sambad.in
କଟକ : କଟକ ସିଡିଏ ସେକ୍ଟର-୬ ସ୍ଥିତ ଅଶ୍ୱିନୀ କୋଭିଡ୍ -୧୯ ହସ୍ପିଟାଲରେ ଏବେ ୨୬ଜଣ କରୋନା ସଂକ୍ରମିତ ରୋଗୀ ଚିକିତ୍ସିତ ହେଉଛନ୍ତି। ଅନ୍ୟପଟେ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଏଯାଏ ୧୭ଜଣ ଘରକୁ ଫେରିଗଲେଣି। କିନ୍ତୁ ବର୍ତ୍ତମାନରେ କରୋନା ସଂକ୍ରମଣର ଶିକାର ହୋଇ ଅଶ୍ବିନୀରେ ଚିକିତ୍ସିତ ହେଉଥିବା ୨ବର୍ଷର ଶିଶୁ ଓ ୮ମାସର ଗର୍ଭବତୀ ମହିଳାଙ୍କ ଚିକିତ୍ସା ହସ୍ପିଟାଲର ଡାକ୍ତରଙ୍କ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି।
ସୂଚନା ଅନୁସାରେ, ସେମାନଙ୍କଠାରେ କରୋନାର ନିର୍ଦ୍ଦିଷ୍ଟ କୌଣସି ଲକ୍ଷଣ ଦେଖାଯାଉନି। ଏଭଳି ସ୍ଥିତିରେ ଆକ୍ରାନ୍ତ ଶିଶୁକୁ ଶିଶୁରୋଗ ବିଶେଷଜ୍ଞ ଓ ଗର୍ଭବତୀଙ୍କୁ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ ଡାକ୍ତର ସ୍ବତନ୍ତ୍ରଭାବେ ଚିକିତ୍ସା କରୁଛନ୍ତି। ଉଭୟଙ୍କ ସ୍ବାସ୍ଥ୍ୟ ମୋଟାମୋଟି ଭାବେ ଠିକ ଥିବାରୁ ଡାକ୍ତର ସେଥିପାଇଁ ଯେତିକି ଚିନ୍ତିତ ନାହାନ୍ତି, ତାଠାରୁ ଅଧିକ ଚିନ୍ତିତ ଅଛନ୍ତି, କିଭଳି ସେମାନଙ୍କୁ ମାନସିକ ଚାପରୁ ମୁକ୍ତି ଦିଆଯିବ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଯେତିକି କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ସେଥିରୁ ଗର୍ଭବତୀ ମହିଳା ଓ ଶିଶୁ ଚିହ୍ନଟ ହେବା ପ୍ରଥମ ଘଟଣା। ସେମାନେ ଭଦ୍ରକ ଅଞ୍ଚଳରୁ ଆସିଛନ୍ତି। ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ସେମାନଙ୍କୁ ସ୍ବତନ୍ତ୍ର ଭାବେ ଚିକିତ୍ସା କରାଯାଉଛି।
Follow Us