ନବରଙ୍ଗପୁର: ଜିଲ୍ଲାରେ ୨୪୬ହେକ୍ଟର ଜମିରେ ଅଳସୀ ଓ ସୂର୍ଯ୍ୟମୁଖୀ ଚାଷ ହେଉଛି। ନଭେମ୍ବର ମାସ ଆସିଗଲେ ଜିଲ୍ଲାରର ପାହାଡ଼, ପର୍ବତ, ନଦୀନାଳ ଓ ରାସ୍ତା କଡ ,ଡଙ୍ଗର ଜମି  କେଉଁଠି କ୍ଷେତରେ ଲହଡି ଭାଙ୍ଗୁଥିବା ଅଳସୀ ଫୁଲ ଓ ସୂର୍ଯ୍ୟମୁଖୀର ଖେତ ଗୋଟାଏ ସୁନାର ଓଢ଼ଣୀ ବିଛାଡି ହୋଇ ପଡିଥିବାର ଅନୁଭୂତି ଆଣିଥାଏ ।

Advertisment

ଅଳସୀ ଓ ସୂର୍ଯ୍ୟମୁଖୀ ଜମି

ହଳଦିଆ ରଙ୍ଗର ଫୁଲରେ ଭରିଯାଇଥିବା ଜମିରେ ଚାଲିଦେଲେ ସେ ଫୁଲର ପରଷରେ ପ୍ରେମିକାର ଉଡିଯାଉଥିବା ସୁନାର ଓଢ଼ଣୀ ଛୁଇଁଦେଇ ଯିବାର ଅନୁଭୂତି ଆସେ କବି ପ୍ରାଣରେ। ମାଡି ଆସୁଥିବା ଶୀତର କୋହଲା ପବନରେ ଥିରି ଥିରି ହୋଇ ଚହଲି ଉଠିଥିବା ଫୁଲର ବାଡ଼ରେ ନାଚି ଉଠେ ଯୌବନ। ଜିଲ୍ଲାର ବିଭିନ୍ନ ଅଂଚଳର କୋଣ ଅନୁକୋଣ ଭରିଯାଏ ହଳଦିଆ ରଙ୍ଗରେ ।

ଆହୁରି ପଢ଼ନ୍ତୁ:Tourism Department: ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ପ୍ରଚାର-ପ୍ରସାର

ନବରଙ୍ଗପୁର ବ୍ଲକରୁ ନନ୍ଦାହାଣ୍ଡି ବ୍ଳକ ଦେଇ ତେନ୍ତୁଳିଖୁଣ୍ଟି ବ୍ଲକ ରାସ୍ତାରେ ଯାଇ ଇନ୍ଦ୍ରାବତୀ ପ୍ରକଳ୍ପ ନିକଟ ରାସ୍ତାରେ ଅଧିକା ପରିମାଣର ସୁନା ଚାଦର ଦେଖିବାକୁ ମିଳିଛି।  

ଚାଷୀ ତାର ପେଟ ପାଇଁ ଲଗାଇଥିବା ଅଳସୀ ଓ ସୂର୍ଯ୍ୟମୁଖୀ ଜମି ପର୍ଯ୍ୟଟକଙ୍କୁ ବେଶ ଆକର୍ଶିତ କରିଥାଏ। ସକାଳ ସମୟରେ କୁହୁଡ଼ିର ଖେଳ ସାଙ୍ଗକୁ ଦିନ ତମାମ ଅଳସୀ ଓ ସୂର୍ଯ୍ୟମୁଖୀ ଫୁଲର ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ବାନ୍ଧି ରଖିଥାଏ । 

ଥରେ ଆସିଥିବା ଲୋକଟିଏ ବାରମ୍ବାର ଆସିବାର ଇଚ୍ଛାପ୍ରକଟ କରିଥାଏ ବୋଲି କବି ଜାହ୍ନବୀ ପଣ୍ଡା, ଅଖିଳ ଭଟ୍ଟ, ସିଏଚ୍ ସାଇରମେଶ ରାଓ, ରାମ ପ୍ରସାଦ ପାତ୍ର, ରବିକାନ୍ତ ରଘୁରାମ, ଡ.ରବିନାରାୟଣ ପାଣିଗ୍ରାହୀ ଏଭଳି  ମତ ରଖିଛନ୍ତି । ଏପରିକି ଏହି ଜମିରେ ବହୁ ଯୁବବର୍ଗ ରିଲସ୍, ସେଲଫି ନେଇ ସାମାଜିକ ଗଣମାଧ୍ୟମର ପୃଷ୍ଟା ବି ମଣ୍ଡନ କରୁଛନ୍ତି।

କିନ୍ତୁ କେବେହେଲେ ନବରଙ୍ଗପୁର ଆସି ନଥିବା ଦେଶୀ ବା ବିଦେଶୀ ପର୍ଯ୍ୟଟକଙ୍କୁ ଏହି ସମୟରେ ହସି ଉଠୁଥିବା ନବରଙ୍ଗପୁରକୁ ଆଣିବା ପାଇଁ ଆମ ରାଜ୍ୟର ପର୍ଯ୍ୟଟନ ବିଭାଗ ଠିକ୍ ଭାବରେ ପ୍ରଚାର ଓ ପ୍ରସାର କରି ନଥିବା ଅଭିଯୋଗ ହୁଏ। 

ବର୍ଷ ତମାମ ଓଡିଶା ପର୍ଯ୍ୟଟନ ମାନଚିତ୍ରରେ  ପର୍ଯ୍ୟଟକଙ୍କ ପାଇଁ ଖୋରାକ ଯୋଗାଇବାର ସାମର୍ଥ୍ୟ ରଖିଥିବା ନବରଙ୍ଗପୁର ଅଂଚଳ ଅବହେଳାର ଶିକାର ହୋଇ ଅଳସୀ  ଓ ସୂର୍ଯ୍ୟମୁଖୀ ଫୁଲ ଭଳି ସାମୟିକ ଭାବେ ହସି ଉଠି ପୁଣିଥରେ ନୈରାଶ୍ୟର ନଦୀଗର୍ଭରେ ଲୀନ ହୋଇଯିବା ହିଁ ସାର ହୋଇଛି।

ଆହୁରି ପଢ଼ନ୍ତୁ:Teacher Saves Student's Life: ଦେବଦୂତ ସାଜି ଛାତ୍ରୀଙ୍କ ଜୀବନ ବଞ୍ଚାଇଲେ ଶିକ୍ଷକ

ନବରଙ୍ଗପୁରର ଏହି ପ୍ରଚୁର ପର୍ଯ୍ୟଟନ ସମ୍ପଦକୁ ଆନ୍ତର୍ଜାତୀୟ ସ୍ତରରେ ଅଳସି  ଓ ସୂର୍ଯ୍ୟମୁଖୀ ମଞ୍ଜିର ଚାହିଦା ଥିବା ଭଳି ପର୍ଯ୍ୟଟକଙ୍କ ମଧ୍ୟରେ ପ୍ରସ୍ତୁତ କରିପାରିଲେ ପ୍ରଦୂଷଣମୁକ୍ତ ଏହି ଉଦ୍ୟୋଗ ବଳରେ ଓଡିଶା, ପର୍ଯ୍ୟଟକଙ୍କ ପାଇଁ ଏକ ନମ୍ବର ଆକର୍ଷଣ ସ୍ଥଳୀ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀମାନେ ଆଶାପୋଷଣ କରିଛନ୍ତି।

ରିପୋର୍ଟ: ସୁରେଶ ନାଇଡୁ