୨୬ ଲକ୍ଷ ନିର୍ମାଣ ଶ୍ରମିକ ପାଇଲେ ୩୮୫ କୋଟି

ପ୍ରତ୍ୟେକ ନିର୍ମାଣ ଶ୍ରମିକ ହେଉଛନ୍ତି ଜଣେ ଜଣେ ବିଶ୍ବକର୍ମା: ମୁଖ୍ୟମନ୍ତ୍ରୀ

୨୨ରେ କ୍ୟାବିନେଟ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ

ଭୁବନେଶ୍ବର : ରାଜ୍ୟର ନିର୍ମାଣ ଶ୍ରମିକମାନଙ୍କୁ ଆଜି ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ସହାୟତା ପ୍ରଦାନ କରାଯାଇଛି। ଏହି ପ୍ୟାକେଜ୍ରେ ପ୍ରତି ପଞ୍ଜୀକୃତ ନିର୍ମାଣ ଶ୍ରମିକ ୧୫୦୦ ଟଙ୍କା ଲେଖାଏ ପାଇଛନ୍ତି। ପ୍ରାୟ ୨୬ ଲକ୍ଷ ଶ୍ରମିକ ଏଥିରେ ଉପକୃତ ହୋଇଛନ୍ତି। ଗତ ବର୍ଷ ମଧ୍ୟ କୋଭିଡ୍ର ପ୍ରଥମ ଲହର ସମୟରେ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲେଖାଏ ଦିଆଯାଇଥିଲା।

ଭିଡିଓ କନ୍ଫରେନ୍ସିଂ ଜରିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ସହାୟତା ପ୍ରଦାନ କରି କହିଥିଲେ ଯେ ଗରିବ ଲୋକଙ୍କୁ ତାଙ୍କ ଅଧିକାରରୁ କେହି ବି ବଞ୍ଚିତ କରିପାରିବେ ନାହିଁ। ଗରିବ ଲୋକଙ୍କର ସମ୍ମାନର ସହ ବଞ୍ଚିବାର ସମସ୍ତ ଅଧିକାର ରହିଛି। କୋଭିଡ ସମୟରେ ଏହି ସହାୟତା ନିର୍ମାଣ ଶ୍ରମିକଙ୍କ ଅସୁବିଧାକୁ ହ୍ରାସ କରିବାରେ ସହାୟକ ହେବ।

ଅର୍ଥନୀତିରେ ଶ୍ରମିକମାନଙ୍କ ଗୁରୁତ୍ବ ବିଷୟରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶ୍ରମିକମାନଙ୍କ କଲ୍ୟାଣ ବିନା ଅର୍ଥନୀତି କେବେ ବି ସମୃଦ୍ଧ ହୋଇପାରିବ ନାହିଁ। ନିର୍ମାଣ ଶ୍ରମିକମାନେ ଜଣେ ଜଣେ ବିଶ୍ବକର୍ମା। ଅନ୍ୟର ସୁବିଧା ପାଇଁ ସେମାନେ ନିଜ ସୁଖକୁ ଭୁଲିଯା’ନ୍ତି। ଖରାକୁ ପିଠି ଦେଖାଇ ବଡ଼ ବଡ଼ କୋଠା ତିଆରି କରନ୍ତି। ନିଜେ ଜଳି ଅନ୍ୟକୁ ଆଲୋକ ଦେଖାନ୍ତି।

ନିଜେ ଅସୁବିଧାରେ ରହି ଅନ୍ୟ ପାଇଁ ଭଲ ଘର ତିଆରି କରନ୍ତି। ରାସ୍ତା, ସେତୁ ଆଦି କରନ୍ତି। ବିକାଶର ପ୍ରତିଟି ପୃଷ୍ଠାରେ ରହିଛି ଆମର ନିର୍ମାଣ ଶ୍ରମିକମାନଙ୍କର ତ୍ୟାଗ ଓ ପରିଶ୍ରମର କାହାଣୀ। ଗରିବ ଲୋକର ତ୍ୟାଗକୁ ସମ୍ମାନ ଦ୍ବାରା ହିଁ ଆମେ ବିକାଶ ସହ ସମସ୍ତଙ୍କୁ ଯୋଡ଼ି ପାରିବା ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଏହି ସହାୟତା ପାଇଥିବାରୁ ନିର୍ମାଣ ଶ୍ରମିକମାନେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ଆନ୍ତରିକ କୃତଜ୍ଞତା ଜଣାଇଥିଲେ। ଗଞ୍ଜାମର ରବୀନ୍ଦ୍ର ପ୍ରଧାନ, କଟକର ନବଘନ ପରିଡ଼ା, ବରଗଡ଼ର କେଶବ ପ୍ରଧାନ, ସୁନ୍ଦରଗଡ଼ର ରେଣୁ ମିଞ୍ଜ ପ୍ରମୁଖ କହିଥିଲେ ଯେ ‘ଧନ୍ୟବାଦ ମୁଖ୍ୟମନ୍ତ୍ରୀ ଆଜ୍ଞା। ଆପଣଙ୍କ ସହାୟତା ଆମକୁ ଏ ବିପଦ ସମୟରେ ବଞ୍ଚିବାର ରାହା ଦେଇଛି। ଗତ ବର୍ଷ ୧୫୦୦ ଟଙ୍କା ପାଇଥିଲୁ, ଏ ବର୍ଷ ମଧ୍ୟ ପାଇଲୁ। ତା’ସହିତ ପିଲାଙ୍କ ପାଠପଢ଼ା, ସାଇକେଲ, ଝିଅ ବାହାଘର – ସବୁ ସମୟରେ ଆମେ ସହାୟତା ପାଉଛୁ।’ ମୁଖ୍ୟମନ୍ତ୍ରୀ ମଧ୍ୟ ସେମାନଙ୍କୁ କେତେ ଟଙ୍କା ପାଇଛ ବୋଲି ପଚାରି ବୁଝିଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ନିର୍ମାଣ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ, ଶ୍ରମ ଆଇନର କାର୍ଯ୍ୟକାରିତା ଓ ନାଗରିକ କେନ୍ଦ୍ରିକ ଯୋଜନା ଉପରେ ଆଲୋକପାତ କରିଥିଲେ। ଓଡ଼ିଶା କୋଠାବାଡ଼ି ଓ ଅନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ କହିଥିଲେ ଯେ ବୋର୍ଡ ଅଧୀନରେ ନିର୍ମାଣ ଶ୍ରମିକମାନଙ୍କ ପାଇଁ ୩୨ଟି ଯୋଜନା କାର୍ଯ୍ୟକାରୀ କରାଯାଉଛି ଏବଂ ଏହିସବୁ ସେବାକୁ ୫-ଟି ଜରିଆରେ ତୁରନ୍ତ ଯୋଗାଇ ଦିଆଯାଉଛି। କାର୍ଯ୍ୟକ୍ରମରେ ବ୍ରଜରାଜନଗରର ବିଧାୟକ କିଶୋର ମହାନ୍ତି ଓ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ପ୍ରମୁଖ ସେମାନଙ୍କର ମତାମତ ରଖିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଭାଗୀୟ ସଚିବ ଚିତ୍ରା ଅର୍ମୁଗମ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଶ୍ରମ କମିସନର ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିସନର୍ ପି କେ ଜେନା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସାରା ରାଜ୍ୟର ୩୧୪ ବ୍ଲକର ନିର୍ମାଣ ଶ୍ରମିକମାନେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe