଲୁଟି ଚାଲିଛନ୍ତି ଶହଶହ ଏକର ପରିବ୍ୟାପ୍ତ ଲଘୁ ଖଣିଜ ସଂପଦ। ପରିସ୍ଥିତି ଏମିତି ହୋଇଛି ଯେ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ବି ମାଫିଆଙ୍କ ଦୌରାତ୍ମ୍ୟର ଅତ୍ୟନ୍ତ ଭୟଭୀତ। ଆଖି ଆଗରେ ବ୍ୟାପକ ଲୁଟପାଟ ଚାଲିଥିଲେ ବି ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସାହସ ଜୁଟେଇ ପାରୁ ନାହାନ୍ତି ବିଚରା ରାଜସ୍ବ ନିରୀକ୍ଷକ ।
ଗତ ଏପ୍ରିଲ ମାସରେ ‘୨୪ ମାଙ୍କଡ଼ା ଖଣିରେ ମାଫିଆରାଜ୍ ଶୀର୍ଷକ ଖବର ‘ସମ୍ବାଦ’ରେ ପ୍ରକାଶ ପାଇଲା ପରେ ଅଁଳାଝରିର ମାଙ୍କଡ଼ା ଖଣିରେ ଏକ ପ୍ରକାର ଅଙ୍କୁଶ ଲାଗିଛି। ଅଁଳାଝରିରେ ପ୍ରାୟ ୧୭/୧୮ଟି ଖଣି ଉପରୁ ମାଫିଆଙ୍କ ନଜର କିଛିକାଂଶରେ ହଟିଛି। କିନ୍ତୁ, ବାଲିବୋ ପଞ୍ଚାୟତ କେଶରପୁର ଇଲାକାର ପ୍ରାୟ ୭ଟି ମାଙ୍କଡ଼ା ପଥର ଖଣିରୁ ଏବେ ବି ଲୁଟ୍ ଚାଲିଛି। ଖୁଲମ୍ ଖୁଲା ପଥର କଟା ଚାଲିଥିବା ବେଳେ ପ୍ରଶାସନିକ ଅଙ୍କୁଶ ସେଠାରେ ଆଦୌ ନାହିଁ। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହି ବେଆଇନ ଖଣି ଉପରେ ୧୪୪ଧାରା ଜାରି କରିବାକୁ ଖୋଦ୍ ଭୁବନ ତହସିଲଦାର ପ୍ରଭାସ ଚନ୍ଦ୍ର ବେହୁରା ଦମ୍ଭର ସହ ଘୋଷଣା କହିଥିଲେ। କିନ୍ତୁ, ଇତିମଧ୍ୟରେ ଦୁଇ ମାସ ଗଡ଼ି ଯାଇଥିଲେ ହେଁ ବେଆଇନ ପଥରଖଣି ଉପରେ ଶୂନ୍ୟ କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ କେବଳ ସଂଶୟ ପ୍ରକାଶ ପାଇନାହିଁ; ବରଂ ପ୍ରଶାସନର ରହସ୍ୟମୟ ନିରବତା ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି।
Follow Us