ନୂଆପଡ଼ାରେ ପୁଲିସ ଉପରେ ଆକ୍ରମଣ ଘଟଣା: ୨୨ ମହିଳାଙ୍କ ସମେତ ୨୬ ଗିରଫ

Advertisment
ନୂଆପଡ଼ାରେ ପୁଲିସ ଉପରେ ଆକ୍ରମଣ ଘଟଣା: ୨୨ ମହିଳାଙ୍କ ସମେତ ୨୬ ଗିରଫ

ନୂଆପଡ଼ା: ପୁଲିସକୁ ଆକ୍ରମଣ କରିବା ଘଟଣାରେ ୨୬ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ନୂଆପଡ଼ା ଜିଲ୍ଲା ଖରିଆର ‌ରୋଡ୍‌ ଇରାମିପଡ଼ାରେ ପୁଲିସ ୨୨ ଜଣ ମହିଳା ଓ ୪ ଜଣ ପୁରୁଷଙ୍କୁ ଗିରଫ କରିଛି। ଗିରଫ ୱାରେଣ୍ଟିକୁ ଧରିବାକୁ ଯାଇଥିଲା ବେଳେ ଅଭିଯୁକ୍ତମାନେ ପୁଲିସ ଉପରେ ଆକ୍ରମଣ କରିଥିଲେ। ଏଥି ସହିତ ପୁଲିସ ପଞ୍ଝାରୁ ୨ ଜଣ ଅଭିଯୁକ୍ତଙ୍କୁ ଛଡ଼ାଇ ନେଇଥିଲେ।

ପୁଲିସ କହିଛି ଅଭିଯୁକ୍ତମାନେ ହେଲେ କାସିମ ଅଲ୍ଲୀ (୨୯), ବେଞ୍ଜିର ଓରଫ ରଙ୍ଗିନୀ ବାନୋ (୩୫), ଗୁଲଦସ୍ତା ବାନୋ (୪୮), ୟାଶମିନ୍‌ ଓରଫ ଚଣ୍ଟି ବାନୋ (୨୫), ଆମିନା ଅଲ୍ଲୀ (୨୫), ଦିଲି ଓରଫ ସାନୁରି ବାନୋ (୨୪), ଗୁଡ୍ଡି ଓରଫ କାସ୍ମିରି ବାନୋ (୨୭), ନିଧି ଓରଫ ମିଠି ବେଗମ (୬୦), ଶୋହରା ଅଲ୍ଲୀ ଓରଫ ଶୋରା ସହଜାଦ୍‌ ହୁସେନ (୨୦), ଜାକିଆ ବାନୋ (୨୩), ମାଳୟୀ ଓରଫ ଜୈନାବ ବାନୋ (୨), ଦିଲରୁବା ବାନୋ ଓରଫ ଦିଲପସନ୍ଦ (୪୦), ସାବିବ ଓରଫ ପନ୍ନା ବାନୋ (୨୫), ହଜାରା ବାନୋ (୩୭), ଶଫିଆ ବାନୋ (୪୫), ଇଶିନ୍ୟା ବାନୋ (୨୦), ସକିନା ବାନୋ ଓରଫ ଲଲି (୨୫), ରାନୀ ଓରଫ ସରିଫା ବିବି (୫୯), ନଜିଆ ବାନୋ (୩୫), ଜେହରା ବାନୋ (୨୫), ସଫିଆ ବାନୋ (୨୧), ଫିଜା ବାନୋ (୨୧), ମୁକତାର ଅଲ୍ଲୀ (୨୦), ଜପ୍ପୁ ଓରଫ ଜାଫର ଅଲ୍ଲୀ (୨୨), ରାଜା ଅଲ୍ଲୀ (୩୦) ଓ ସୀମା ସାଜିଦ ହୁସେନ (୪୦)। ଏମାନେ ସମସ୍ତେ ନୂଆପଡା ଜିଲ୍ଲା ଜୋଙ୍କ ଥାନା ଅନ୍ତର୍ଗତ ଖରିଆରରୋଡସ୍ଥିତ ଇରାନୀପଡ଼ା ନିବାସୀ ଅଟନ୍ତି।

ସୂଚନାଯୋଗ୍ୟ, ଓ୍ବରେଣ୍ଟିକୁ ଗିରଫ କରିବାକୁ ଯାଇଥିବା ବେଳେ ପୁଲିସ ଟିମ୍‌ ଇରାନୀପଡ଼ାର ଅଭିଯୁକ୍ତମାନଙ୍କ ଦ୍ବାରା ଆକ୍ରମଣର ଶିକାର ହୋଇଥିଲେ। ଏଥିରେ ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନାର ଦୁଇ ଜଣ ଏସଆଇ ସମେତ ୧୦ ଜଣ ଆହତ ହୋଇଥିଲେ। ଏସଆଇ ଅରବିନ୍ଦ ମେହେର, ଏସଆଇ ବବିତା ମହାଭୋଇ, ଏଏସଆଇ ପ୍ରତାପ କଲେକା, କନେଷ୍ଟବଳ ଦ୍ରୋପଦୀ ସାହା, ଗାୟତ୍ରୀ ଗୌଡ଼, ଆଇଆରବି ହାବିଲଦାର ଅଜୟ ଜେନା, ଡ୍ରାଇଭର ଚନ୍ଦ୍ରମଣି ଦୀପ ସମେତ ୩ ଜଣ ଆରବିଆଇ ଯବାନ ଆହତ ହୋଇଥିଲେ।

ରବିବାର ପୂର୍ବାହ୍ନରେ ଜୋଙ୍କ ଥାନା ଆଇଆଇସି କୈଳାଶ ଚନ୍ଦ୍ର ସେଠୀଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ଶ୍ରୀ ମେହେରଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ଖରିଆରରୋଡ ସହର ଓ୍ବାଡ ନଂ ୧୩ ଇରାନୀପଡାକୁ ୨ ଜଣ ଡକାୟତି ଘଟଣାର ଓ୍ବାରେଣ୍ଟିକୁ ଗିରଫ କରିବାକୁ ଯାଇଥିଲା । ସେଠାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ପୁଲିସ ଥାନାକୁ ଆଣୁଥିଲା । ଏହି ସମୟରେ ଇରାନୀପଡ଼ାର ୪୦ରୁ ଊର୍ଦ୍ଧ୍ବ ମହିଳା ଓ କିଛି ପୁରୁଷ ପୁଲିସ ଟିମକୁ ଘେରିଯାଇ ଯୋଜନାବଦ୍ଧ ଭାବେ ଗୋଡାଇ ଆକ୍ରମଣ କରିଥିଲେ । ମହିଳାମାନେ ପୁଲିସ ଟିମକୁ ଘେରି ଯାଇ ଟେକା, ପଥର, ଲାଠିରେ ଆକ୍ରମଣ କରିଥିଲେ । ପରେ ଖବର ପାଇଁ ଜୋଙ୍କ ଥାନା ଆଧିକାରୀ ଶ୍ରୀ ସେଠୀ ଘଟଣା ସ୍ଥଳକୁ ପହଞ୍ଚି ପୁଲିସ ମାନଙ୍କୁ ଉଦ୍ଧାର କରି ଖରିଆର ରୋଡ ସିଏଚସିକୁ ଆଣି ପ୍ରାଥମିକ ଚିକିତ୍ସା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe