Free Malaysia Today
ଭୁବନେଶ୍ୱର: ବିଭିନ୍ନ ଜଘନ୍ୟ ଅପରାଧରେ ଦୋଷୀ ସାବ୍ୟସ୍ତ ହେବା ପରେ ଆଜୀବନ ଦଣ୍ଡ ଭୋଗୁଥିବା ୨୫ ଜଣ କଏଦୀ ରାଜ୍ୟର ବିଭିନ୍ନ ଜେଲ୍ରୁ ମୁକୁଳିଛନ୍ତି। ପ୍ରିଜନ୍ ମାନୁଆଲ ଅନୁସାରେ ଆଜୀବନ ଦଣ୍ଡରୁ ୧୪ ବର୍ଷ ଦଣ୍ଡ ଭୋଗି ସାରିଥିବା ଅପରାଧୀଙ୍କୁ ମୁକ୍ତ କରିବା ପାଇଁ ଆଡ୍ଭାଇଜରି ବୋର୍ଡ ପରାମର୍ଶ ଦେଇଥିଲା। ପରାମର୍ଶ ଦାତା ବୋର୍ଡର ସୁପାରିସକୁ ଗତ ୩ ତାରିଖରେ ସରକାର ମୋହର ମାରିବା ପରେ ଆଜି ଏହି କଏଦୀମାନଙ୍କୁ ମୁକ୍ତ କରାଯାଇଛି। ଏହି ତାଲିକାରେ ରାଜ୍ୟର ୨୫ ଜଣଙ୍କ ମଧ୍ୟରେ ଜାମୁଝରୀ ବିଜୁ ପଟ୍ଟନାୟକ ମୁକ୍ତାକାଶ କାରାଗାରରୁ ୪ ଜଣ ଅଛନ୍ତି। ୨୦୧୯ ମସିହାରେ ଏଭଳି ୪୬ ଜଣ କଏଦୀ ମୁକ୍ତ ହୋଇଥିବା କାରାଗାର ଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି।
ପ୍ରିଜନ ମାନୁଆଲ ମୁତାବକ, ଜଘନ୍ୟ ଅପରାଧରେ ଆଜୀବନ ଦଣ୍ଡ ଭୋଗୁଥିବା ଅପରାଧୀଙ୍କ ଗତିବିଧି ଲକ୍ଷ୍ୟ କରାଯାଏ। ୧୪ ବର୍ଷ ମଧ୍ୟରେ ଯଦି ଏହି ଅପରାଧୀମାନଙ୍କର ଆଚାର ବ୍ୟବହାର ତଥା ଚରିତ୍ରରେ ପରିବର୍ତ୍ତନ ଆସିଥାଏ ତେବେ ସେମାନଙ୍କୁ ମୁକ୍ତ କରିବାକୁ ନିଷ୍ପିତ୍ତି ନିଆଯାଏ। ମୁକ୍ତି ପାଇବାକୁ ଯାଉଥିବା କଏଦୀମାନଙ୍କୁ ଚିହ୍ନଟ କରିବା ପାଇଁ ଏକ ଉପଦେଷ୍ଟା ମଣ୍ଡଳୀ ରହିଥାଏ। ପ୍ରୋବେସନ ଅଫିସର ଅପରାଧୀମାନଙ୍କର ତାଲିକା ପ୍ରସ୍ତୁତ କରିବା ସହ ତଦନ୍ତ କରି ସମ୍ପୃକ୍ତ କଲେକ୍ଟରମାନଙ୍କୁ ରିପୋର୍ଟ ପଠାଇଥାନ୍ତି। ସମ୍ପୃକ୍ତ ଅପରାଧୀ ଯଦି ଅପରାଧରେ ସମ୍ପୃକ୍ତ ହେବା ଭଳି ଆଶଙ୍କା ନ ଥାଏ ତେବେ ତାଙ୍କୁ ମୁକ୍ତ କରିବାକୁ ସୁପାରିସ କରାଯାଇଥାଏ। ଏହି ପ୍ରକ୍ରିୟା ଶେଷ ହେବା ପରେ ଅନୁଦାନ ପାଇଁ ସରକାରଙ୍କୁ ତାଲିକା ପ୍ରଦାନ କରାଯାଇଥାଏ। ସରକାର ସ୍ବୀକୃତି ପ୍ରଦାନ କରିବା ପରେ ଏମାନଙ୍କୁ ମୁକ୍ତ କରାଯାଏ।
Follow Us