ଭିତରକନିକାରେ ୨୫ଟି କୁମ୍ଭୀର ବସା ଚିହ୍ନଟ

Advertisment
ଭିତରକନିକାରେ ୨୫ଟି କୁମ୍ଭୀର ବସା ଚିହ୍ନଟ

ରାଜନଗର : ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନର ନଦୀ, ନାଳରେ ବାସ କରୁଥିବା ବଉଳା କୁମ୍ଭୀର ୨୫ଟି ବସାରେ ଅଣ୍ତା ଦେଇଥିବା ଜଣାପଡିଛି। ଭିତରକନିକା ଫରେଷ୍ଟ ବ୍ଲକ ଓ ଡାଙ୍ଗମାଳ ଫରେଷ୍ଟ ବ୍ଲକର ଗଞ୍ଜେଇଖିଆ, ଶୁଆଯୋର, ଚିନ୍ତାମଣି ମହାନ୍ତି ଯୋର, ଭିତରକନିକା ସମେତ ଡାଙ୍ଗମାଳ ସ୍କିମ୍ ଅଞ୍ଚଳରେ କୁମ୍ଭୀର ବସା କରିଥିବା ଜଙ୍ଗଲ ବିଭାଗ ସୂତ୍ରରୁ ଜଣାପଡିଛି।

ସୂଚନାଯୋଗ୍ୟ, ପ୍ରତିବର୍ଷ ମେ’ରୁ ଜୁଲାଇ; ୩ ମାସ ମଧ୍ୟରେ ବଉଳା କୁମ୍ଭୀରମାନେ ବସା କରି ଅଣ୍ତା ଦେବା ସହିତ ସେଥିରୁ ଛୁଆ ଫୁଟାଇଥାନ୍ତି। ମା' କୁମ୍ଭୀର ଅଣ୍ତା ଦେବା ପାଇଁ ନିରାପଦ ସ୍ଥାନ ଖୋଜିଥାନ୍ତି। ନାଳଠୁଁ ଟିକେ ଉଚ୍ଚା ସ୍ଥାନରେ(ଯେପରି ଜୁଆର ସମୟରେ ବସା ଭାସି ନ ଯାଏ) ବସା କରିଥାନ୍ତି। ଖରଖରି ପତ୍ର ଓ କାଠି କୁଟା ସଂଗ୍ରହ କରି ଦେଢରୁ ଦୁଇ ଫୁଟ ଉଚ୍ଚର ଗଦା କରିଥାନ୍ତି। ଏହି ଗଦା ଉପରେ ଅଣ୍ତା ଦେବା ପରେ ତା' ଉପରେ ପୁଣି ଖରଖରି ପତ୍ର ଓ କାଠି କୁଟା ଘୋଡାଇ ରଖିଥାନ୍ତି। ପ୍ରତ୍ୟେକ କୁମ୍ଭୀର ୪୦ ରୁ ୫୦ଟି ପର୍ଯ୍ୟନ୍ତ ଅଣ୍ତା ଦେଇଥାନ୍ତି। ଅଣ୍ତା ଦେବାର ୭୫ ଦିନ ମଧ୍ୟରୁ ଅଣ୍ତାରୁ ଛୁଆ ବାହାରିଥାଏ। ଅଣ୍ତା ଦେବା ପରେ ବସା ଉପରେ ଓ ପାଖରେ କିମ୍ବା ୫ରୁ ୧୦ ଫୁଟ ଦୂରତା ପର୍ଯ୍ୟନ୍ତ ଜଗି ରହିଥାନ୍ତି। ଏହି ସମୟରେ କୁମ୍ଭୀରମାନେ ଅତ୍ୟଧିକ ହିଂସ୍ର ହୋଇ ଉଠିଥାନ୍ତି। ଏଥିପାଇଁ ବନବିଭାଗ ପକ୍ଷରୁ ମେ’ ୧ରୁ ଜୁଲାଇ ୩୧ ତିନି ମାସ ଯାଏଁ ଭିତରକନିକାକୁ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଥାଏ। ଚଳିତ ବର୍ଷ ସୁଦ୍ଧା ୨୫ଟି ବସା ଚିହ୍ନଟ ହୋଇଥିବା ଜଣାପଡିଛି। ଚିହ୍ନଟ ପ୍ରକ୍ରିୟା ଚାଲିଥିବାରୁ ବସା ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ବନ ବିଭାଗ ସୁତ୍ରରୁ ଜଣାପଡିଛି। କୁମ୍ଭୀର ବସା ଚିହ୍ନଟ ପାଇଁ କନିକା ରେଞ୍ଜ୍‌ରେ ୩ଟି ଟିମ୍‌ ଗଠନ କରାଯାଇଛି। ଫରେଷ୍ଟର୍‌ ବିଜୟ କୁମାର ପାତ୍ର, ଫରେଷ୍ଟ ଗାର୍ଡ ସୁନୀଲ ରାଉତରାୟ, ସବିତା ବେହେରାଙ୍କ ନେତୃତ୍ବରେ ଏହି ୩ଟି ଟିମ ଗଠନ କରାଯାଇଛି। ପ୍ରତି ଟିମ୍‌ରେ ୪ଜଣ ଲେଖାଏଁ ସଦସ୍ୟ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe