୪୮ କିଲୋମିଟର ଜାତୀୟ ରାଜପଥ ପ୍ରଶସ୍ତିକରଣ ପାଇଁ କଟାଗଲା ୨୭୧୫ ଗଛ, ନୂଆ ଗଛ ଲାଗିବ କେବେ? 

Advertisment
୪୮ କିଲୋମିଟର ଜାତୀୟ ରାଜପଥ ପ୍ରଶସ୍ତିକରଣ ପାଇଁ କଟାଗଲା ୨୭୧୫ ଗଛ, ନୂଆ ଗଛ ଲାଗିବ କେବେ? 

ଜୟପୁର: କୋରାପୁଟ ଜିଲ୍ଲାର ବାରିଣୀପୁଟରୁ ବୋରିଗୁମ୍ମା, ବୋରିଗୁମ୍ମାରୁ ଇନ୍ଦ୍ରାବତୀ ବ୍ରିଜ୍ ପର୍ଯ୍ୟନ୍ତ ଜାତୀୟ ରାଜପଥ ୨୬ର ପ୍ରଶସ୍ତିକରଣ ଓ ନବୀକରଣ କାମ ଜାରି ରହିଛି। ଏହି ୪୮କିଲୋ ମିଟିର ଏନଏଚ୍ ପ୍ରଶସ୍ତିକରଣ କାମ ପାଇଁ ଜୟପୁର ଏନ୍ଏଚ୍ ଏସଡିଓ ଡିଭିଜନ ଅଧିନରେ ବାରିଣୀପୁଟରୁ ବୋରିଗୁମ୍ମା ପର୍ଯ୍ୟନ୍ତ ୨୪୦୦ଟି ଓ ବୋରିଗୁମ୍ମାରୁ ଇନ୍ଦ୍ରାବତୀ ବ୍ରିଜ୍ ପର୍ଯ୍ୟନ୍ତ ୩୧୫ଟି ଏଭଳି ସର୍ବମୋଟ ୨୭୧୫ଟି ରାସ୍ତା ପାର୍ଶ୍ବର ବର, ଆମ୍ବ, ତେନ୍ତୁଳି ସହ ଅନ୍ୟାନ୍ୟ ଗଛକୁ କଟାଯାଇଛି।

ତେବେ ଗଛ କାଟିବା ପରେ ଏହି ଗଛକୁ ବିକ୍ରି କରିବା ଏବଂ ନୂଆ ଗଛ ଲଗାଯିବାର ଦାୟିତ୍ବ ଏନଏଚ ଓଡିଶା ବନ ଉନ୍ନୟନ ନିଗମ(ଓଏଫଡିସି)କୁ ଦେଇଛି। ଏହି ନୂଆ ଗଛ ଲଗାଯିବା ଠାରୁ ଆରମ୍ଭ କରି ୫ବର୍ଷ ପର୍ଯ୍ୟନ୍ତ ଗଛ ବୃଦ୍ଧି କରିବା ଦାୟିତ୍ବ ଓଏଫଡିସି ନେବ। ଏଥି ପାଇଁ ସବୁ ଖର୍ଚ୍ଚ ଏନଏଚ୍ ପକ୍ଷରୁ ଓଏଫଡିସି ନିକଟରେ ଦାଖଲ କରାଯିବ। ଯେତିକି ଗଛ କଟାଯାଇଛି ଓଏଫଡିସି ଏହାର ଦୁଇ ଗୁଣା ଗଛ ଲଗାଇବ। ପରିବେଶ ପ୍ରଦୁଷଣକୁ ରୋକିବା ସହ ସବୁଜ ସୁନ୍ଦର କରିବା, ରାସ୍ତାରେ ଯାଆସ କରୁଥିବା ଲୋକଙ୍କୁ ଗ୍ରୀଷ୍ମର ତାତିରୁ ବଂଚାଇବା ପାଇଁ ରାସ୍ତା ପାର୍ଶ୍ବରେ ଗଛ ଲଗାଯାଇଥିଲା।

publive-image

ଏହି ୪୮କିଲୋମିଟରର ସଂପୁର୍ଣ୍ଣ ରାସ୍ତା କାମ ସରିବା ପରେ ରାସ୍ତା ପାର୍ଶ୍ବ ବନୀକରଣ ଓଏଫଡିସି କରିବ, ଏଥିରେ ଏନଏଚର କିଛି ଭୁମିକା ନାହିଁ ବୋଲି କହିଛନ୍ତି ଏନଏଚ ଏସଡିଓ ବିନୋଦ କୁମାର ବଗର୍ତ୍ତୀ। ଗଛ କଟା ସରିଛି। ତେବେ ରାସ୍ତା କାମ ଶୀଘ୍ର ସରୁ ନଥିବାରୁ ରାସ୍ତା ପାର୍ଶ୍ବ ଗଛ ଲଗାଯିବା ବିଳମ୍ବ ହୋଇଛି। ତେବେ ସଂପୁର୍ଣ୍ଣ ରାସ୍ତା କାମ ସରିବା ପରେ କେତେ ସଂଖ୍ୟକ ଗଛ ଲାଗିବ ତାହାର ସର୍ଭେ କରାଯିବ ଓ ୫ବର୍ଷ ପର୍ଯ୍ୟନ୍ତ ଏହି ଗଛ ଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ କେତେ ଖର୍ଚ୍ଚ ହେବ ଏହାର ଅଟକଳ କରି ଏନଏଚକୁ ଜଣାଯିବ ବୋଲି ଓଏଫଡିସି ପକ୍ଷରୁ କୁହାଯାଇଛି।

ରାସ୍ତା ପାର୍ଶ୍ବରେ ଏତେ ସଂକ୍ୟକ ଗଛ କାଟିବା ପରେ ତୁରନ୍ତ ହିଁ ନୂଆ ଗଛ ଲଗାଯିବା କଥା। ସେଭଳି କରାଗଲେ ପରିବେଶ ସନ୍ତୁଳନ ବଜାୟ ରହିଥାନ୍ତା ବୋଲି ପରିବେଶବିତ୍ ମାନେ କହିଛନ୍ତି। ୪୮କିଲୋ ମିଟର ମଧ୍ୟରେ ଯେଉଁ ସ୍ଥାନର କାମ ସରିଛି କିମ୍ବା ଶେଷ ପର୍ଯ୍ୟାୟରେ ରହିଛି ସେ ଅଂଚଳର ଅନ୍ତଃତ ଗଛ ଲଗାଇ ଦେବା କଥା। ଏପରି ନ ହେବା ଫଳରେ ପରିବେଶ ପ୍ରଦୁଷଣ ହେବା ସହ ଆଗାମୀ ଦିନରେ ଯେତିକି ଗଛ କଟାଯାଇଛି ସତରେ ତାହାର ଦୁଇ ଗୁଣା ଗଛ ଲାଗିବ କି ବୋଲି ବୁଦ୍ଧିଜୀବୀ ମାନେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe